ବ୍ରହ୍ମପୁର: ନିଶାର ମାୟାଜାଲରେ ଛନ୍ଦି ହୋଇଯାଇଛନ୍ତି ଯୁବପିଢ଼ି। କିଏ ନିଶାଦ୍ରବ୍ୟ ଚାଲାଣ କରୁଛି ତ, ଆଉ କାହା ପାଇଁ ନିଶାସେବନ ଅଭ୍ୟାସ ପାଲଟି ଗଲାଣି। ବ୍ରହ୍ମପୁର ସହରରେ ଏବେ ନକଲି ମଦ, ଗଂଜେଇ ଓ ଅଫିମ ପରେ ବ୍ରାଉନ୍‌ସୁଗାର କାରବାରର ଚେର ମଧ୍ୟ ଲମ୍ବିବାରେ ଲାଗିଛି। ପଶ୍ଚିମବଙ୍ଗରୁ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲା ହୋଇ ବ୍ରହ୍ମପୁର ତଥା ଆଖାପାଖ ଅଞ୍ଚଳକୁ ବ୍ରାଉନ୍‌ସୁଗାର ଚାଲାଣ କରୁଛନ୍ତି ମାଫିଆ। ସେହିପରି ବ୍ରହ୍ମପୁର ଦେଇ ରୀତିମତ ଗଂଜେଇ ଚାଲାଣ ହେଉଛି। ଅନ୍ତଃରାଜ୍ୟ ମାଫିଅମାନେ ଦଲାଲ୍‌ଙ୍କ ଜରିଆରେ ସେମାନଙ୍କ ରାକେଟ୍‌କୁ ସକ୍ରିୟ କରିଛନ୍ତି। ଏଥିପାଇଁ ସେମାନେ ବ୍ରହ୍ମପୁରକୁ ଟ୍ରାନ୍‌ଜିଟ୍ ପଏଣ୍ଟ୍ କରିଛନ୍ତି। ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ଗଜପତି ଜିଲ୍ଲାର ଦୁର୍ଗମ ଇଲାକାରୁ ଗଂଜେଇ ଅଣାଯିବା ପରେ ବ୍ରହ୍ମପୁର ଦେଇ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଛି। ଯାହାକି ବିଗତ ଦିନରେ ଅବକାରୀ ବିଭାଗର ଚଢ଼ଉରୁ ସ୍ପଷ୍ଟ ହୋଇଛି। ଏଭଳି ବେଆଇନ କାରବାରକୁ ରୋକିବା ପାଇଁ ଜୁନ୍‌ ୨୬ତାରିଖରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବ˚ ଅବୈଧ କାରବାର ନିରୋଧ ଦିବସ ପାଳନ କରାଯାଇଥାଏ। କିନ୍ତୁ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରା ନଯିବା ପର୍ଯ୍ୟନ୍ତ ନିଶାମୁକ୍ତ ସମାଜ ଗଠନ ସମ୍ଭବପର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Advertisment

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ଦକ୍ଷିଣାଞ୍ଚଳ ରେଞ୍ଜ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି। ୨୦୨୧-୨୨ ଆର୍ଥିକବର୍ଷରେ ମୋଟ ୬୨୨ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୫୬୨ଜଣଙ୍କୁ ଗିରଫ କରାଯାଇଥିଲା। ଜବତ ନିଶାଦ୍ରବ୍ୟ ଓ ଯାନବାହନର ଆନୁମାନିକ ମୂଲ୍ୟ ମୋଟ ୬ କୋଟି ୭୨ ଲକ୍ଷ ୧୩ ହଜାର ୮୬୦ ଟଙ୍କା ହୋଇଥିବା ଆକଳନ କରାଯାଇଥିଲା।

ସେହିପରି ୨୦୨୨-୨୩ରେ ମୋଟ ୧୧୫୫ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୦୬୫ ଜଣ ଗିରଫ ହୋଇଥିଲେ। ସେହିପରି ୧୪ କୋଟି ୧୨ ଲକ୍ଷ ୯୦ ହଜାର ଟଙ୍କାର ନିଶାଦ୍ରବ୍ୟ ଓ ଗାଡ଼ି ଜବତ କରାଯାଇଥିଲା। ଏହାସହ ୪ଟି ସ୍ଥାନରୁ ୫୪୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ, ସୁରାତ, ବିହାର, ଦିଲ୍ଲୀ ଓ ମୁମ୍ବାଇକୁ ଅଧିକ ଗ˚ଜେଇ ଚାଲାଣ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏପରିକି ବ୍ରହ୍ମପୁରରୁ ଗଂଜେଇ ନେଇଯାଉଥିବା ବେଳେ ଦିଲ୍ଲୀ ଓ ସୁରତରେ ବହୁ ମାଫିଆ ବିଗତ ଦିନରେ ଧରାପଡ଼ିଛନ୍ତି।

publive-image

ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ଗଜପତି ଜିଲ୍ଲାର ଦୁର୍ଗମ ଇଲାକାରେ ବହୁମାତ୍ରାରେ ଗ˚ଜେଇ ଚାଷ ହୋଇଥାଏ। ଗ˚ଜେଇକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଥିବା ବେଳେ କିଛି ଲୋକ ଲୁଚାଛପା ଏହି ଚାଷ କରିଥାନ୍ତି। ୧ କେଜି ଗ˚ଜେଇର ବଜାର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ରହିଛି। କିନ୍ତୁ ଦିଲ୍ଲୀ, ମୁ୍ମ୍ବାଇ ଓ ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ଏହାର ମୂଲ୍ୟ ଆହୁରି ଅଧିକ ରହିଥାଏ। ଏଣୁ କମ୍ ସମୟରେ ଅଧିକ ରୋଜଗାର କରିବା ଲୋଭରେ ପଡ଼ି ବିଭିନ୍ନ ବର୍ଗର ଲୋକେ ଗଂଜେଇ ଚାଲାଣ କରୁଛନ୍ତି। ଏହାପଛରେ ବହୁ ବଡ଼ ମାଫିଆଙ୍କ ହାତ ମଧ୍ୟ ରହିଛି।

ବିଗତ ଦିନରେ କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ଟିମ୍‌ ଗଞ୍ଜାମ ଜିଲ୍ଲାର କୋଦଳା, ଖଲ୍ଲିକୋଟ ଭଳି ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ଘରେ ଚଢ଼ଉ କରିଥିଲା। ଏବେ ବି କିଛି ମାଫିଆ ମୋଷ୍ଟ୍‌ ୱାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବିଭିନ୍ନ ଆଳରେ ଗଂଜେଇ ଚାଲାଣ ହେଉଛି। କନ୍ଧମାଳ ଓ ଗଜପତିରୁ ଗଂଜେଇ ଆଣି ବ୍ରହ୍ମପୁରରୁ ଟ୍ରେନ୍‌ ଯୋଗେ ବିଭିନ୍ନ ରାଜ୍ୟକୁ ପଠାଯାଉଛି। ସେହିପରି ବସ୍‌, କାର‌୍‌, ପିକ୍‌ଅପ୍‌ ଓ ଟ୍ରକ୍‌ରେ ମଧ୍ୟ ଗଂଜେଇ ଚାଲାଣ ହେଉଛି। ଏପରିକି ଫଳ ଦୋକାନ, ପରିବା ଦୋକାନରେ ବ୍ରାଉନ୍‌ସୁଗାର ବିକ୍ରି କରାଯିବା ଘଟଣା ବିଗତ ଦିନରେ ପର୍ଦ୍ଦାଫାସ୍‌ ହୋଇଛି।