ବ୍ରହ୍ମପୁର-କାଳଷଣ୍ଢପୁର ରାସ୍ତାର ରୂପ ବଦଳିବ : ରାସ୍ତାର ଚଉଡ଼ା ୩ମିଟର ବଢିବ, ଖର୍ଚ୍ଚ ହେବ ୧୩୬ କୋଟି

ଶୋଚନୀୟ ହୋଇପଡ଼ିଛି ଫାଷ୍ଟଗେଟ୍‌ ଠାରୁ ଗେଟବଜାର ରାସ୍ତା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାର ରେଶମୀ ନଗରୀ ବ୍ରହ୍ମପୁର ଠାରୁ ନୂଆପଡ଼ା ଜିଲ୍ଲାର ଖରିଆରକୁ ଛୁଇଁଛି ଜାତୀୟ ରାଜପଥ-୫୯। ତେବେ ଆସିକା ଉପକଣ୍ଠ କାଳଷଣ୍ଢପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ବିଶେଷକରି ଫାଷ୍ଟଗେଟ ଠାରୁ ଗେଟବଜାର ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଦୟନୀୟ ରହିଛି। ତେବେ କାଳଷଣ୍ଢପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରି ନୂଆ ରୂପ ଦେବା ଲାଗି ଉଦ୍ୟମ ଆରମ୍ଭ କରିଛି ଜାତୀୟ ରାଜପଥ ବିଭାଗ।

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୫୯ର ପୂର୍ବରୁ ଜାତୀୟ ରାଜପଥ-୨୧୭ ଥିଲା। ପରବର୍ତ୍ତୀ ସମୟରେ ଏହାର ନାମକରଣ ଜାତୀୟ ରାଜପଥ-୫୯ ହୋଇଛି। ୩୫୨କିମି ବିଶିଷ୍ଟ ଏହି ଜାତୀୟ ରାଜପଥ ବ୍ରହ୍ମପୁର-ଆସିକା-ସୋରଡ଼ା-ବାଲିଗୁଡ଼ା-ଲଙ୍କାଗଡ଼-ଟିଟଲାଗଡ଼ ଦେଇ ଖରିଆର ପର୍ଯ୍ୟାନ୍ତ ବ୍ୟାପ୍ତ। ଏହି ଜାତୀୟ ରାଜପଥ ବ୍ରହ୍ମପୁର ନିକଟରେ ଏନ୍‌ଏଚ୍‌-୧୬, ଆସିକା ନିକଟରେ ଏନ୍‌ଏଚ୍‌-୧୫୭ ଓ ୩୨୬ ଏବ˚ ଖରିଆର ନିକଟରେ ଏନ୍‌ଏଚ୍‌-୩୫୩କୁ ଛୁଇଁଛି। ଏହା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଏକ ଗୁରୁତ୍ୱପୂର୍ଣ୍ଣ ଅ˚ଶ ହେଉଛି ଆସିକା ଉପକଣ୍ଠ କାଳଷଣ୍ଢପୁର ଠାରୁ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଲେଭଲ କ୍ରସି˚ ନିକଟ ନିକଟସ୍ଥ ଏନ୍‌ଏଚ୍‌-୧୬ ପର୍ଯ୍ୟନ୍ତ ରାସ୍ତା। କାଳଷଣ୍ଢପୁର ଠାରୁ ବ୍ରହ୍ମପୁର ଫାଷ୍ଟଗେଟ ମଧ୍ୟରେ ବିଭିନ୍ନ ସ୍ଥାନରେ ନିଚା କଲଭର୍ଟ ରହିଛି। ବଡ ଧରଣ ବର୍ଷା ହେଲା ପୋଚିଲିମା, ହିଞ୍ଜଳି ଓ ପିତଳ ଛକ ଆଦି ସ୍ଥାନରେ ପାଣି ଲହଡ଼ି ମାରୁଛି। ବିଶେଷକରି ପୋଚିଲିମା ନିକଟରେ ବର୍ଷା ଜଳ ପ୍ରବାହିତ ହେଲେ ଯାନବାହନା ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ରାସ୍ତା ନଷ୍ଟ ହୋଇ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଏହି ଜାତୀୟ ରାଜପଥର ଫାଷ୍ଟଗେଟ ଠାରୁ ଗେଟବଜାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ବର୍ଷା ହେଲେ କର୍ପୋରେସନ ରୋଡ଼ ଛକ ଠାରୁ ଶ୍ରୀରାମ ନଗର ଛକ ନିକଟରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଛି। ସେହିପରି ଫାଷ୍ଟଗେଟ ଶିଶୁ ଉଦ୍ୟାନ ନିକଟରେ ପାଣି ଜମି ରହୁଛି। ଫାଷ୍ଟଗେଟ ଠାରୁ ଗେଟବଜାର ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଖାଲଖମା ହୋଇଯାଇଛି। ବ୍ରହ୍ମପୁର ସହରବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗର ନିର୍ବାହୀଯନ୍ତ୍ରୀ ସତ୍ୟ ନାରାୟଣ ସାହୁ କହିଛନ୍ତି ଯେ, କାଳଷଣ୍ଢପୁର ଠାରୁ ରତନପୁର ପର୍ଯ୍ୟନ୍ତ ରାସ୍ତାକୁ ଚଉଡ଼ା କରାଯିବ। ଏହି ରାସ୍ତା ୭ମିଟର ଚଉଡ଼ା ରହିଛି ତାହାକୁ ୧୦ମିଟର ଚଉଡ଼ା ଓ ପିଚୁ ହେବ। ଏଥିସହ ସମସ୍ତ ପୁରୁଣା କଲର୍ଭଟକୁ ଭାଙ୍ଗି ନୂତନ ଉଚ୍ଚା କଲଭର୍ଟ ନିର୍ମାଣ କରାଯିବ। ଏଥିଲାଗି ୧୩୬କୋଟିର ବ୍ୟୟ ଅଟକଳ ହୋଇଛି। ଟେଣ୍ତର ସରିଛି। ଖୁବଶୀଘ୍ର ଏଗ୍ରିମେଣ୍ଟ ହୋଇ କାମ ଆରମ୍ଭ ହେବ। ସେହିପରି ଫାଷ୍ଟଗେଟ୍‌ ଠାରୁ ଜଗନ୍ନାଥପୁର ଲେଭେଲ କ୍ରସି˚ (ଏନ୍‌ଏଚ୍‌-୧୬) ପର୍ଯ୍ୟନ୍ତ ରାସ୍ତାର ବିକାଶ ଲାଗି ୧୭କୋଟିର ବ୍ୟୟ ଅଟ୍ଟକଳ ହୋଇଛି। ଏହି କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର