ବ୍ରହ୍ମପୁର: ତତ୍କାଳୀନ ରାଷ୍ଟ୍ରପତି ଭିଭି ଗିରିଙ୍କ କରକମଳରେ ଉଦ୍ଘାଟିତ ବ୍ରହ୍ମପୁର ସହରର ସର୍ବବୃହତ୍ତ ମାର୍କେଟ କମ୍ପ୍ଲେକ୍ସ ‘ଗିରି ମାର୍କେଟ’ର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଦୟନୀୟ ଅବସ୍ଥାରେ ରହିଥିବା ଗିରି ମାର୍କେଟକୁ ଗତ ୧୭ ତାରିଖ ଠାରୁ ଭଙ୍ଗା ଚାଲିଛି। ଏଠାରେ ନୂତନ ଭାବେ ବଜାର ପରିସର ନିର୍ମାଣ କରାଯିବ। ବ୍ରହ୍ମପୁର ମହାନଗର ନିଗମ ପଦକ୍ଷେପ ଗ୍ରହଣ କରିବା ସହ ଉକ୍ତ କୋଠାଟି ସୁରକ୍ଷିତ ନୁହଁ ବୋଲି ୨ ବର୍ଷ ତଳୁ ଘୋଷଣା କରିଥିଲା। କିନ୍ତୁ ସେଠାରେ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନଙ୍କୁ ସ୍ଥାନାନ୍ତର କରିବା କରିବାରେ ବିଳମ୍ବ ଘଟିବାରୁ ଉଚ୍ଛେଦକାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା।
ସୂଚନାଯୋଗ୍ୟ ଯେ ୧୯୭୪ ମସିହା ମେ’ ୨୪ ତାରିଖରେ ଏହି ବଜାର ପ୍ରତିଷ୍ଠା ହୋଇଥିଲା । ବ୍ରହ୍ମପୁରର ଅତ୍ୟତମ ବରପୁତ୍ର ତଥା ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଏହି ବଜାରକୁ ଉଦ୍ଘାଟନ କରିଥିବା ବେଳେ ତାଙ୍କରି ନାମରେ ଏହି ବଜାରର ନାମକରଣ କରାଯାଇଥିଲା। ଉପର ତଳ ହୋଇ ୧୭୩ଟି ଦୋକାନ ଗୃହ ରହିଥିବା ବେଳେ ପ୍ରତି ବର୍ଷ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୧୦ ପ୍ରତିଶତ ଲେଖାଏଁ ଭଡ଼ା ବୃଦ୍ଧି କରାଯାଉଥିଲା।। ହେଲେ ବଜାରର ମରାମତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ମହାନଗ ନିଗମ ବିଶେଷ ଗୁରୁତ୍ବ ଦେଉନଥିବା ଯୋଗୁଁ ସ୍ଲାବ ସହ ଲୁହା ଛଡ଼ ଖସି ପଡ଼ୁଥିଲା। ବଜାରର ଏଭଳି ଅବସ୍ଥା କେବଳ ଆଜି ନୁହଁ, ଅନେକ ବର୍ଷ ହେଲା ଲାଗି ରହିଥିଲା। ବ୍ୟବସାୟୀମାନେ ବଜାରର ମରାମତି ପାଇଁ ବହୁ ଥର ମହାନଗର ନିଗମ ପାଖରେ ଦାବି କରିଥିଲେ ସୁଧା ଏହାର କୌଣସି ସୁଫଳ ମିଳିନଥିଲାତେବେ ନିଗମର ରକ୍ଷରାବେକ୍ଷଣ ଅଭାବରୁ କୋଠାଟି ସଂପୂର୍ଣ୍ଣ ଭାବେ ନଷ୍ଠ ହୋଇପଡିଥିଲା।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଦୋଦଲ୍ୟମାନ ଅବସ୍ଥାରେ ଥିବା କୋଠାର ଉପର ମହଲା ପ୍ରାୟ ୨୩ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । ସେସମୟରେ ମଧ୍ୟ ପୂର୍ବର ଦୋକାନ ଘରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥା ନେଇ ବ୍ୟବସାୟୀମାନେ ଚିନ୍ତା ପ୍ରକାଶ କରିବା ସହ ମରାମତି ପାଇଁ ଦାବି କରିଥିବା ବେଳେ ନିଗମ ପକ୍ଷରୁ ମରାମତି କରାଯିବ ବୋଲି ବୋଲି ପ୍ରତିଶ୍ରୁତି ଦିଆଯାିଥିବା ସତ୍ତ୍ବେ କୌଣସି ପଦକ୍ଷେପ ନନେଇ ଶେଷରେ ସଂପୂର୍ଣ୍ଣ କୋଠା ଅସୁରକ୍ଷିତ ହୋଇପଡିଲା ।ବଜାର ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦେଖି ୨୦୨୦ ଶେଷବେଳେକୁ ଉକ୍ତ କୋଠା ଅସୁରକ୍ଷିତ ବୋଲି ପୂର୍ତ୍ତବିଭାଗ ତଦନ୍ତ ରିପୋର୍ଟ ଦେବା ପରେ ତୁରନ୍ତ ଉକ୍ତ କୋଠାକୁ ଖାଲି କରିବା ନେଇ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହାରି ମଧ୍ୟରେ ଉକ୍ତ କୋଠାରେ ବ୍ୟବସାୟପ୍ରତିଷ୍ଠାନ କରିଥିବା ୧୭୩ଜଣ ବ୍ୟବସାୟୀ କିପରି ଅନ୍ୟତ୍ର ବ୍ୟବସାୟ କରିବେ ତାହାକୁ ନେଇ ବିଏମସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।
