ହଜାଇ ଦେଲେଣି ବ୍ରହ୍ମପୁର ପାଟ : ଉପଯୁକ୍ତ ମଜୁରି ମିଳୁ ନଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ବୁଣାକାର

ଯୁବ ବୁଣାକାର ଅଭାବ, ୯୫ % ବୟସ୍କ, ୩ ସୋସାଇଟିରେ ବିକ୍ରି ପାଇଁ ପାଟ ନାହିଁ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ବ୍ରହ୍ମପୁରର ଗୌରବ ‘ପାଟବସ୍ତ୍ର’। ଉନ୍ନତ ମାନର ଓ ସ୍ବତନ୍ତ୍ର ପାଟଶାଢ଼ି ବୁଣା ପାଇଁ ବ୍ରହ୍ମପୁର ସହର ସମଗ୍ର ଦେଶରେ ସୁପରିଚିତ। ଏଥିପାଇଁ ବ୍ରହ୍ମପୁର ସହରକୁ ରେଶମ ନଗରୀ ତଥା ସିଲ୍କ ସିଟିର ମାନ୍ୟତା ମିଳିଛି। ହେ‌ଲେ ବ୍ରହ୍ମପୁରର ଗୌରବ ବୋଲାଉଥିବା ପାଟବସ୍ତ୍ର କୁଟୀର ଶିଳ୍ପ ଏବେ ସଂକଟରେ। ବୁଣାକାରଙ୍କୁ ଉପଯୁକ୍ତ ମଜୁରି ମିଳୁ ନଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ବି ନାହିଁ। ଫଳରେ ଅଧିକ ଦି ପଇସା ରୋଜଗାର କରିବାକୁ ବୁଣାକାରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇନେଇ ଅନ୍ୟ ଜୀବିକା ଆପଣାଇଛନ୍ତି। ବୁଣାକାର ପରିବାରର ଯୁବକଯୁବତୀମାନେ ମଧ୍ୟ ଏହି ବୃତ୍ତି ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଫଳରେ ବ୍ରହ୍ମପୁର ପାଟଶାଢ଼ିର ଚାହିଦା ରହିଥିଲେ ହେଁ, ଏହାର ଉତ୍ପାଦନ କମିବାରେ ଲାଗିଥିବାରୁ ବଜାରରେ ଏହା ଆଉ ଉପଲବ୍ଧ ହେଉନି। କାଁ ଭାଁ କିଛି ବୁଣାକାର କଷ୍ଟେମଷ୍ଟେ ଏହି ବୃତ୍ତିରେ ଅଛନ୍ତି। ଏଭଳି ସ୍ଥିତି ବଜାୟ ରହିଲେ ଆଉ କିଛି ବର୍ଷ ପରେ ବ୍ରହ୍ମପୁର ପାଟ ଇତିହାସ ପାଲଟିଯିବ।

ପ୍ରାୟ ୨୦୦ ବର୍ଷ ତଳେ ମହୁରୀ ରାଜାଙ୍କ ରାଜା ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ କିଛି ଦେବାଙ୍ଗ ସମ୍ପ୍ରଦାୟର ବୁଣାକାରଙ୍କୁ ଆଣି ପୁରୁଣାବ୍ରହ୍ମପୁରର ବାଲୁଙ୍କେଶ୍ବରପେଟ୍ଟା ଅଞ୍ଚଳରେ ରଖିଥିଲେ। ସେଠାରେ ଏହି ବୁଣାକାରମାନେ ପାଟବସ୍ତ୍ର ବୁଣିବା ଆରମ୍ଭ କରିଥିଲେ। ସମୟଚକ୍ରରେ ସହରରେ ଧୀରେ ଧୀରେ ଏହି ବସ୍ତ୍ରର ପ୍ରସାର ହୋଇଥିଲା। ଦେବାଙ୍ଗ ସମ୍ପ୍ରଦାୟର ଲୋକମାନେ ପୁରୁଷାନୁକ୍ରମେ ପାରମ୍ପରିକ ଶୈଳୀରେ ତନ୍ତ ସାହାଯ୍ୟରେ ପୁରୁଷମାନଙ୍କ ଲାଗି ‘ଯୋଡ଼ ଏବ˚ ମହିଳାଙ୍କ ପାଇଁ ରେଶମ ପାଟଶାଢ଼ି’ ପ୍ରସ୍ତୁତ କରୁଛନ୍ତି। ପାରମ୍ପରିକ ଶୈଳୀ ସହ ଫୋଡ଼କୁମ୍ଭ ଡିଜାଇନ୍ ହେଉଛି ବ୍ରହ୍ମପୁର ପାଟଶାଢ଼ିର ସ୍ବତନ୍ତ୍ରତା। ଏହାସହ ଧଡ଼ିରେ ହେଉଥିବା ଜରି କାମ ଅନ୍ୟାନ୍ୟ ବସ୍ତ୍ର ତୁଳନାରେ ନିଆରା।

