ଲକ୍‌ଡାଉନ୍‌ ପୂର୍ବରୁ ସରିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ +୩ ଶେଷ ସେମିଷ୍ଟର୍‌ ପରୀକ୍ଷା

ତ୍ବରିତ ଖାତା ଦେଖା ପାଇଁ ହେବ ୬ଟି କେନ୍ଦ୍ର, ଅନ୍‌ଲାଇନ୍‌ରେ ହେବ ପିଜିର ୨୫% ପାଠପଢ଼ା

ବ୍ରହ୍ମପୁର: ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବୈଠକ ପରେ ଆସନ୍ତା ଜୁଲାଇ ୨୪ସୁଦ୍ଧା ସମସ୍ତ ମହାବିଦ୍ୟାଳୟର +୩ ଶେଷ(ଷଷ୍ଠ) ସେମିଷ୍ଟର୍‌ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଇ କ୍ଷେତ୍ରରେ କିନ୍ତୁ କିନ୍ତୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଗୁଆ ଅଛି। ଏହା ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ +୩ ଶେଷ ସେମିଷ୍ଟର ପରୀକ୍ଷା ଲକ୍‌ଡାଉନ୍‌ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଛି।

ମାର୍ଚ୍ଚ ୨୦ରେ ଏହି ପରୀକ୍ଷା ଶେଷ ହୋଇଥିବା ବେଳେ ଖାତାଦେଖା ବାକି ଅଛି। ବିଶ୍ବବିଦ୍ୟାଳୟ ଖୋଲିବା ମାତ୍ରେ ଖାତା ଦେଖା ତ୍ବରାନ୍ବିତ ହେବ। ଏଥିପାଇଁ ଚଳିତବର୍ଷ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ପୂର୍ବରୁ ବିଶ୍ବବିଦ୍ୟାଳୟରେ ହିଁ ସମସ୍ତ ଖାତା ଦେଖା ହେଉଥିବା ବେଳେ ଏଥର ୬ଟି ‌ଖାତାଦେଖା କେନ୍ଦ୍ର ପାଇଁ ପୂର୍ବପ୍ରସ୍ତୁତି ହୋଇସାରିଛି। ଜୁନ୍ ୧୮ପରେ ଯଥାଶୀଘ୍ର ଅନ୍ୟ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ପିଜିର ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷାକୁ ଅଗଷ୍ଟ- ସେପ୍ଟେମ୍ବର ସୁଦ୍ଧା ଶେଷ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଜିର ବୈଠକ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ.ଗୋବିନ୍ଦ ଜେ.ଚକ୍ରପାଣିଙ୍କ ପ୍ରତିକ୍ରିୟା ଅନୁଯାୟୀ ଉକ୍ତ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସାରା ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ନଭେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ ହେବ।

ତେବେ ଏଥର ପାଠ୍ୟକ୍ରମର (ସିଲାବସ୍‌)ର ୨୫% ପାଠପଢ଼ା ଅନ୍‌ଲାଇନ୍‌ରେ କରିବା ପାଇଁ ସ୍ବତନ୍ତ୍ର ପଦ‌କ୍ଷେପ ନିଆଯିବ। ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ତଥାପି ଆସନ୍ତାମାସ ୧୮ରୁ ପ୍ରାୟ ମାସେ ପର୍ଯ୍ୟନ୍ତ ପିଜିର ଶେଷ ସେମିଷ୍ଟର୍‌ ଏବଂ ଦ୍ବିତୀୟ ସେମିଷ୍ଟର୍‌ ବିଦ୍ୟାର୍ଥୀଙ୍କ ଶିକ୍ଷାଦାନ ପରେ ପରୀକ୍ଷା କରାଯିବ। ତେବେ ଏସବୁ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ଭଳି ଅନ୍ୟାନ୍ୟ ଆବଶ୍ୟକ ପଦେକ୍ଷପକୁ ଗୁରୁତ୍ବ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର