ବ୍ରହ୍ମପୁରରେ ଆଜିଠୁ ୪ ଦିନିଆ ସଟ୍‌ଡାଉନ୍ : ବଜାରରେ ଅସମ୍ଭାଳ ଭିଡ଼, ବୋହି ନେଲେ ପନିପରିବା

ବ୍ରହ୍ମପୁର : କରୋନା ସଂକ୍ରମଣକୁ ରୋକିବା ଲାଗି ଆସନ୍ତାକାଲିଠୁ ବ୍ରହ୍ମପୁର ମହାନଗର ୪ଦିନ ପାଇଁ ସଟ୍‌ଡାଉନ୍‌ ହେବ। ଗତକାଲି ରାତି ୯ଟା ବେଳେ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ବ୍ରହ୍ମପୁର ସହରରେ ଆଜି ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ସହରବାସୀ ବଜାର ମୁହାଁ ହୋଇଥିଲେ। ସହରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। ଗହଳି ବଢ଼ିବା ସାଙ୍ଗକୁ ସମୟ ଯେତିକି ଗଡ଼ୁଥିଲା ବଜାରରେ ପନିପରିବା ଦର ବି ସେତିକି ଉଚ୍ଚା ହେବାରେ ଲାଗିଥିଲା। ଦିନ ୧୧ଟା ବେଳେ ସହରରେ ଅଧିକାଂଶ ବଜାର ପରିବା ଶୂନ୍ୟ ହୋଇ ଯାଇଥିଲା। ଏହାର ସୁଯୋଗ ନେଇ ବେପାରୀ ମନଇଚ୍ଛା ଦରରେ ବିକ୍ରି କରିଥିଲେ। ରେଶମନଗର ବାସିନ୍ଦା ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଇ ଆଜି ନାହିଁ ନ ଥିବା କଲବଲ ହୋଇଥିଲେ।

ଆଜି ସକାଳୁ ସକାଳୁ ବଡ଼ବଜାର ପରିବା ମାର୍କେଟ, ଗେଟ୍‌ ବଜାର ଭେଣ୍ଡିଂଜୋନ, ମର୍ଦ୍ଦରାଜ ଭେଣ୍ଡିଂଜୋନ ଆଦିରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବଜାର ଏତେ ଭିଡ଼ ଥିଲା ଯେ, କିଛି ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ବ୍ରହ୍ମପୁରରୁ ୫୩ ପଜିଟିଭ୍‌ ଚିହ୍ନଟ ପରେ ସହରବାସୀ କରୋନାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଭଳି ମନେ ହେଉଥିଲା। ବଜାରରେ ନା ଥିଲା ସାମାଜିକ ଦୂରତ୍ବ ନା ଥିଲା ସ୍ବଚ୍ଛତା। କାହାର ଥୋଡ଼ିରେ ମାସ୍କ୍‌ ଝୁଲୁଥିଲା ତ କିଏ ମାସ୍କ ପିନ୍ଧି ନ ଥିଲେ। ସମସ୍ତେ ଅତ୍ୟାବଶକ ସାମଗ୍ରୀ କଣିବା ଲାଗି କରୋନାକୁ ଭୁଲି ବେଫିକର ହୋଇ ଯାଇଥିଲେ। ବଜାରରେ ଏଭଳି ଗହଳି ସତ୍ତ୍ବେ ପ୍ରଶାସନର ଦେଖା ନ ଥିଲା। ମାସ୍କ ଓ ସାମାଜିକ ଦୂରତ୍ବ ଉଲ୍ଲଂଘନର ଯାଞ୍ଚ ବି ହେଉ ନ ଥିଲା।

Sakal Times

ଅନ୍ୟପକ୍ଷରେ ବଜାରରେ ବି ପରିବା ଠାରୁ ଆରମ୍ଭ କରି ଅତ୍ୟାବଶକ ସାମଗ୍ରୀ ଦର ଉଚ୍ଚା ରହିଥିଲା। ସବୁ ପରିବା ବଜାରରେ ବେପାରୀ ମନଇଚ୍ଛା ଦର ଲଗାଇଥିଲେ। ଲୋକ ବି ଆବଶ୍ୟକତା ଠାରୁ ଅଧିକ ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ବୋହି ନେଇଥିଲେ। ଗତକାଲି ଟମାଟୋ କିଲୋ ପିଛା ୪୦ଟଙ୍କା ବିକ୍ରି ହେଉଥିବା ବେଳେ ଆଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ବାଇଗଣ କେଜି ୪୦, ବିନସ୍‌ କେଜି ୬୦, ପୋଟଳ କେଜି ୪୦, କାଙ୍କଡ଼ କେଜି ୫୦, ପିଆଜ କେଜି ୨୫, ଭେଣ୍ଡି କେଜି ୩୦ ଟଙ୍କାରେ ବିକ୍ରି ହୋଇଥିଲା। ଏପରି କି ମଧ୍ୟାହ୍ନ ବେଳକୁ ମାର୍କେଟରୁ ମାଛ ଓ ଅଣ୍ଡା ଏକ ରକମର ଉଭାନ୍‌ ହୋଇଯାଇଥିଲା। ବିଶେଷକରି ବିସ୍କୁଟ୍‌, ମିକ୍ସଚର୍‌, ବ୍ରେଡ୍‌ ଆଦି ପାଇଁ କିଛି ଦୋକାନରେ ଲୋକଙ୍କ ଭିଡ଼ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର