ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆର୍ଥିକ ଅନିୟମିତତା ପ୍ରସଙ୍ଗ : ତଦନ୍ତ ପାଇଁ ଉଚ୍ଚଶିକ୍ଷା ସଚିବଙ୍କୁ କୁଳାଧିପତିଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଓ ଆର୍ଥିକ ଅନିୟମିତତା‌ର ତଦନ୍ତ ପାଇଁ ରାଜଭବନରୁ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟପାଳ ତଥା କୁଳାଧିପତି ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମାସକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏ ସଂକ୍ରାନ୍ତରେ କୁଳାଧିପତିଙ୍କ କାର୍ଯ୍ୟାଳୟର ଯୁଗ୍ମସଚିବ ଚିତ୍ତରଂଜନ ମହାନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଜାରି କରିଛନ୍ତି। ତଦନ୍ତ ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଆବଶ୍ୟକ ଫାଇଲ୍‌ ଯୋଗାଇବା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ବିରୋଧରେ ଗତ ୨୦୧୮ ଜାନୁଆରି ମାସରେ ବହୁ ସଙ୍ଗିନ୍‌ ଅଭିଯୋଗ ଆସିଥିଲା। ରାଜ୍ୟ ସରକାର ଏହାର ତଦନ୍ତ କରାଇଥିଲେ। କିନ୍ତୁ ତଦନ୍ତର କୌଣସି ଫଳ ଜଣାପଡ଼ି ନାହିଁ। ଚମାଖଣ୍ଡିର ଆର୍‌. ସନ୍ତୋଷ କୁମାର ରେଡ୍ଡି ଏହି ସବୁ ଘଟଣାର ତଦନ୍ତ ଭିଜିଲାନ୍ସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ଭଳି ସଂସ୍ଥା ଦ୍ବାରା କରାଇବାକୁ ଅନୁରୋଧ କରି ମାନ୍ୟବର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଏହା ଗ୍ରହଣ କରି କୁଳାଧିପତିଙ୍କ ନିକଟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଅନୁସାରେ କୁଳାଧିପତିଙ୍କ ନିକଟରେ ଆବେଦନ କରାଯାଇଥିଲା। ଆବେଦନକାରୀ ଦର୍ଶାଇଥିବା ସମସ୍ତ ଅଭିଯୋଗ ଉପରେ ଗୁରୁତ୍ବ ଦେଇ କୁଳାଧିପତି ତଦନ୍ତ କରାଇବେ ବୋଲି କୋର୍ଟ ଆଶାବ୍ୟକ୍ତ କରିଛନ୍ତି। କୋର୍ଟଙ୍କ ସେହି ନିର୍ଦ୍ଦେଶ କ୍ରମେ ବିଶ୍ବବିଦ୍ୟାଳୟରେ ହୋଇଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତିର ତଦନ୍ତ କରିବା ପାଇଁ ରାଜ୍ୟପାଳ ତଥା କୁଳାଧିପତି ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର