ଆସିକା : କିଛିଦିନ ଧରି ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଘଟଣା ଚର୍ଚ୍ଚାରେ ରହିଛି। ଗତ ୯ତାରିଖ ଦିନ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ୍ ଶିକ୍ଷାଧିକାରୀ ଲାଞ୍ଚନେଇ ଧରାପଡ଼ିଥିଲେ। ଏହାର ଗୋଟିଏଦିନ ପରେ ଅର୍ଥାତ୍ ୧୦ ତାରିଖଦିନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ର ଅତିରିକ୍ତ ଶିକ୍ଷାଧିକାରୀ ବି ଧରାପଡ଼ିଥିଲେ। ଆଜି ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ। ଫଳରେ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତି ଘେରରେ ରହିଥିବା ଏହିସବୁ ଘଟଣାରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, କିରାଣି ଶ୍ରୀପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷକ ନବଘନ ଗୌଡ଼ଙ୍କଠାରୁ ବର୍ଦ୍ଧିତ ଦରମା ସଂପର୍କିତ (ଏମଏସିପି ବେନିଫିଟ୍) ଫାଇଲ୍ ଘୁଞ୍ଚାଇବା ପାଇଁ ଲାଞ୍ଚ ମାଗିଥିଲେ। ସେ ୨୦୧୯ ମସିହା ସେପ୍ଟେମ୍ବର ମାସ ୩୦ ତାରିଖରେ ଚାକିରିର ୩୦ ବର୍ଷ ପୂରଣ କରିଥିବା ବେଳେ ଚଳିତବର୍ଷ ଏପ୍ରିଲ୍ରେ ଅବସର ନେଇଥିଲେ। ଏହାପରେ ସେ ବର୍ଦ୍ଧିତ ଦରମା ସଂକ୍ରାନ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସ୍ରେ ବାରମ୍ବାର ଆବେଦନ କରୁଥିଲେ। କିନ୍ତୁ କାଗଜପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସକୁ ଯାଇ ପାରୁ ନଥିଲା। କନିଷ୍ଠ କିରାଣି ଶ୍ରୀ ପ୍ରଧାନ କାଗଜପତ୍ର ଓ ଫାଇଲ୍ ପଠାଇବାକୁ ଗତ ୮ ତାରିଖରେ ୫୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ, ଗତ ୯ ତାରିଖରେ ନବଘନ ଭିଜିଲାନ୍ସ୍ର ଦ୍ବାରସ୍ଥ ହୋଇଥିଲେ। ଆଜି ଅପରାହ୍ନରେ ଆସିକା ବସ୍ଷ୍ଟାଣ୍ଡ୍ରେ ଏହି ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ କିରାଣି ଶ୍ରୀପ୍ରଧାନଙ୍କୁ କାବୁ କରିନେଇଥିଲେ। । ବ୍ରହ୍ମପୁର ଭିଜିଲାନ୍ସ୍ ଡିଏସପି ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ତାଙ୍କ ଆସିକା ବସ୍ଷ୍ଟାଣ୍ଡ୍ରୁ ଗିରଫ କରାଯାଇଥିଲା। ଇନ୍ସପେକ୍ଟର୍ ଡି.ବାସୁଦେବ ରାଓ, ନିରଞ୍ଜନ ରାଉତ, ସୌମ୍ୟକାନ୍ତ ପଣ୍ଡା, ଏଏସଆଇ ବୃନ୍ଦାବନ ବେହେରା ଓ ଦୁର୍ଗାପ୍ରସାଦ ହୋତା ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।
ଏହାପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସ୍ ଓ ଆସିକା ବାଣୀବିହାରସ୍ଥିତ ଭଡ଼ା ଘରେ ଛାନ୍ଭିନ୍ କରାଯାଇଥିବା ଜଣାପଡ଼ିଛି।