ସମ୍ବଲପୁର: ଜଗତର ନାଥ ଜଗନ୍ନାଥଙ୍କ ମହିମା ଅପାର। କେବଳ ଭାରତୀୟ ନୁହନ୍ତି, ପରାଧୀନ ଭାରତରେ ଇଂରେଜମାନଙ୍କ ବି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ରହିଥିଲା ଅପାର ବିଶ୍ବାସ। ସେଥିପାଇଁ ତ ସମ୍ବଲପୁରର ଝାଡ଼ୁଆପଡ଼ାରେ ଥିବା ଗୋପୀନାଥ ମହାପ୍ରଭୁ ନାମରେ ବିଦିତ ବ୍ରହ୍ମପୁରା ମନ୍ଦିରସ୍ଥିତ ଏକ ବଡ଼ କଳାପଥର ବା ଶାଳଗ୍ରାମ ପଥର ସାହାରା ନେଇଥିଲେ ମେଜର ଇମ୍ପେ। ଇଂରେଜ ଶାସନକୁ ଦୋହଲାଇ ଦେଇଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହିତ ଶାନ୍ତି ବୁଝାମଣା ବ୍ୟତୀତ ଇଂରେଜଙ୍କ ପାଖରେ ବିକଳ୍ପ ନଥିଲା। ଶାନ୍ତି ପାଇଁ ଚୁକ୍ତି କରିବା ପରେ ବି କାଳେ ବୀର ସୁରେନ୍ଦ୍ର ସାଏ ପୁଣି ସ୍ବର ଉତ୍ତୋଳନ କରିପାରନ୍ତି, ତାହାକୁ ନେଇ ମେଜର ଇମ୍ପେଙ୍କ ସନ୍ଦେହ ରହିଥିଲା। ସେଥିପାଇଁ ୧୮୬୨ ମସିହାରେ ମେଜର ଇମ୍ପେ ଶାନ୍ତି ବୁଝାମଣା କରିବା ପରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କୁ ବ୍ରହ୍ମପୁରା ମନ୍ଦିରକୁ ଆଣି ସେଠାକାର କଳାପଥରରେ ଛିଡ଼ା କରାଇ ‘କିରିଆ’(ଶପଥ ପାଠ) କରାଇଥିଲେ। ସେହିସମୟରେ କୌଣସି ବିଷୟକୁ ନେଇ ଦୁଇ ବ୍ୟକ୍ତି ବା ଦୁଇ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲେ, ଝଗଡ଼ାର ଚରମ ସୋପାନରେ ଏହି ମନ୍ଦିରରେ ଶପଥ କରାଯାଉଥିଲା। ‘ଯିଏ ମିଥ୍ୟା କହୁଥାଏ, ତା’ର ଅନିଷ୍ଟ ନିଶ୍ଚିତ’, ଏଭଳି ଦୃଢ଼ ବିଶ୍ୱାସ ରହିଛି। ଏହି ବିଶ୍ବାସ ଏତେ ଦୃଢ଼ ଯେ ଇଂରେଜ ଶାସନ ସମୟରେ ସିଭିଲ୍ କୋର୍ଟରେ ବି ବ୍ରହ୍ମପୁରା ମନ୍ଦିରରେ କଳାପଥର ଉପରେ ଛିଡ଼ା ହୋଇ ‘କିରିଆ’ କଲେ ସେହି ମାମଲାକୁ ଆଉ ଆଗକୁ ବଢ଼ାଯାଉନଥିଲା ବା’ ମାମଲା ସମାପ୍ତ ବୋଲି ଧରିନିଆଯାଉଥିଲା।
‘ବରହମପୁରାର ନାକେ ଚନ୍ଦନ
ତା’ ପଛକୁ ଦଧିବାମନ
ଦଧିବାମନ ଖାଏଲେ ପେଡ଼ା
ତା’ ପଛକୁ ହୋତାପଡ଼ା
ହୋତାପଡ଼ାର ଚକଗରଜି,
ତା’ପଛକୁ ସତ୍ୟବାଦୀ
ସତ୍ୟବାଦୀ ହେଲେ ମଉନ
ତା’ ପଛକୁ ମଦନମୋହନ
ମଦନମୋହନ ହେଲେ ବାଇ
ତା’ପଛକୁ ଲିଆଖାଇ
ଲିଆଖାଇ ଖାଏଲେ ଲିଆ
ତା’ପଛକୁ ବୁଢ଼ା ବରିହା
ବୁଢ଼ା ବରିହା ଖାଏଲେ ମୁଢ଼ି