ବ୍ୟବସାୟୀଙ୍କୁ ଥଇଥାନ ଓ ନୂତନ ବଜାର ରୁପରେଖ କଣ ରହିବ ତାହାକୁ ନେଇ ଅଡୁଆରେ ରହିଥିବା ବିଏମସି କୌଣସି ପ୍ରକାର ଥୟକୁଳ ପାଇପାରୁନଥିଲା। ଏହାରି ମଧ୍ୟରେ ବିନା ଡିପିଆରରେ ଗତ ମେ’ ୧୩ ତାରିଖରେ ମହାନଗର ନିଗମର କାଉନସିଲ୍ ବୈଠକରେ ଏନେଇ ଆଲୋଚନା କରାଯାଇ ବଜାରର ଉନ୍ନତିକରଣ ପାଇଁ ୨୦ କୋଟି ଟଙ୍କାର ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଥିବା ବୋଳେ ବ୍ୟବସାୟୀଙ୍କୁ ଥଇଥାନ ପ୍ରତି ଗୁରୁତ୍ବ ନଦେଇ କେବଳ ସ୍ଥାନାନ୍ତର ନେଇ ବାରମ୍ବାର ନୋଟିସ ଜାରୀ କରାଯାଉଥିଲା। ବିଏମସିର ଏଭଳି ତାଗିଦ ଦେଖି ଭୟଭୀତ ବ୍ୟବସାୟୀ ବିଏମସିର ଅସ୍ଥାୟୀ ସ୍ଥାନ ଦେବାରେ ବିଳମ୍ବ ଦେଖି ନିଜନିଜ ଉଦ୍ୟମରେ ବିଭିନ୍ନ ସ୍ଥାନରେ ନିଜ ସୁବିଧା ମୁତାବକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିବା ଜଣାପଡିଛି।
ସେଯାହା ହେଉ ବହୁ ବିଳମ୍ବ ହେଲେ ମଧ୍ୟ ନିଗମପକ୍ଷରୁ ଉକ୍ତ କୋଠାର ଉଚ୍ଛେଦକାର୍ଯ୍ୟ ଆରମ୍ଭ ହୋିଥିବା ଦେଖିବାକୁ ମିଳିଛି। ଉକ୍ତ କୋଠା ଭାଙ୍ଗିବା ନେଇ ନିଗମ ପକ୍ଷରୁ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ୪ଟି ଆବେଦନ ରହିଥିଲା। ଏହାରି ମଧ୍ୟରେ ପ୍ରଥମ ଅବେଦନକାରୀ ନିଜପକ୍ଷରୁ ଓହରି ଯାଇଥିବା ବେଳେ ଦ୍ବିତୀୟ ଆବେଦନକାରୀ ଟେଣ୍ଡରରେ ଅଂଶଗ୍ରହଣ କରିନଥିବା ଯାଗୁଁ ନିଗମ ବାଧ୍ୟ ହୋଇ ଉକ୍ତ ଟେଣ୍ଡରକୁ ବାତିଲ କରିଦେଇଥିବା ବେଳେ ଏହାରି ମଧ୍ୟରେ ଉକ୍ତ କୋଠାକୁ ନିଜସ୍ବ ଖର୍ଚ୍ଚରେ ଭାଙ୍ଗିବା ସହିତ ନିଗମକୁ ୧୪ଲକ୍ଷ ଟଙ୍କା ଦେଇ ଟେଣ୍ଡର ପ୍ରକ୍ରିୟାରେ ସାମିଲ ନଥିବା ଦିଲ୍ଲୀର ଏକ ଘରୋଇସଂସ୍ଥା ଆଗ୍ରହ ପ୍ରକାଶ କରିବା ସହିତ ବିଏମସିକୁ ଆବେଦନକରିଥିଲେ।
ନିଜସ୍ବ ଉଦ୍ୟମରେ ମାତ୍ର ୭ଦିନ ମଧ୍ୟରେ କୋଠାକୁ ଉଚ୍ଛେଦ କରିବା ସହ ସମସ୍ତ ଆବର୍ଜନାକୁ ମଧ୍ୟ ତ୍ବରିତ ସ୍ଥାନାନ୍ତର କରିବାକୁ ଇଛୁକ ଥିବା ସଂସ୍ଥାକୁ ନିଗମ ଉଚ୍ଛେଦ କାର୍ଯ୍ୟପାଇଁ ନିର୍ଦ୍ଧେଶ ଦେଇଛି। ନିଗମର ଅନୁମତି ମିଳିବା ପରେ ଆଜି ମଧ୍ୟାହ୍ନରୁ ଉଚ୍ଛେଦକାର୍ଯ୍ୟ ହାତେଇଥିବା ସଂସ୍ଥା କାର୍ଯ୍ୟାରମ୍ଭ କରିଥିବା ଦେଖିବାକୁ ମିଳିଛି।ତେବେ ଆଜି ଆରମ୍ଭ ହୋଇଥିବା ଉଚ୍ଛେଦକାର୍ଯ୍ୟ ବେଳେ ନିଗମର ଅତିରିକ୍ତ କମିସନର ନୀଳମାଧବ ଭୋଇ, ଏନଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ ଓ ମେକାନିକାଲ ଯନ୍ତ୍ରୀ ପ୍ରଭାକର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବାକୁ ମିଳିଛି।