ସହରର ବାଲୁଙ୍କେଶ୍ବରପେଟ୍ଟା, ଗୋବର୍ଦ୍ଧନପେଟ୍ଟା ଓ ଦେଶୀବେହେରା ସାହି ଅଞ୍ଚଳରେ ପ୍ରାୟ ୪ଶହରୁ ୫ଶହ ବୁଣାକାର ପରିବାର ପାଟବସ୍ତ୍ର ବୁଣାବୁଣି କରୁଥିଲେ। ଦିନ ଥିଲା ଏହି ପାଟବସ୍ତ୍ର ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ଦେଶକୁ ରପ୍ତାନି ହେଉଥିଲା। ବ୍ରହ୍ମପୁର ପାଟଶାଢ଼ିକୁ ଭୌଗୋଳିକ ସୂଚାଙ୍କ (ଜିଆଇ ମାର୍କ) ମିଳିସାରିଛି।

ତେବେ ସରକାରଙ୍କ ପ୍ରୋତ୍ସାହନ ଓ ଦୂରଦୃଷ୍ଟି ଅଭାବ କାରଣରୁ ବ୍ରହ୍ମପୁର ପାଟବସ୍ତ୍ରର କୁଟୀର ଶିଳ୍ପ ଧୀରେ ଧୀରେ ସତ୍ତା ହରାଇବାକୁ ବସିଛି। ବ୍ରହ୍ମପୁରରେ ୩ଟି ବୁଣାକାର ସମବାୟ ସ˚ସ୍ଥା ତଥା ସୋସାଇଟି ରହିଛି। ସୋସାଇଟି ବୁଣାକାରଙ୍କୁ ରେଶମ ପାଟ ସୂତା ଓ ରଙ୍ଗ ଯୋଗାଇଥାଏ। ବୁଣାକାରମାନେ ତନ୍ତରେ ପାଟଶାଢ଼ି ପ୍ରସ୍ତୁତ କରି ସୋସାଇଟିକୁ ଦେଇଥାନ୍ତି। ଗୋଟିଏ ୫.୫ମିଟର ଶାଢ଼ି ବୁଣିବା ପାଇଁ ୨୫ଶହରୁ ୨୯ଶହ ଓ ଯୋଡ଼ ଲାଗି ୨ହଜାର ରୁ ୨୪ଶହ ଟଙ୍କା ପର୍ଯ୍ୟନ୍ତ ବୁଣାକାର ମାନେ ମଜୁରି ଆକାରରେ ପାଇଥାନ୍ତି। ଜଣେ ବୁଣାକାର (ପରିବାରର ୩ଜଣ ସଦସ୍ୟ) ମାସକରେ ୩ ରୁ ୪ଟି ପାଟଶାଢ଼ି କିମ୍ବା ଯୋଡ଼ ବୁଣିପାରିବେ। ଗୋଟିଏ ବୁଣାକାର ପରିବାର ୪ଟି ଶାଢ଼ି ବୁଣିଲେ ମଜୁରି ୧୨ହଜାର ଟଙ୍କା ପାଉଥିବା ବେଳେ ତାହା ଜଣେ ଶ୍ରମିକଙ୍କ ସର୍ବନିମ୍ନ ମଜୁରିଠାରୁ ବି କମ୍‌।

