ବ୍ରହ୍ମପୁର: ଥିଲା ‘ଏ’, ହେଲା ‘ବି। ନାକ୍ ଟିମ୍ର ପରିଦର୍ଶନ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ‘ବି’ ଗ୍ରେଡ଼୍ ମାନ୍ୟତା ମିଳିଛି। ଏହି ମାନ୍ୟତାକୁ ନେଇ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାରା ଦକ୍ଷିଣ ଓଡ଼ିଶାର ବୁଦ୍ଧୀଜୀବୀଙ୍କୁ ଆନ୍ଦୋଳିତ କରିଛି। ୨୦୧୬ମସିହାରେ ଏହି ବିଶ୍ବବିଦ୍ୟାଳୟକୁ ନାକ୍ ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିଲା। ଏହାର ୬ବର୍ଷ ପରେ ଅର୍ଥାତ୍ ଗତମାସରେ ୫ଜଣିଆ ‘ନାକ୍’ ଟିମ୍ ପୁଣିଥରେ ଏହି ବିଶ୍ବବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ଯାଞ୍ଚ୍ କରିବାକୁ ଆସିଥିଲେ। କିନ୍ତୁ, ବର୍ତ୍ତମାନର ବିଶ୍ବବିଦ୍ୟାଳୟ ସ୍ଥିତିକୁ ତଦାରଖ କରିବା ପରେ ଅସନ୍ତୋଷ ବ୍ୟକ୍ତ କରି ଫେରି ଯାଇଥିଲେ। ପରିଣାମ ସ୍ବରୂପ ସେମାନେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଭିତ୍ତିକରି ଏହି ବିଶ୍ବବିଦ୍ୟାଳୟକୁ ‘ବି’ ଗ୍ରେଡ଼୍ ମିଳିଥିବା ଜଣାପଡ଼ିଛି। ‘ନାକ୍’ ଟିମ୍କୁ ଡକାଇବା ପୂର୍ବରୁ ଏଥର ଉନ୍ନତ ମାନ୍ୟତା ପାଇବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଥିଲେ। ବିଶ୍ବବିଦ୍ୟାଳୟକୁ ନୂଆ ରୂପ ଦେବାପାଇଁ ମାସାଧିକ କାଳ ସାଜସଜ୍ଜା ଚାଲିଥିଲା। କୋଠାବାଡ଼ିରେ ନୂଆ ରଙ୍ଗ ଲାଗିଥିଲା। ସଫେଇକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ସୁଦୃଶ୍ୟ ଫଳକ ବି ଲଗାଇଥିଲେ। ଏହା ନାକ୍ ଟିମ୍କୁ କାହିଁକି ସନ୍ତୁଷ୍ଟ କରିପାରିଲାନି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ବିଶ୍ବବିଦ୍ୟାଳୟର ନାକ୍ ମାନ୍ୟତା ହ୍ରାସକୁ ନେଇ ନିରାଶ ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ନାକ୍ ଟିମ୍ ଗତ ୫ବର୍ଷରେ ବିଶ୍ବବିଦ୍ୟାଳୟର ସଫଳତା, ଅସଫଳତା ସବୁକୁ ତର୍ଜମା କରିଥିଲେ। ଏହି ୫ବର୍ଷ ମଧ୍ୟରେ ଶୈକ୍ଷିକ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ପାଠାଗାର ପାଇଁ ଗତ ୫ବର୍ଷ ମଧ୍ୟରେ ନୂଆ ବହି କିଣା ଯାଇନାହିଁ। କୌଣସି ବିଦେଶୀ ବିଶ୍ବବିଦ୍ୟାଳୟ ସହ ଏହି ବିଶ୍ବବିଦ୍ୟାଳୟର ବୁଝାମଣା ସ୍ବାକ୍ଷର ହୋଇନାହିଁ। ଛାତ୍ରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ବିଶ୍ବବିଦ୍ୟାଳୟ ପଛୁଆ ରହିଛି। କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟର ଅନୁମୋଦିତ ଶିକ୍ଷକ ପଦବି ୧୮୪ଥିବା ବେଳେ ନାକ୍ ଟିମ୍ ଆସିବା ବେଳେ ମାତ୍ର ୭୩ଜଣ ଶିକ୍ଷକ ଥିଲେ। ‘ନାକ୍’ ମାନ୍ୟତା ହ୍ରାସ ପାଇଁ ଏଭଳି ବିଭିନ୍ନ କାରଣ ଦାୟୀ ବୋଲି କୁଳପତି ପ୍ରକାଶ କରିଛନ୍ତି।