ଗଂଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ବ୍ରହ୍ମପୁରରେ ଶନିବାର ଠାରୁ ଲାଗୁ ହେବ ୪ ଦିନିଆ ସଟ୍‌ଡାଉନ୍‌

ଜିଲ୍ଲାପାଳ କହିଲେ- କରୋନା ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ ଦରକାର

ବ୍ରହ୍ମପୁର: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ କ୍ରମାଗତ ୪ ଦିନ (ଜୁନ ୨୭ରୁ ୩୦) ଯାଏଁ ସଟ୍‌ଡାଉନ ରହିବ। ଆସନ୍ତା ଶନିବାର ଦିନ ଠାରୁ ଏହା ଆରମ୍ଭ ହେବ। ମଙ୍ଗଳ ଦିନ ଯାଏଁ ସଟ୍‌ଡାଉନ୍‌ ବଳବତ୍ତର ରହିବ। ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ଗତ ସପ୍ତାହଠାରୁ ଗଂଜାମ ଜିଲ୍ଲାରେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଟଡାଉନ ସମୟରେ ଲୋକେ ଘରେ ରୁହନ୍ତୁ। ଯେତେବେଳେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ଆପଣଙ୍କର ଘରକୁ ପହଞ୍ଚିବେ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ସହଯୋଗ କରନ୍ତୁ। ସଟଡାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଜରୁରୀକାଳୀନ ଜିନିଷ ଖୋଲା ରହିବ। ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀମାନେ ଫେରିଛନ୍ତି, ସେହି ହେତୁ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଆମକୁ ଅଧିକ ସଚେତନ ରହିବାକୁ ପଡ଼ିବ। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହେବ। ମାସ୍କ ପିନ୍ଧିବାକୁ ପଡ଼ିବ। ହାତ ଧୋଇବା, ବାହାରାକୁ ଗଲେ ଲୋକଙ୍କ ଠାରୁ ୨ ମିଟର ଦୂରରେ ରହିବା।

ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସେ କହିଛନ୍ତି ସହରର ୭୦ଟିମ୍‌ ଜରିଆରେ ସ୍କ୍ରିନିଂ କରାଯିବ। ଏଥି ପାଇଁ ଟିମ୍‌ ଘରକୁ ଘର ବୁଲି ସ୍କ୍ରିନିଂ କରିବେ। କୌଣସି ଲକ୍ଷଣ ଥିଲେ ମେଡିକାଲ ଟିମ୍‌କୁ ସୂଚନା ଦିଅନ୍ତୁ ବୋଲି ଜିଲ୍ଲାପାଳ ଅପିଲ କରିଛନ୍ତି। ସେ କହିଛନ୍ତି, ସମସ୍ତେ ସହଯୋଗ କଲେ କରୋନା ନିୟନ୍ତ୍ରଣରେ ରହିବ।

ସମ୍ବନ୍ଧିତ ଖବର