ରାଗିଂ ନାଁରେ ‘ଆଇ ଲଭ୍ ୟୁ’ କହିବା ପାଇଁ ବାଧ୍ୟ କରିଥିଲେ, ଏବେ ତଡ଼ାଖାଇବେ ୧୨ ଛାତ୍ର

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଓ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।  ଜଣେ ଛାତ୍ରଙ୍କୁ  ସେଠାରେ ବସିଥିବା ଜଣେ ଛାତ୍ରୀଙ୍କୁ ‘ଆଇ ଲଭ୍‌ ୟୁ’ କହିବା ପାଇଁ ବାଧ୍ୟ କରିବା ଘଟଣା ୧୨ ଜଣ ଛାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ଭିଡିଓରେ ଥିବା ୧୨ ଜଣଙ୍କୁ ଟିସି (ଟ୍ରାନ୍ସଫର ସାର୍ଟିଫିକେଟ) ଦିଆଯାଇ କଲେଜରୁ ତଡ଼ାଯିବ ବୋଲି କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ସୂଚନା ଦେଇଛନ୍ତି।

ଅପରପକ୍ଷେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ରାଗିଂ କରିଥିବା ଛାତ୍ରମାନଙ୍କୁ ଗିରଫ କରିଛି। ଗିରଫ ୫ଜଣଙ୍କ ମଧ୍ୟରେ ୩ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଅନ୍ୟ ୨ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି। ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ‌ବୋଲି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌ କହିଛନ୍ତି।

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସବୁ ମହଲକୁ ଆନ୍ଦୋଳିତ କରିଛି। ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଜଣେ ନବାଗତା ଛାତ୍ରୀଙ୍କୁ ବରିଷ୍ଠ ଛାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ସମକ୍ଷରେ ହାତରେ ଏକ ପିଭିସି ପାଇପ୍‌ ଖଣ୍ଡ ଧରି ଅତି କଦର୍ଯ୍ୟ ବ୍ୟବହାର କରି ରାଗିଂ କରୁଥିବା ଓ ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରିବାକୁ ଅନ୍ୟ ସିନିୟର୍‌ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଥିବା ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଛାତ୍ରୀ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ବ୍ୟାଗ୍‌ ଏବଂ ମୋବାଇଲ୍ ଛଡ଼ାଇ ନେଉଥିବା, ଅନ୍ୟ ଜଣେ ଛାତ୍ରଙ୍କୁ ସେହି ଛାତ୍ରୀଙ୍କ ସମ୍ମୁଖରେ ଆଣ୍ଠୁମାଡ଼ି ବସି ପ୍ରେମ ନିବେଦନ କରିବା, ହାତକୁ ଚୁମ୍ବନ କରିବାକୁ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଥିବା, ଆଇ ଲଭ୍‌ ୟୁ କହିବା ପାଇଁ ବାଧ୍ୟ କରିବା, ଛାତ୍ରୀଙ୍କ ହାତ ଓ ମୁଣ୍ଡକୁ ଜବରଦସ୍ତି ଟାଣି କ୍ୟାମେରା ଆଡ଼କୁ ମୁହଁ କରିବାକୁ ତାଗିଦ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ କିଛି ଛାତ୍ରଛାତ୍ରୀ ଏହାର ମଜା ନେଉଥିବା ଭଳି ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରାଗିଂକୁ ନିଷେଧ କରାଯାଇଥିବା ବେଳେ ଆଣ୍ଟିରାଗିଂ ସେଲ୍ ଗଠନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଯଦି ଆଣ୍ଟିରାଗିଂ ସେଲ୍ କୌଣସି ପଦକ୍ଷେପ ନେଉନାହିଁ ତେ‌ବେ ନିକଟସ୍ଥ ପୁଲିସ ଥାନା କିମ୍ବା ୧୧୨ ନମ୍ବରରେ କଲ୍ କରି ଜଣାଇ ପାରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏଥିସହ ଆଜି କଲେଜ ଛୁଟିଥିବା ବେଳେ ଆସନ୍ତାକାଲି କଲେଜକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପୁଲିସ ଘଟଣାର ଅଧିକ ତଦନ୍ତ କରିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର