ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ଦ୍ବାରା ଏକ୍ସ କ୍ୟାଡର ଶିକ୍ଷକଙ୍କ ଗୋଟିଏ ମାସର ଦରମା ଓ ଅନ୍ୟ ଅନୁଦାନ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଥିବା ଘଟଣାରେ ଆଜି ଭିଜିଲାନ୍ସ ବିଭାଗ ତାଙ୍କ ଆଜବେଷ୍ଟସ ଘର ସଂପର୍କରେ ତନାଘନା କରିଛି। ଜମି ମାଲିକ ଅଚ୍ୟୁତାନନ୍ଦ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ପକ୍ଷରୁ ଜେରା କରାଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଭବାନୀପାଟଣା ସଦର ବିଇଓ ଅଫିସ୍ର ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ଇରିଗେସନ କଲୋନି ସ୍ଥିତ ଆଜବେଷ୍ଟସ ଘରକୁ ଯାଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା। ଇରିଗେସନ କଲୋନିରେ ୫ ଡିସିମିଲ ଜାଗାରେ ଏହି ଆଜବେଷ୍ଟସ ଘର ରହିଛି। ୨୦୨୦ ମସିହାରେ ଶୁଚିସ୍ମିତା ତାଙ୍କ ମା' ସ୍ବପ୍ନା ସୁଆରଙ୍କ ନାମରେ ଜାଗା କିଣିଥିଲେ। ଅଚ୍ୟୁତାନନ୍ଦ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୭୫ ହଜାର ଟଙ୍କା ଟ୍ରାନ୍ସଫର କରି ଜମି ରେଜିଷ୍ଟ୍ରେସନ କରିଥିଲେ। ଅଚ୍ୟୁତାନନ୍ଦଙ୍କୁ ଭିଜିଲାନ୍ସ ବିଭାଗ ଏହି ଜମି ବିକ୍ରି ନେଇ ପଚରାଉଚରା ଜାରି ରଖିଛି। ବିଇଓ ଅଫିସ୍ର ଟଙ୍କା ହଡ଼ପ୍ କରି ୨୦୨୦ ମସିହାରେ ଏହି ୫ ଡିସିମିଲ ଜାଗା କିଣିଥିଲେ।
ସୂଚୀସ୍ମିତା ଫେରାର ହେବା ଦିନ ତାଙ୍କୁ ଏକ୍ସ କ୍ୟାଡର ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ବାଇକରେ ନେଇ ଭବାନୀପାଟଣା ସଦର ଥାନା ନିକଟରେ ଛାଡ଼ି ଥିଲେ। ପୂର୍ବରୁ ସୂଚନା ପାଇଁ ବରଗଡ଼ର ତାଙ୍କ ଭିଣୋଇ ଗାଡ଼ି ଆଣି ଭବାନୀପାଟଣା ସଦର ଥାନାକୁ ଆସି ନେଇ ଯାଇଥିଲେ। ଏଥିରେ ବରଗଡ଼ ମହାନ୍ତିପଡ଼ାର ଗୋପାଳ କୃଷ୍ଣ ଦାସ ସହଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ଶୁଚିସ୍ମିତାର ଭିଣୋଇ ଗଙ୍ଗାଧର ପୁଝାରୀଙ୍କ ବରଗଡ଼ ସ୍ଥିତ ଅମ୍ବାପାଲି ବାସଭବନରୁ ସେ ଫେରାର ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ପୁଲିସ ସୂଚୀସ୍ମିତାକୁ ଗିରଫ କରିପାରି ନାହିଁ। ଗୋଟିଏ ପଟେ ଭବାନୀପାଟଣା ଟାଉନ୍ ଥାନା ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଖୋଳତାଡ଼ ଜାରି ରଖିଛି।