ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଚିତ୍ର ଅସ୍ପଷ୍ଟ, ସବୁଠି ଦ୍ବନ୍ଦ୍ବ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ରାଜନୈତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଧାନସଭା ନିର୍ବଚାନମଣ୍ଡଳୀରେ ରାଜନୈତିକ ଚିତ୍ର ଅସ୍ପଷ୍ଟ ରହିଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ? ତାହା ସ୍ପଷ୍ଟ ହୋଇପାରୁନି। ବିଶେଷକରି ୨୦୨୪ରେ ବ୍ରହ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ କିଏ ? ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ୧୯୯୦ ମସିହାରୁ ବ୍ରହ୍ମପୁର ଆସନଟି ଅଣକଂଗ୍ରେସ ହାତରେ ରହିଆସିଛି। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଲଗାତାର ବିଧାୟକ ଭାବେ ଏହି ଆସନରୁ ବିଜୟୀ ହୋଇଆସୁଥିଲେ। ତେବେ ୨୦୧୯ରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ବିକ୍ରମ ପଣ୍ଡାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ଦଳ। ସେ ମଧ୍ୟ ଜିତିଲେ।

ଏଥର ଶାସକ ଦଳ ଏଠାରୁ ବିକ୍ରମଙ୍କୁ ପ୍ରାର୍ଥୀ କରୁଛି ନା ତାଙ୍କୁ ଗୋପାଳପୁର ଆସନ ଦେଇ ଏଠାରେ ନୂଆ ମୁହଁ ଦେଉଛି ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି।
ଏହି ପ୍ରସଙ୍ଗ ଏଇଥିପାଇଁ ଜୋର ଧରିଛି କାରଣ, ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡିରୁ ବହିଷ୍କାର ହେବା ପରେ ଏହି ଆସନ ପାଇଁ ବହୁ ନେତାଙ୍କୁ ନେଇ ପରୀକ୍ଷାନିରୀକ୍ଷା ସରିଲାଣି। ଶେଷରେ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡାଙ୍କୁ ଗୋପାଳପୁର ଆସନର ସାଂଗଠନିକ କାର୍ଯ୍ୟକୁ ତଦାରଖ ଦାୟିତ୍ବ ଦିଆଯାଇଛି। ପୁଣି ଗୋପାଳପୁର ଆସନରୁ ବିଜେଡିର ପ୍ରାର୍ଥୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ଏଣୁ ରାଜନୈତିକ ଗତିବିଧିକୁ ଲକ୍ଷ୍ୟକରି ଶ୍ରୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଚାଲିଛି। ଏଭଳିସ୍ଥିତିରେ ୫ଥର ନିର୍ବାଚିତ ହୋଇଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆଶାୟୀ ତାଲିକାର ସର୍ବାଗ୍ରେ ରହିବା ସ୍ବାଭାବିକ। ତେବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସାଂସଦ ଭାବେ ନିର୍ବାଚନ ନଲଢ଼ି ବିଧାନସଭା ଉପରେ ଫୋକସ୍‌ କରୁଥିବା କୁହାଯାଉଛି। ଏମାନଙ୍କ ବ୍ୟତୀତ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଆଶାୟୀ ତାଲିକାରେ ରହିଛନ୍ତି। ସେଭଳି ମମତା ବିଷୋୟୀ ବି ଦଳୀୟ ଟିକଟ ପାଇ ଆବେଦନ କରିଥିବା ସୂଚନା ମିଳିଛି।

ଗୋଟିଏ ବର୍ଗ କହୁଛନ୍ତି, ଏହି ଆସନରେ ଦଳ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଦଳ ନୂଆ ଗୋଟି ଚାଳନା କରିପାରେ। ଅନ୍ୟ ବର୍ଗ କିନ୍ତୁ ଏହାକୁ ଅସ୍ବୀକାର କରୁଛନ୍ତି। ଅନ୍ୟପଟରେ ଗୁରୁତ୍ବପୂର୍ଣ୍ଣ ଏହି ଆସନରୁ ୧୯୮୫ରେ ଶେଷ ଥର ପାଇଁ ଶିବଶଙ୍କର ସାହାଣୀ କଂଗ୍ରେସରୁ ବିଜୟୀ ହୋଇଥିଲେ। ହେଲେ ବିଜେପି ବର୍ତ୍ତମାନ ସୁଦ୍ଧା ଏହି ଆସନରେ ଖାତା ଖୋଲିନାହିଁ।
ଉଲ୍ଲେଖଥାଉକି, ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଆସନରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୭.୪୪% ଭୋଟ ପାଇଥିଲେ। ଏବେ ବିଜେପିର ବହୁ ମହିଳା ବି ଟିକେଟ୍‌ ଆଶାୟୀ ରହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଏଠାରେ ନୂଆ ମୁହଁ ଦେବାର ସମ୍ଭାବନା ରହିଛି। ସେହିଭଳି ୨୦୧୯ ନିର୍ବାଚନରେ ଏଠାରୁ ଲିଙ୍ଗରାଜ ଚୌଧୁରୀ ପ୍ରାର୍ଥୀ ହୋଇ ମାତ୍ର ୪.୫୨ ପ୍ରତିଶତ ଭୋଟ ପାଇଥିଲେ। ସଂପ୍ରତି କଂଗ୍ରେସର ସଂଗଠନରେ ରୂପାନ୍ତରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ସଂଗଠନକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରାଯାଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ପୂର୍ବ ଓ ପଶ୍ଚିମ ନାମରେ ନାମକରଣ କରାଯାଇଛି। ଜିଲ୍ଲା କଂଗ୍ରେସ(ପୂର୍ବ)ରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବ୍ରହ୍ମପୁର ଆସନରେ କଂଗ୍ରେସରୁ କିଏ ନିର୍ବାଚନ ଲଢ଼ିବେ ତାହା ବି ଅସ୍ପଷ୍ଟ।

ସମ୍ବନ୍ଧିତ ଖବର