ତା’ ପଛକୁ ଟିମନିଗୁଡ଼ି
କୁଠା ମହାପୁରୁର ଏଡ଼େ ଗଁଡି
ସେ ନାଇଁ ଯାଏ ବିନାଖଁଡ଼ି।’
ଇତିହାସ ଗବେଷକ ଦୀପକ ପଣ୍ଡାଙ୍କ ମତ ଅନୁସାରେ, ରାଜା ବଳଭଦ୍ର ଦେବ (୧୫୯୪-୧୬୨୦)ଙ୍କ ସମୟରେ ସୁବର୍ଣ୍ଣପୁର ଅଞ୍ଚଳରୁ ବହୁ ବ୍ରାହ୍ମଣ ସମ୍ବଲପୁରକୁ ବସତି ସ୍ଥାପନ ପାଇଁ ଆସିଥିଲେ। ସେମାନଙ୍କୁ ସମ୍ବଲପୁର ସହରର ଯେଉଁଠି ଥଇଥାନ କରାଗଲା ତାକୁ ବ୍ରହ୍ମପୁରା (ବ୍ରାହ୍ମଣଙ୍କ ପୁର) ବୋଲି କୁହାଗଲା। ସେମାନେ ହେଉଛନ୍ତି ଆରଣ୍ୟକ ବ୍ରାହ୍ମଣ। ସେହି ଆରଣ୍ୟକ ବ୍ରହ୍ମାଣମାନେ ଜଗନ୍ନାଥଙ୍କ ଉପାସକ ପାଲଟି ଯାଇଥିଲେ। ତେଣୁ, ସେମାନଙ୍କ ବସତି ସ୍ଥାନ(ବ୍ରହ୍ମପୁରା)ରେ ରାଜା ବଳଭଦ୍ର ଦେବ ଗୋପୀନାଥ ମହାପ୍ରଭୁଙ୍କ ଏକ ମନ୍ଦିର ନିର୍ମାଣ କରାଇଲେ। ତେବେ, କାଳକ୍ରମେ ସେହି ବ୍ରହ୍ମପୁରା ନାମକ ସ୍ଥାନଟି ଝାଡୁଆପଡ଼ା ଭାବେ ପ୍ରସିଦ୍ଧି ଲାଭ କରିବା ସହିତ ବ୍ରହ୍ମପୁରା ମହାପ୍ରଭୁ ନାମରେ ଜଗନ୍ନାଥ ମହାପ୍ରଭୁ ପରିଚିତ ହୋଇଗଲେ। ପୁରୀ ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଅନୁସାରେ ବ୍ରହ୍ମପୁରା ମନ୍ଦିରରେ ନୀତିକାନ୍ତି ହୋଇଥାଏ। ଝାଡୁଆପଡ଼ାର ସୂପକାର ପରିବାର ମନ୍ଦିରକୁ ଜମି ସହିତ ଅନ୍ୟ ସଂପତ୍ତି ଦାନ କରିଛନ୍ତି। ଝୁଲଣ ସମୟରେ ପ୍ରତିବର୍ଷ ମନ୍ଦିରରେ ସଂଚାର କଳାର ପ୍ରଦର୍ଶନ ଜରିଆରେ ଏହି କଳାର ସଂରକ୍ଷଣ, ସାମୂହିକ ବ୍ରତୋପନୟନ ସମେତ ବିବିଧ ସାମାଜିକ କାର୍ଯ୍ୟରେ ମନ୍ଦିରର ମହତ୍ବପୂର୍ଣ୍ଣ ଯୋଗଦାନ ରହି ଆସିଛି। ରାଜଶାସନ ସମୟରେ ଯେ କେହି ମନ୍ଦିର ନିର୍ମାଣ କରୁନଥିଲେ। ରାଜଶାସନର ସମାପ୍ତି ପରେ ଧନୀ ବ୍ୟକ୍ତି, ଜମିଦାର, ଗୌନ୍ତିଆଙ୍କ ଦ୍ବାରା ମନ୍ଦିର ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଫଳ ସ୍ବରୂପ ସମ୍ବଲପୁର ଜଗନ୍ନାଥମୟ ହୋଇ ଉଠିଲା। ସମ୍ବଲପୁର ଜିଲ୍ଲାର ଅଧିକାଂଶ ରାଜସ୍ବ ଗ୍ରାମରେ ଜଗନ୍ନାଥ ମନ୍ଦିର ରହିଛି। ସମ୍ବଲପୁର ସହରରେ ପ୍ରାୟ ୨୭ଟି ମଠ ମନ୍ଦିରରେ ଜଗନ୍ନାଥ ପୂଜିତ ହେଉଛନ୍ତି। ବିଧି ଅନୁସାରେ ବ୍ରହ୍ମପୁରା ମନ୍ଦିରରେ ପ୍ରଥମେ ପହଣ୍ଡି ଓ ରଥଟଣା ହେଲେ ଅନ୍ୟାନ୍ୟ ମନ୍ଦିରର ରଥରେ ପହଣ୍ଡି ହୁଏ।