ସୋମବାର ଖୋଲିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ସବୁ ଚକାଚକ୍‌, ହଷ୍ଟେଲ୍‌ରେ ପହଞ୍ଚିଲେ ୫୦ ଅନ୍ତେବାସୀ

ଗୋପାଳପୁର : ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସୋମବାର ଠାରୁ ଖୋଲିବା ନିଷ୍ପତ୍ତି ହୋଇଛି। ସବୁ କୋଠା ପରିସର ଚକାଚକ୍‌ ହୋଇଛି, ହଷ୍ଟେଲ୍‌ କବାଟ ଖୋଲିଛି। ଆଜି ଦ୍ୱିତୀୟ ବର୍ଷର ପ୍ରାୟ ୫୦ରୁ ଅଧିକ ଅନ୍ତେବାସୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ହଷ୍ଟେଲ୍‌ରେ ରହିଥିବା ଜଣାପଡ଼ଛି। କରୋନା ସଂକ୍ରମଣ ରୋକିବା ପାଇଁ ଦୀର୍ଘ ୯ ମାସ ବନ୍ଦ ରହିଥିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଗତ ବର୍ଷ ମାର୍ଚ୍ଚରେ ଅନ୍ତେବାସୀଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଲକଡାଉନ୍ ଓ ସଟଡାଉନ୍ ଭିତରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷାଦାନ ସହ ପରୀକ୍ଷା ମଧ୍ୟ ହୋଇଥିଲା। କିଛି ମାସ ହେଲା ଖାଲି ଖାଲି ଲାଗୁଥିବା ବିଶ୍ବବିଦ୍ୟାଳୟ ପୁଣି ଥରେ ଚଳଚଞ୍ଚଳ ହେବ। ଏଣୁ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମନରେ ଖୁସି।

ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଆଜି କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ ହଷ୍ଟେଲ୍‌ ଓ ଏକାଡେମିକ୍‌ ବ୍ଲକ୍‌, ବିଭିନ୍ନ ବିଭାଗ ପରିସର ସଫାସୁତରା କରାଯିବା ସହ ‌ଶୌଚାଳୟ ସାନିଟାଇଜ୍‌ କରାଯାଇଛି। ଛାତ୍ରୀ ନିବାସ ୱାର୍ଡ଼େନ‌୍ ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ ଏବଂ ଛାତ୍ରାବାସ ୱାର୍ଡ଼େନ୍‌ ପ୍ରଫେସର୍ ପ୍ରସନ୍ନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ କହିଥିଲେ, ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ହଷ୍ଟେଲ୍‌ରେ ସମସ୍ତ କୋଠରୀ, ଶୌଚାଳୟ ସାନିଟାଇଜ୍‌ କରାଯିବା ସହ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଛି। ମେସ୍‌ ପ୍ରସ୍ତୁତ କରାଯିବା ସହ ହ୍ୟାଣ୍ଡ୍‌ୱାସ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ କରୋନା ନିୟମାବଳୀକୁ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ତଦାରଖ ପାଇଁ ସୁପରିଣ୍ଟେଣ୍ଡେଣ୍ଟ୍‌, ମାଟ୍ରନ୍‌ଙ୍କୁ ନିୟୋଜିତ କରଯାଇଛି। କୌଣସି କାରଣରୁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଜଣାଇବାକୁ ଅନ୍ତେବାସୀଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର