ବ୍ରହ୍ମଗିରି ଅଣତିରିଶ ଗାଁରେ ବୋମାମାଡ଼ ଘଟଣା : ଗାଁ ପୁରୁଷ ଶୂନ୍ୟ, ୨୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ପଞ୍ଚାୟତ ଅଣତିରିଶ ଗାଁରେ ଗତକାଲି ପୂର୍ବ ବିବାଦକୁ ନେଇ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ପୁଲିସ ମୋଟ୍‌ ୨୫୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୩ ଜଣ ଅଫିସର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଗିରଫ ଭୟରେ ପୂରା ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଗତକାଲି ବୋମାମାଡ଼ ଘଟଣା ପରେ ରାତିରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସଞ୍ଜୁକ୍ତା ସ୍ବାଇଁଙ୍କ ଅଭିଯୋଗ କ୍ରମେ ପୁଲିସ ୧୪୨/୧୯ରେ ୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଛି। ସେହିପରି ଅନ୍ୟ ଗୋଷ୍ଠୀର ସଞ୍ଜୟ ପ୍ରଧାନଙ୍କ ଅଭିଯୋଗ ଉପରେ ୧୪୩/୧୯ରେ ପୁଲିସ ୨ ଶହରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଛି। ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା, ଗଣ୍ତଗୋଳ କରିବା, ବିସ୍ଫୋରକ ବ୍ୟବହାର କରିବା ଇତ୍ୟାଦି ବିଭିନ୍ନ ଦଫାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ପୁଲିସ ଗାଁରେ କ୍ୟାମ୍ପ୍‌ ପକାଇ ଜଗି ରହିଛି।

ସୂଚନାଯୋଗ୍ୟ, ଗତକାଲି ଅଣତିରିଶ ଗାଁ ଦାଣ୍ତରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଘନ ଘନ ବୋମାମାଡ଼ କରିବା ଫଳରେ ୭ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟ ପକ୍ଷରୁ ୩୦ରୁ ଅଧିକ ବୋମାମାଡ଼ ‌କରାଯାଇଥିବା ବେଳେ ୧୪ଟି ଘର ଭାଙ୍ଗିଥିଲା।

ସମ୍ବନ୍ଧିତ ଖବର