ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ମିଳିଥିବା ନାକ୍‌ ‘ଏ-ଗ୍ରେଡ୍‌’କୁ ନେଇ ବିବାଦ ଉପୁଜିଛି। ନାକ୍‌ ୱେବ୍‌ସାଇଟ୍‌ରେ ରିପୋର୍ଟ ‘କେପ୍ଟ ଇନ୍‌ ଆବେୟନ୍ସ’ ଲେଖାଥିବାରୁ ସ‌ନ୍ଦେହ ଦେଖାଦେଇଛି। ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ନିଜ ଇନଷ୍ଟାଗ୍ରାମ୍‌ରେ ଏନେଇ ପୋଷ୍ଟ କରି କର୍ତ୍ତୃପକ୍ଷଙ୍କୁ ଟା‌ର୍ଗେଟ୍‌ କରିଛନ୍ତି। ‘କେପ୍ଟ ଇନ୍‌ ଆବେୟନ୍ସ’ ଉଲ୍ଲେଖ ଥିବାରୁ ବିଶ୍ବବିଦ୍ୟାଳୟକୁ ‘ଏ’ ମାନ୍ୟତା ମିଳିନଥିବା ସେ ଯୁକ୍ତି ଦର୍ଶାଇଛନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି। ଗତ ୯ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିଥିଲା ୨୬ତମ ସମାବର୍ତ୍ତନ ଉତ୍ସବ। ଏହି କାର୍ଯ୍ୟକ୍ରମରେ କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ ତାରିଖରେ ବିଶ୍ୱବିଦ୍ୟାଳୟକୁ ନାକ୍ ‘ଏ’ ମାନ୍ୟତା ମିଳିଥିଲା। ସମାବର୍ତ୍ତନ ଉତ୍ସବ ସଭାମଞ୍ଚରେ ବି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି ଘୋଷଣା ଦୋହରାଇଥିଲେ। ୩.୦୪ ସିଜିପିଏ ସ୍କୋର ସହ ‘ଏ’ ମାନ୍ୟତା ମିଳିଥିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ହେଲେ ଏବେ ନାକ୍‌ ୱେବସାଇଟ୍‌ରେ ରିପୋର୍ଟ ‘କେପ୍ଟ ଇନ୍‌ ଆବେୟନ୍ସ’ ଉଲ୍ଲେଖ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର।

Advertisment

ନାକ୍‌ ତରଫରୁ ବାସ୍ତବରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଗ୍ରେଡ୍‌ ସାର୍ଟିଫିକେଟ୍‌ ମିଳିଛି କି ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ସମାବର୍ତ୍ତନ ପୂର୍ବରୁ ଏହା କର୍ତ୍ତୃପକ୍ଷଙ୍କ ଶସ୍ତା ଲୋକପ୍ରିୟତା ସାଉଁଟିବା ମାନସିକତା ନୁହେଁ ତ(?) ବୋଲି ପ୍ରଶ୍ନ କରିଛନ୍ତି। ରିପୋର୍ଟ ‘କେପ୍ଟ ଇନ୍‌ ଆବେୟନ୍ସ’ ଥିଲେ ଗ୍ରେଡ୍‌ ମିଳିନଥାଏ ବରଂ କର୍ତ୍ତୃପକ୍ଷ ସମସ୍ତଙ୍କୁ ମିଛ କହୁଥିବା ଧରି ନିଆଯିବ ବୋଲି ପ୍ରଫେସର ମହାପାତ୍ର ଦର୍ଶାଇଛନ୍ତି। ଏପରିକି ସେ ନାକ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଏନେଇ କଥା ହୋଇଥିବା ‘କନକ ନ୍ୟୁଜ୍‌’କୁ ସାକ୍ଷାତକାର ଦେଇ ପ୍ରଫେସର ମହାପାତ୍ର କହିଛନ୍ତି। ସେପଟେ ପୂର୍ବତନ କୁଳପତିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ। ନାକ୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟରେ ସର୍ଭେ ପରେ ୩.୦୪ ସିଜିପିଏ ସ୍କୋର ମିଳିଛି। ଯେହେତୁ ବିଶ୍ୱବିଦ୍ୟାଳୟ ଅଧିକ ସ୍କୋର ମିଳିବା ନେଇ ଆଶାବାଦୀ ଥିଲା, ତେଣୁ ପୁନଃମୂଲ୍ୟାୟନ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ନାକ୍‌କୁ ଚିଠି ଲେଖାଯାଇଥିବା ସେ କହିଛନ୍ତି। ଗତ ଅଗଷ୍ଟ ୮ ତାରିଖ ସନ୍ଧ୍ୟାରେ ନାକ୍‌ ପକ୍ଷରୁ ଗ୍ରେଡ୍‌ ‘ଏ’ ପ୍ରମାଣପତ୍ର ମେଲ୍‌ ଯୋଗେ ମିଳିଥିଲା। ତେବେ ଅଧିକ ସ୍କୋର୍‌ ଆଶାବାଦୀ ଅଛୁ ଏବଂ ପୁନଃମୂଲ୍ୟାୟନ ଲାଗି ନାକ୍‌କୁ ଆବେଦନ କରିଛୁ। ସେଥିପାଇଁ ରିପୋର୍ଟ ‘କେପ୍ଟ ଇନ୍‌ ଆବେୟନ୍ସ’ ଉଲ୍ଲେଖ ଥିବା କୁଳପତି ଶ୍ରୀମତୀ ଦାଶ କହିଛନ୍ତି।