ଉପଯୁକ୍ତ ମଜୁରି ଓ ପ୍ରୋତ୍ସାହନ ମିଳୁ ନ ଥିବାରୁ ବୁଣାକାରମାନେ ବୁଣାବୁଣି ଛାଡ଼ି ସାରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବର୍ତ୍ତମାନ ଯେଉଁମାନେ ବୁଣାବୁଣି କରୁଛନ୍ତି ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ବୟସ୍କ। ଯୁବ ବୁଣାକାର ନାହାନ୍ତି କହିଲେ ଚଳେ। ବୁଣାକାର ପରିବାରର ପୁଅଝିଅମାନେ କୌଳିକ ବୃତ୍ତି ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଫଳରେ ଏହି ପାରମ୍ପରିକ କୁଟୀର ଶିଳ୍ପ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୫୭ ମସିହାରେ ପ୍ରତିଷ୍ଠିତ ବ୍ରହ୍ମପୁର ସିଲ୍‌କ୍ ୱିଭର୍ କୋପରେଟିଭ୍ ସୋସାଇଟିରେ ୩୨ଜଣ ବୁଣାକାର ପରିବାର ସଦସ୍ୟ ଥିଲେ। ସେଥିରୁ ମାତ୍ର ୨୦ଜଣ ପରିବାର ଏବେ ବୁଣାବୁଣି କରୁଛନ୍ତି। ସେହିପରି ବ୍ରହ୍ମପୁର କଟନ୍ ଆଣ୍ତ ସିଲ୍‌କ୍ ୱିଭର୍ କୋପରେଟିଭ୍ ସୋସାଇଟିରେ ୯୪ଜଣ ବୁଣାକାର ସଦସ୍ୟ ରହିଥିବା ବେଳେ ମାତ୍ର ୨୦ଜଣ ବୁଣାବୁଣି କରୁଛନ୍ତି। ଚୁଡେ଼ଶ୍ବର ସିଲ୍‌କ ୱିଭର୍ କୋପରେଟିଭ୍ ସୋସାଇଟିରେ ୬୫ ବୁଣାକାର ସଦସ୍ୟ ଥିବା ବେଳେ ମାତ୍ର ୨୫ଜଣ ବୁଣାବୁଣି କରୁଥିବା ଜଣାପଡ଼ିଛି। ସେହିପରି ସୋସାଇଟିରେ କିଛି ଅଣପଞ୍ଜୀକୃତ ବୁଣାକାର ଅଛନ୍ତି। ସେମାନେ ମହାଜନଠାରୁ ସୂତା କିଣି କରି ଆଣି ଯୋଡ଼ ଓ ଶାଢ଼ି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଉତ୍ପାଦନ ନ ଥିବାରୁ ବଜାରରେ ପାଟ ବି ଉପଲବ୍ଧ ହେଉନାହିଁ। ୩ଟି ଯାକ ସୋସାଇଟିରେ ଗତ କିଛି ମାସ ହେଲା ବିକ୍ରି ଲାଗି ପାଟ ନାହିଁ। ‘ଆପେକ୍ସ’, ‘ବୟନିକା ଓ ‘ଉତ୍କଳିକା’ ଆଦିରେ ବ୍ରହ୍ମପୁର ପାଟ ମିଳୁନାହିଁ।

ବ୍ରହ୍ମପୁର ପାଟଶାଢ଼ି ବୁଣାକାର ସ˚ଘର ସମ୍ପାଦକ କେ.ଭୀମାରାଜୁ କହନ୍ତି, ୨୦୦୩ରେ ସଂଘ ଗଠନ ହୋଇଥିଲା। ସେତେବେଳେ ୩୧୪ ବୁଣାକାର ପରିବାର ବୁଣାବୁଣି କରୁଥିଲେ। ବର୍ତ୍ତମାନ ବ୍ରହ୍ମପୁରରେ ୧୧୪ପରିବାର ପାଟବସ୍ତ୍ର ବୁଣାବୁଣି କରୁଛନ୍ତି। ହେଲେ ଅଳ୍ପ ମଜୁରି ଓ ପ୍ରୋତ୍ସାହନ ଯୋଗୁଁ ସେମାନଙ୍କ ପ୍ରତିପୋଷଣ କଷ୍ଟସାଧ୍ୟ ପାଲଟିଛି।

ବୟନଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ପ୍ରସନ୍ନ କୁମାର ସିଂ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ପାଟଶାଢ଼ି ଓ ଯୋଡ଼ରେ ୭ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ମଜୁରି ବୃଦ୍ଧି କରାଯାଇଛି। ବୁଣାକାରଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳୁଛି। ବ୍ରହ୍ମପୁରର ବୁଣାକାରଙ୍କ ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ଉତ୍ପାଦନ କମ୍ ରହୁଥିବାରୁ ବଜାରରେ ଅଧିକ ମାତ୍ରାରେ ପାଟ ଉପଲବ୍ଧ ହେଉନାହିଁ। ଆଜି ବି ବ୍ରହ୍ମପୁର ପାଟ ନିଜର ଗୁଣବତ୍ତା ବଜାୟ ରଖିଛି।

ସମ୍ବନ୍ଧିତ ଖବର