ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଅଣଦେଖା : କ୍ଷମତାଠୁ ଅଧିକ ଅଛନ୍ତି କଏଦୀ

୫ ବ‌‌ର୍ଷ ଧରି ମନସ୍ତତ୍ତ୍ବବିତ୍ ଓ ୧୫ ୱାର୍ଡର ପଦବି ଖାଲି

ବ୍ରହ୍ମପୁର : ବ୍ରିଟିଶ୍ ସରକାରଙ୍କ ଦ୍ବାରା ୧୮୬୩ ମସିହାରେ ପ୍ରତିଷ୍ଠା ହୋଇଥିବା ବ୍ରହ୍ମପୁର ମଣ୍ଡଳ କାରଗାରଟି ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବ ବହନ କରୁଛି। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ବହୁ ସ୍ବାଧୀନତା ସଂଗ୍ରାମୀ ଏଠାରେ କାରାବରଣ କରିବାର ପ୍ରମାଣ ବି ରହିଛି । ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଏହି କାରାଗାର ପରିସରରେ ଫାଶି ଦିଆଯାଇଥିଲା। ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ କାରାଗାର ପରିସରରେ ଗୋଟିଏ ସେଲ୍‌କୁ ଲକ୍ଷ୍ମଣ ନାୟକ ସେଲ୍ ନାମରେ ନାମିତ ବି କରାଯାଇଛି। ସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟର ଘଟଣାକ୍ରମକୁ ନିଆଗଲେ ବ୍ରହ୍ମପୁର ମଣ୍ଡଳ କାରାଗାରର ଭୂତ୍ତିଭୂମିରେ ପରବର୍ତ୍ତନ ହୋଇଥିଲେ ହେଁ ଅନ୍ତେବାସୀଙ୍କ ସ୍ଥାନାଭାବ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଅନ୍ତେବାସୀ ରହୁଥିବା ନେଇ ସୂଚନା ମିଳିଛି । ଗୋଟିଏ ପଟେ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ୁଥିବା ବ‌େଳେ ଅନ୍ୟପଟେ କର୍ମଚାରୀଙ୍କ ଅଭାବ ଯୋଗୁଁ ସୁରକ୍ଷାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୭୪୩ଜଣ ଅନ୍ତେବାସୀ ରହିବାର କ୍ଷମତା ଥିବାବେଳେ ଏବେ ୮୨୩ଜଣ ଅନ୍ତେବାସୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୫୦ରୁ ୬୦ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡ ଭୋଗୁଥିବା ବେଳେ ପ୍ରାୟ ୬୦୦ଜଣ ବିଚାରାଧୀନ କଏଦୀ ଅଛନ୍ତି। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଠାରୁ ଆରମ୍ଭ କରି ଜଘନ୍ୟ ଅପରାଧ ଘଟାଇଥିବା ବହୁ ଅପରାଧୀ ଏଠାରେ ରହିଛନ୍ତି। ଅନ୍ତେବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ୮୬ଟି ୱାର୍ଡ଼ର ପଦବି ଥିବା ବେଳେ ସେଥିରୁ ୧୫ଟି ପଦବି ଖାଲି ପଡ଼ିଛି। ‌ସେଭଳି ୪ଜଣ ଆସିଷ୍ଟାଣ୍ଟ ଜେଲର୍‌ଙ୍କ ସ୍ଥାନରେ ମାତ୍ର ଜଣେ ଜେଲର୍‌ ରହିଛନ୍ତି। ଆବଶ୍ୟକତା ଠାରୁ ଅଧିକା ଅନ୍ତେବାସୀ ରହିବା ସାଂଗକୁ କର୍ମଚାରୀଙ୍କ ଅଭାବ ସତ୍ବେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ଜେଲ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ୍ ପରିସରର ବିଭିନ୍ନ ସ୍ଥାନରେ ୪୫ଟି ସିସିଟିଭି କ୍ୟାମେରା ଲଗାଯାଇଛି । ପରିସରରେ ଥିବା ୪ଟି ୱାଚ୍ ଟାୱାରରେ ଚବିଶି ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଅନ୍ତେବାସୀଙ୍କ ଚିକିତ୍ସା ପାଇଁ କରାଗାରରେ ଦୁଇଟି ଡାକ୍ତର ପଦବି ଥିବା ବେଳେ ବର୍ଷବର୍ଷ ଧରି ମନସ୍ତତ୍ତ୍ବବିତ୍ ପଦବିଟି ଖାଲି ପଡ଼ିଛି। କାରାଗାରରେ ମନସ୍ତତ୍ତ୍ବବିତ୍‌ଙ୍କ ଭୂମିକା ବେଶ୍ ଗୁରୁତ୍ତ୍ବପୂର୍ଣ୍ଣ। ବିଭିନ୍ନ ଘଟଣାଚକ୍ରରେ ପଡି ଅପରାଧୀ ଏଠାରେ ରହିଥାନ୍ତି । କେହି କେହି ଷଡ଼ଯନ୍ତ୍ରର ଶିକାର ହୋଇ ଅବା ଅନ୍ୟ ମାମଲାରେ ଛନ୍ଦି ହୋଇ ବିଚାରାଧୀନ କଏଦୀ ଭାବେ ରହିଥାନ୍ତି । ଏମାନଙ୍କ ମାନସିକ ସ୍ଥିତି ବି ଭଲ ନଥାଏ । ମାନସିକ ଦୁଶ୍ଚିନ୍ତାରେ ରହି କେହି କେହି ଭାରସାମ୍ୟ ହରାଇଥାଏ ତ ପୁଣି କାହା ନିକଟରେ ଆତ୍ମହତ୍ୟା ପ୍ରବଣତା ଦେଖାଦେଇଥାଏ । ଏଭଳି ଅନ୍ତେବାସୀଙ୍କ ପାଇଁ ମନସ୍ତତ୍ତ୍ବବିତ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ । ପରିତାପର ବିଷୟ ଦୀର୍ଘ ୫ ବର୍ଷ ଧରି ଏହି ପଦବି ଖାଲି ପଡିଛି । ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ପଦବି ସମେତ ଖାଲି ପଡିଥିବା ୱାର୍ଡର ପଦବି ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ ମତପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର