ବ୍ରହ୍ମପୁର ବଡ଼ ଡାକ୍ତରଖାନା : ଖୋଲିବ ଆହୁରି ୪ ନିରାମୟ କେନ୍ଦ୍ର, କମିବ ଗହଳି, ସୁବିଧା ପାଇବେ ରୋଗୀ

ବ୍ରହ୍ମପୁର : ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ନାନା ଯୋଜନା କରୁଛନ୍ତି। ରୋଗୀ କିପରି ସଠିକ୍‌ ସମୟରେ ଆବଶ୍ୟକ ସେବା ପାଇବେ ତାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ସରକାର ବିଭିନ୍ନ ଯୋଜନା କରି ମାଗଣା ଔଷଧ ପ୍ରଦାନ ସହିତ ବିନାମୂଲ୍ୟରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ବହୁ ରୋଗୀ ଉପକୃତ ହୋଇପାରୁଛନ୍ତି। ନିରାମୟ ଯୋଜନାରେ ରୋଗୀ ମାଗଣାରେ ଔଷଧ ପାଉଛନ୍ତି। କିନ୍ତୁ ମାଗଣା ଔଷଧ ପାଇବା ପାଇଁ ରୋଗୀଙ୍କୁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଆହୁରି ୪ କେନ୍ଦ୍ର କରିବାକୁ ଯୋଜନା ରଖିଛନ୍ତି। ଏହାଦ୍ବାରା ଲୋକଙ୍କ ଗହଳି ନିୟନ୍ତ୍ରଣ ହେବା ସହିତ କମ‌ ସମୟରେ ରୋଗୀ ଆବଶ୍ୟକ ଔଷଧ ପାଇବେ ବୋଲି ଆଶା କରାଯାଉଛି।

Collegedunia

୨୦୧୫ରୁ ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ବିଭିନ୍ନ ସରକାରୀ ହସ୍ପିଟାଲ୍‌ରେ ରୋଗୀ ନିରାୟମ ଜରିଆରେ ମାଗଣା ଔଷଧ ପାଉଛନ୍ତି। ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆର୍‌ଡିସି (ରିଜିଓନାଲ୍‌ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌) ସମ୍ମୁଖରେ ନିରାମୟ ଯୋଜନାରେ ମାଗଣା ଔଷଧ ବିତରଣ କେନ୍ଦ୍ର ଖୋଲା ଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଟି କେନ୍ଦ୍ରରେ ଲୋକଙ୍କୁ ଔଷଧ ବଣ୍ଟନ କରାଯାଉଥିଲା। ଲୋକଙ୍କ ଭିଡ଼କୁ ନଜରରେ ରଖି ଆହୁରି ୪ଟି କେନ୍ଦ୍ର ଖୋଲା ଯାଇଛି। ବର୍ତ୍ତମାନ ୮ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ତଥାପି ଲୋକଙ୍କ ଗହଳି ନିୟନ୍ତ୍ରଣ ହେଉ ନଥିବା ବେଳେ ରୋଗୀଙ୍କୁ ଔଷଧ ପାଇବା ପାଇଁ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ରୋଗୀଙ୍କ ସୁବିଧା ପାଇଁ ଏବେ ବଡ଼ ଡାକ୍ତରଖାନା ତରଫରୁ ଆହୁରି ୪ଟି କେନ୍ଦ୍ର ଖୋଲାଯିବ। ଏଥିପାଇଁ କେନ୍ଦ୍ର ନିର୍ମାଣ ପ୍ରାୟ ସମାପ୍ତ ହୋଇଛି। ଆଉ କିଛି ଆନୁଷଙ୍ଗିକ କାମ ବାକି ରହିଛି। ତାହା ସମାପ୍ତ ହେବା ପରେ ସେଠାରେ ଔଷଧ ବିତରଣ ଆରମ୍ଭ ହେବ। ଏ ସମ୍ପର୍କରେ ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହନ୍ତି ନୂତନ କେନ୍ଦ୍ର ହସ୍ତାନ୍ତର ହୋଇ ନାହିଁ। ଆଉ କିଛି କାମ ବାକି ରହିଛି। କାମ ସରିବା ପରେ ତାହା ଡାକ୍ତରଖାନାକୁ ହସ୍ତାନ୍ତର କରାଗଲେ ସେଠାରେ ଔଷଧ ବିତରଣ ଆରମ୍ଭ ହେବ ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ତରଫରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପ୍ରାୟ ୪୪୪ ପ୍ରକାର ବିଭିନ୍ନ ମାଗଣା ଔଷଧ ପ୍ରଦାନ କରାଯାଉଛି। ଓଏସ୍‌ଏମ୍‌ସିଏଲ୍‌ ତରଫରୁ ଏହି ସମସ୍ତ ଔଷଧ ଯୋଗାଣ ହୋଇଥାଏ। ନିରାୟମ ଯୋଜନାରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ପ୍ରକାର ମାଗଣା ଔଷଧ ଦିଆଯାଉଛି। ଏହି ଔଷଧ କେବଳ ଆଉଟ୍‌ଡୋର୍‌କୁ ଆସୁଥିବା ରୋଗୀମାନେ ପାଇଥାନ୍ତି। ଆଉ ପ୍ରାୟ ୨ଶହ ପ୍ରକାର ଔଷଧ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଇନ୍‌ଡୋର୍‌ ରୋଗୀଙ୍କୁ ମାଗଣାରେ ଦିଆଯାଇଥାଏ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର