ବ୍ରହ୍ମପୁର: କାର୍‌ ଆରୋହୀଙ୍କ ଉପରକୁ ବୋମାମାଡ଼: ୪ ଆହତ

ବ୍ରହ୍ମପୁର: ରବିବାର ସକାଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ କଲ୍ୟାଣ ମଣ୍ଡପ ନିକଟରେ ଗୋଟିଏ କାର୍‌ ଉପରକୁ ବୋମା ଫିଙ୍ଗାଯିବାରୁ ସେଥିରେ ଥିବା ୪ ଜଣ ଆହତ ହୋଇଛନ୍ତି।

ସକାଳ ସାଢ଼େ ଆଠଟାରୁ ନଅଟା ମଧ୍ୟରେ ଲାଞ୍ଜିପଲ୍ଲୀ ଢିପସାହି ନିବାସୀ ସୁଶାନ୍ତ ବିଶୋଇ, ପ୍ରଭାତ ପାତ୍ର, କାର୍‌ ଚାଳକ ଓ ସୁଶାନ୍ତଙ୍କ ଭାଇ ଗୋସେଇଁ ନୂଆଗାଁ ଥାନାକୁ ହାଜିର ପକାଇବାକୁ ଯାଉଥିଲେ। କଲ୍ୟାଣ ମଣ୍ଡପ ନିକଟ ରାସ୍ତାରେ ୨ଟି ବାଇକ୍‌ ସହ ଅପେକ୍ଷାରତ ୫ ଜଣ ଦୁର୍ବୃତ୍ତ ସୁଶାନ୍ତ ଯାଉଥିବା କାର୍‌ ଉପରକୁ ଦୁଇଟି ବୋମା ଫିଙ୍ଗିଥିଲେ। ସେମାନଙ୍କ ପାଖରେ ଥିବା ଆଉ ଚାରିଟି ବୋମାକୁ ନଳାରେ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୁଶାନ୍ତଙ୍କ ନାମରେ ମାମଲା ଥିବାରୁ ସେ ଥାନାକୁ ଯାଉଥିଲେ।

ବୋମା ମାଡ଼ରେ ସମସ୍ତ କାର୍‌ ଆରୋହୀ ଆହତ ହୋଇଥିବା ବେଳେ ସୁଶାନ୍ତ ଓ କାର୍‌ ଚାଳକଙ୍କ ଅବସ୍ଥା ସାଙ୍ଘାତିକ ରହିଥିବା କଥା କୁହାଯାଉଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌କେସିଜିରେ ଦାଖଲ କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚିଛି। ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ପୁଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଥିବା କଥା କହୁଛି। ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲସ ଟିମ୍‌ ଗଠନ କରାଯାଇ ବିଭିନ୍ନ ଚେକ୍‌ ପଏଣ୍ଟ୍‌ରେ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର