ନବରଙ୍ଗପୁର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଜିଲ୍ଲାରେ ସ୍କୁଲ ୟୁନିଫର୍ମ ଯୋଗାଣରେ ବଡ଼ ଦୁର୍ନୀତି ହୋଇଛି। ଜଣେ ପିଲା ପିଛା ବିଇଓଙ୍କ ପିସି ୮୦ଟଙ୍କା। ନବରଙ୍ଗପୁର ଜିଲ୍ଲାରେ ୫କୋଟି ଟଙ୍କାର ଦୁର୍ନୀତି ହୋଇଛି। ନିଜେ ମନ୍ତ୍ରୀ ୧୫ଲକ୍ଷ ଟଙ୍କା ନେଇଛନ୍ତି ବୋଲି ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଯାହା ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।
ନିଜ ଜିଲ୍ଲାରେ ମନ୍ତ୍ରୀ ଫେଲ୍: ପ୍ରଦୀପ ମାଝୀ
ଜିଲ୍ଲାରେ ୫କୋଟି ଟଙ୍କାର ଦୁର୍ନୀତି ହୋଇଛି
ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ
ପୂର୍ବରୁ ସରକାର ଅଗଷ୍ଟ ୧୫ତାରିଖ ସୁଦ୍ଧା ପିଲାଙ୍କୁ ୟୁନିଫର୍ମ ଯୋଗାଇ ଆସୁଥିଲେ। ଏବେ ମୁଣ୍ଡ ଉପରେ ପରୀକ୍ଷା, କିନ୍ତୁ ପିଲା ଏଯାଏ ୟୁନିଫର୍ମ ପାଇନାହାନ୍ତି। ପିଲାଙ୍କୁ ୟୁନିଫର୍ମ ଯୋଗାଇବାରେ ସରକାର ସଂପୂର୍ଣ୍ଣ ଫେଲ୍ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ୨୧୧୦୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଝରିଗାଁ ବ୍ଲକରେ ୨୪୫ଟି ସ୍କୁଲ ରହିଥିବା ବେଳେ ୭ଟି ସ୍କୁଲକୁ ସ୍ବୟଂ ସହାୟକ ଦଳ ଓ ବ୍ୟବସାୟୀ ପୋଷାକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବଳକା ୨୩୮ ବିଦ୍ୟାଳୟ ପାଇଁ କମିଟିକୁ ଦାୟିତ୍ବ ଦିଆଯାଇଛି। ଏହି ବିଦ୍ୟାଳୟଗୁଡ଼ିକ ପାଇଁ ଉମରକୋଟର ଗୋଟିଏ ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ବିଇଓ ବାଧ୍ୟ କରୁଛନ୍ତି। ଯଦି ଉକ୍ତ ଦୋକାନରୁ ନ କିଣନ୍ତି ତେବେ ବିଲ୍ କରିବେନି ବୋଲି ଧମକ ଦେଉଛନ୍ତି। ଉକ୍ତ ଦୋକାନ ଗୋଟିଏ ପୋଷାକ ପିଛା ୮୦ଟଙ୍କା ବିଇଓଙ୍କୁ ଦେବା ପାଇଁ ଡିଲ୍ କରିଛି। ଅନୁରୂପ ଭାବେ ଉମରକୋଟ ବ୍ଲକରେ ୪୨ଟି ଏସ୍ଏଚ୍ଜି ଓ ୩ଟି ଦୋକାନକୁ ଦାୟିତ୍ବ ମିଳିଛି। ବଳକା ସ୍କୁଲକୁ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ପୋଷାକ ଆଣିବା ପାଇଁ ବାଧ୍ୟ କରାଯାଉଛି। ପାପଡ଼ାହାଣ୍ଡି, ଝରିଗାଁ ଓ ଉମରକୋଟ ବ୍ଲକରେ ବିଇଓ ପୋଷାକ କିଣାରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି। ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦୀପ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ସରୋଜ ପାତ୍ର, ଆଶିଷ ରଞ୍ଜନ ପଟ୍ଟନାୟକ, ଉତ୍ତମ ତ୍ରିପାଠୀ, ପ୍ରମୋଦ ରଥ, ସୁମିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ପ୍ରଦୀପ ମାଝୀଙ୍କ ସମସ୍ତ ଅଭିଯୋଗକୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଖଣ୍ଡନ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୋଷକ ବଣ୍ଟନ କରିବାକୁ ବ୍ୟବସ୍ଥା ହୋଇଛି। ଯେଉଁ ବିଜେଡିକୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ ଶେଷରେ ସେହି ଦଳରେ ପ୍ରଦୀପ ମିଶିଗଲେ। ମିଛ କହିବା ପ୍ରଦୀପଙ୍କ ପୁରୁଣା ଅଭ୍ୟାସ। ବିଇଓଙ୍କ ସଂପର୍କରେ କୌଣସି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/20/CxKUSCWVyQV1ya2RSaNb.jpg)