ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିବାରେ ଲାଗିଛି। ସହରର ସୀମା ବଢ଼ୁଥିବା ବେଳେ ଅପରାଧ କାର୍ଯ୍ୟକଳାପ ମଧ୍ୟ ବଢ଼ି ଚାଲିଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ମାନବ ସମ୍ବଳ ଆବଶ୍ୟକ ହେଉଛି। ତେଣୁ ବ୍ରହ୍ମପୁରରେ କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ କରିବା ପାଇଁ ବାରମ୍ବାର ଦାବି ହେଉଛି। ବ୍ରହ୍ମପୁରରେ କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ କରାଯିବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ରେ ଘୋଷଣା କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ପାରିନାହିଁ। ଏବେ ବିଜେଡି ସରକାର କ୍ଷମତାଚ୍ୟୁତ ହୋଇଥିବା ବେଳେ ବିଜେପି ନୂଆ ସରକାର ଗଠନ କରିଛି। ଏଣୁ ବିଜେଡିର ଘୋଷଣାକୁ ବିଜେପି ଲାଗୁ କରିପାରୁଛି ନା ନାହିଁ ତାହା ଦେଖିବାକୁ ରହିଲା।
ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବ୍ରହ୍ମପୁରରେ ଅତି ଶୀଘ୍ର କମିସନରେଟ୍ ପୁଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଥିଲା। ଅଦ୍ୟାବଧି ତାହା ପୂରଣ ହୋଇନାହିଁ। ନିକଟରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ବିଧାନସଭାରେ ଏ ନେଇ ପ୍ରଶ୍ନ କରିଥିଲେ। ଏହା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ। ବ୍ରହ୍ମପୁରରେ କମିସନରେଟ୍ ପୁଲିସ ବ୍ୟବସ୍ଥା ପାଇଁ ନୂତନ ଥାନା ପ୍ରତିଷ୍ଠା ସହିତ ଥାନାଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯିବ। ଆବଶ୍ୟକ ଅଫିସର୍, କର୍ମଚାରୀ ସହିତ ନୂତନ ଅଫିସ୍ ଗୃହ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ଘୋଷଣା ପରେ ଭିତ୍ତିଭୂମି ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ ସେ ସମୟରେ ରାଜ୍ୟ ସରକାର ତଥା ପୁଲିସ ମୁଖ୍ୟାଳୟକୁ ପଠାଯାଇଥିଲା। କମିସନରେଟ୍ ପୁଲିସ ବ୍ୟବସ୍ଥାରେ ୧୫ଟି ଥାନା ରହିବାକୁ ପ୍ରସ୍ତାବ ଦିଆଯାଇଥିଲା। ବର୍ତ୍ତମାନ ବିଦ୍ୟୁତ, ମେରାଇନ୍ ଓ ମହିଳା ଥାନାକୁ ମିଶାଇ ମୋଟ ୧୬ଟି ଥାନା ରହିଛି। ଏହି ତାଲିକାରେ ଗତବର୍ଷ ନୂତନ ଭାବେ ଉଦ୍ଘାଟିତ ହୋଇଥିବା ନିମଖଣ୍ଡି ଥାନା ମଧ୍ୟ ରହିଛି।
ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବରେ ନୂତନ ଭାବେ ଆମ୍ବପୁଆ ଥାନା ପ୍ରତିଷ୍ଠା ପାଇଁ ମଧ୍ୟ କୁହାଯାଇଥିଲା। କିନ୍ତୁ ଆମ୍ବପୁଆ ଥାନା ବର୍ତ୍ତମାନ ସୁଦ୍ଧା ପ୍ରତିଷ୍ଠା ହୋଇ ନାହିଁ। ତାହା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଆମ୍ବପୁଆ ସିଟି କଲେଜ ନିକଟରେ ପୁଲିସ କମିସନର୍ଙ୍କ ଅଫିସ୍ କରାଯିବ ବୋଲି କୁହାଯାଇଥିଲା। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ରହିଥିବା ୩ଟି ଥାନାକୁ ଗଞ୍ଜାମ ପୁଲିସ ଜିଲ୍ଲାକୁ ସ୍ଥାନାନ୍ତର କରାଯିବା ସହିତ ଗଞ୍ଜାମ ପୁଲିସ ଜିଲ୍ଲାର ୩ଟି ଥାନାକୁ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମିଶାଇବା ପ୍ରସ୍ତାବ ରହିଥିଲା। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଥିବା ଜରଡ଼ା, ଦିଗପହଣ୍ଡି ଓ କେ.ନୂଆଗାଁ ଥାନାକୁ ଗଞ୍ଜାମ ପୁଲିସ ଜିଲ୍ଲାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ରହିଥିଲା। ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାରେ ଥିବା ଛତ୍ରପୁର, ଚମାଖଣ୍ଡି ଓ ଆର୍ଯ୍ୟପଲ୍ଲୀ ମେରାଇନ୍
ଥାନାକୁ କମିସନରେଟ୍ ପୁଲିସ ବ୍ୟବସ୍ଥାକୁ ଅଣାଯିବାର ପ୍ରସ୍ତାବ ରହିଥିଲା। ଗତ ୧୦ବର୍ଷ ମଧ୍ୟରେ ସହରର ପରିସୀମା ଆହୁରି ବୃଦ୍ଧି ପାଇଛି। ବହୁ ନୂତନ ଜନବସତି ସୃଷ୍ଟି ହୋଇଛି।
ସଦର ଥାନା ସହର ଉପକଣ୍ଠ ଅଙ୍କୁଶପୁରରେ ରହିଥିବା ବେଳେ ସହରତଳି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ନିମଖଣ୍ଡି ଫାଣ୍ଡିକୁ ଥାନାରେ ପରିଣତ କରାଯାଇଛି। ବ୍ରହ୍ମପୁର କମିସନରେଟ୍ ପୁଲିସ ବ୍ୟବସ୍ଥାରେ ଜଣେ ଡିସିପି ରହିବା ସହିତ ୩ଟି ସବ୍ଡିଭିଜନ୍ରେ ଜଣେ ଲେଖାଏଁ ଏସିପି ଦାୟିତ୍ବରେ ରହିବେ ବୋଲି ପ୍ରସ୍ତାବ ରଖାଯାଇଥିଲା। ଜଣେ ଲେଖାଏଁ ଏସିପିଙ୍କ ଅଧୀନରେ ୫ଟି ଥାନା ରହିବ ବୋଲି ପ୍ରସ୍ତାବ ରହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହେଉ ନାହିଁ। ବ୍ରହ୍ମପୁରରେ କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ମାନବସମ୍ବଳ ବୃଦ୍ଧି ପାଇବ। ଗତ ୨୦୦୭ରେ ଭୁବନେଶ୍ବରରେ କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ ହୋଇଥିଲା। ଇତି ମଧ୍ୟରେ ୧୭ବର୍ଷ ବିତି ସାରିଲାଣି। କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ ଦିଗରେ ବ୍ରହ୍ମପୁର ପ୍ରାୟ ସମସ୍ତ ମାନଦଣ୍ଡ ପୂରଣ କରୁଛି। ଏଣୁ ଏ ଦିଗରେ ସରକାର ବିଚାର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ଏ ସମ୍ପର୍କରେ କୌଣସି ତଥ୍ୟ ମଗାଯାଇ ନାହିଁ। ପୂର୍ବରୁ କମିସନରେଟ୍ ପୁଲିସ ବ୍ୟବସ୍ଥା ଉପରେ ତଥ୍ୟ ଦିଆଯାଇଥିଲା ବୋଲି ସେ କହିଛନ୍ତି।