ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଭୁଶୁଡ଼ିଲା ୪୦ ବର୍ଷର ଛାତ୍ରୀନିବାସ, ଦୁର୍ଘଟଣାରୁ ବର୍ତ୍ତିଲେ ଛାତ୍ରୀ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଶିକ୍ଷାର ମନ୍ଦିର କୁହାଯାଉଥିବା ଭଞ୍ଜବିହାର ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୪୦ ବର୍ଷର ପୁରୁଣା ଛାତ୍ରୀନିବାସ ଗୁରୁବାର ଅପରାହ୍ଣରେ ହଠାତ୍‌ ଭୁଶୁଡ଼ି ପଡ଼ିଛି। ଛାତ୍ରୀ ନିବାସର କାନ୍ଥ ଓ ପାଚେରୀ ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାରେ କାହାରି କିଛି ଅସୁବିଧା ହୋଇନାହିଁ।

ବିଶ୍ୱବିଦ୍ୟାଳୟର ‘ସାବେରୀ ଛାତ୍ରୀ ନିବାସ’ ୧୯୭୯ରେ ନିର୍ମାଣ ହୋଇଥିଲା। ଏଠାରେ ଏବେ ୧୦୭ ଜଣ ଛାତ୍ରୀ ରହୁଥିଲେ। ଦୁର୍ଘଟଣା ସମୟରେ ସମସ୍ତ ଛାତ୍ରୀ ଅଧ୍ୟୟନ ପାଇ ଯାଇଥିଲେ। କେବଳ ୨ରୁ ୩ ଜଣ ଛାତ୍ରୀ ହଷ୍ଟେଲରେ ଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସର ୬ଟି କୋଠରୀର ଛାତ ଭୁଷୁଡି ପଡିଛି। ସାବେରୀ ଛାତ୍ରୀ ନିବାସକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିପଦଜ୍ଜନକ ଘୋଷଣା କରିଛନ୍ତି।

ହଷ୍ଟେଲର କାନ୍ଥ ଓ ପାଚେରୀ ଅଚାନକ ଭୁଶୁଡ଼ିବା ପରେ ଛାତ୍ରୀମାନେ ଏବାବଦରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଛାତ୍ରୀ ମାନଙ୍କୁ ଅନ୍ୟ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ଛାତ୍ରୀ ନିବାସର କାନ୍ଥ ଓ ପାଚେରୀ ଅଚାନକ ଭୁଶୁଡ଼ି ପଡ଼ିଲା ତାହା ଜଣାପଡ଼ି ନଥିଲେ ବି କୋଠାଟି ପୁରୁଣା ହୋଇ ଦୁର୍ବଳ ହୋଇଯାଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର