ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଛାତ୍ର ସମେତ ୫ ଗିରଫ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଗତକାଲି ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ଆଜି ପୁଲିସ ଗୋଟିଏ ଗୋଷ୍ଠୀର ୫ଜଣଙ୍କୁ ଗିରଫ କରିଛି। ତନ୍ମଧ୍ୟରେ ୩ ଜଣ ଛାତ୍ର ଓ ୨ ଅଣଛାତ୍ର ରହିଛନ୍ତି। ପୁଲିସ ଗିରଫ କରିଥିବା ୫ ଜଣ ହେଲେ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଅଣଛାତ୍ର ଭବାନୀକାନ୍ତ ସାହୁ, ଅଣଛାତ୍ର ଧରଣୀଧର ଡାକୁଆ, ଛାତ୍ର ଆଶୁତୋଷ ସାହୁ, ଗୋପାଳକୃଷ୍ଣ ସ୍ବାଇଁ, ଦୀନେଶ ମିଶାଲ। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପୂର୍ବତନ ସଭାପତି ଭବାନୀଙ୍କୁ ପୁଲିସ ଆଜି ସଂଧ୍ୟାରେ ଭୁବନେଶ୍ବରରୁ ଧରି ବ୍ରହ୍ମପୁର ଆଣିଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଆଜି ବିଶ୍ବବିଦ୍ୟାଳୟରେ ଶାନ୍ତ ପରିବେଶ ଥିଲା। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ ତରଫରୁ ବ୍ରହ୍ମପୁର ଏସପି, ଗୋପାଳପୁର ଥାନା ଅଧିକାରୀ ଓ ଭଂଜବିହାର ଫାଣ୍ଡିକୁ ଚିଠି କରାଯାଇଛି। ସେହିପରି ଅଣଛାତ୍ରଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ଅନୁରୋଧ କରାଯାଇଛି। ଆଜି କ୍ୟାମ୍ପସ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରା ଯାଇଥିଲା। ଗୋପାଳପୁର ଥାନା ଅଧିକାରୀଙ୍କ ନେତୃତ୍ବରେ କ୍ୟାମ୍ପସ୍‌ରେ ୩ ସେକ୍ସନ୍‌ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭଂଜବିହାର କ୍ୟାମ୍ପସ୍‌ରେ ଥିବା ଆନନ୍ଦ ବଜାରରେ ଗତକାଲି ଦୁଇ ଅଣଛାତ୍ର ନେତାଙ୍କ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଅଣଛାତ୍ର ଦେବାଶିଷ ମିଶ୍ର ଗୁରୁତର ହୋଇଥିଲେ। ଖବର ପାଇ ଭଂଜବିହାର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦେବାଶିଷଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବା ବେଳେ ଗୋଟିଏ ଗୋଷ୍ଠୀର ଦୁଇଜଣ ଛାତ୍ରକୁ କାବୁ କରି ଥାନାରେ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର