ବ୍ରହ୍ମପୁର-ସମ୍ବଲପୁର ସର୍ଭେ ଶେଷ: ନୀତି ଆୟୋଗ ମଞ୍ଜୁରି, ଶୀତଳାପଲ୍ଲୀ ରେଲୱେ ୱାଗନ ଫ୍ୟାକ୍ଟ୍ରି ଆଶା ଉଜ୍ଜୀବିତ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ୍‌ ପ୍ରକଳ୍ପକୁ କେନ୍ଦ୍ର ରେଳ ମନ୍ତ୍ରାଳୟର ସବୁଜ ସଂକେତ ମିଳିଛି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ଓରିଡିଏଲ୍‌) ଦ୍ୱାରା ଏହି ପ୍ରକଳ୍ପ ପାଇଁ ଫାଇନାଲ୍‌ ସ୍ଥାନ ସର୍ବେକ୍ଷଣ ସରିଛି। ରିପୋର୍ଟ ଆଧାର କରି ଡିପିଆର୍‌ ପ୍ରସ୍ତୁତ କରାଯାଇଛି। ରେଳ ବିଭାଗ ନିକଟରେ ଡିପିଆର୍‌ ଦାଖଲ କରାଯାଇଥିବା ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ରଙ୍କ ତଥ୍ୟରୁ ଜଣାପଡ଼ିଛି। ନୀତି ଆୟୋଗର ମଞ୍ଜୁର ପରେ ଏହି ରେଳପଥ ପାଇଁ ବଜେଟ୍‌ ମଞ୍ଜୁର ହେବ ବୋଲି ସୂଚନା ମିଳିଛି।

ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହିତ ପଶ୍ଚିମ ଓଡ଼ିଶାର ସମ୍ବଲପୁରକୁ ରେଳପଥରେ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ପାଇଁ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସର୍ଭେ ପରେ ରେଳ ମନ୍ତ୍ରାଳୟ ନିକଟରେ ପ୍ରାଥମିକ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ନୂତନ ରେଳ ପ୍ରକଳ୍ପରେ ୧୬ଟି ଷ୍ଟେସନ୍‌ ରହିବ ବୋଲି ପ୍ରସ୍ତାବ ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁରରୁ ରେଢ଼ାଖୋଲ ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ନୂତନ ରେଳପଥ ବିଛାଯିବ। ଉଭୟ ଷ୍ଟେସନ୍‌ ମଧ୍ୟରେ ହିଂଜିଳି, ଆସିକା, ଭଞ୍ଜନଗର, ଚକାପାଦ, ଫୁଲବାଣୀ, ସାନମୁଣ୍ଡା, ବୌଦ୍ଧ ଓ କଦଳୀଗଡ଼ ରହିବ। ଫଳରେ ରେଳ ମାନଚିତ୍ରରୁ ବାଦ୍‌ ପଡ଼ିଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଏଥିରେ ସାମିଲ ହୋଇ ପାରିବ। ଯାହାକି ୨୪୧ କିଲୋମିଟର ହେବ ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପାତ୍ରଙ୍କ ଦ୍ବାରା ଆର୍‌ଟିଆଇରେ ମଗା ଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଆସନ୍ତାକାଲି କେନ୍ଦ୍ର ବଜେଟ୍‌ରେ ଏହି ପ୍ରକଳ୍ପ ପାଇଁ କିଛି ଅର୍ଥ ବରାଦ୍‌ ହେବ ବୋଲି ଆଶା କରାଯାଉଛି।

ସେହିପରି ଶୀତଳ ଭଣ୍ଡାରରେ ପଡ଼ିରହିଥିବା ଶୀତଳାପଲ୍ଲୀ ରେଲୱେ ୱାଗନ ଫ୍ୟାକ୍ଟ୍ରି ଆଶା ପୁଣିଥରେ ଉଜ୍ଜୀବିତ ହୋଇଛି। ରେଳ ବିଭାଗ ତରଫରୁ ଏହି ପ୍ରକଳ୍ପକୁ ଗତବର୍ଷ ମେ ମାସରେ ବାତିଲ ଘୋଷଣା କରାଯାଇଥିଲା। ଓଡ଼ିଶାକୁ ରେଳମନ୍ତ୍ରଣାଳୟ ମିଳିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ। ଏବେ ପୁଣିଥରେ ଏହି ପ୍ରକଳ୍ପ ଟ୍ରାକ୍‌କୁ ଫେରିଛି। ଶୀତଳାପଲ୍ଲୀରେ ‌ରେଲୱେ ୱାଗନ୍‌ ଫ୍ୟାକ୍ଟ୍ରି ନିମନ୍ତେ ୧୦୧.୬୦ ଏକର ଜମି ଚିହ୍ନଟ କରିବାକୁ ଭୁବନେଶ୍ବର ସ୍ଥିତ ଇଷ୍ଟକୋଷ୍ଟ୍‌ ରେଲୱେ ବିଭାଗ ତରଫରୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି କରାଯାଇଥିଲା। ଗତବର୍ଷ ଇଷ୍ଟକୋଷ୍ଟ୍‌ ରେଲୱେ ଜିଏମ୍‌ ଶୀତଳାପଲ୍ଲୀରେ ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ସେଠାରେ ୱାଗନ୍ ଫ୍ୟାକ୍ଟ୍ରି ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ ତରଫରୁ ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର