ଭାଷା ଭିନ୍ନଭିନ୍ନ, ହେଲେ ସାହିତ୍ୟ ଗୋଟେ: ପଦ୍ମଶ୍ରୀ ହଳଧର ନାଗ
ଭଞ୍ଜଙ୍କ ଦୃଷ୍ଟିରେ ସାଂସାରିକତା ଓ ଈଶ୍ବର ଉପଲବ୍ଧି ଜୀବନକୁ ପରିପୂର୍ଣ୍ଣ କରେ: ରମାକାନ୍ତ
ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ପ୍ରଦାନ କରାଯାଇଛି।
ରବିବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ହଳଧର ନାଗ କହିଥିଲେ, ‘ ମୁଁ ଜଣେ ପଶ୍ଚିମ ଓଡ଼ିଶାର କବି। ମାତ୍ର ଅଢ଼େଇ କ୍ଲାସ ପଢ଼ିଛି। ଅନ୍ୟ କୌଣସି ଭାଷା ଜାଣିନି। କେବଳ ନିଜ ଭାଷାରେ କବିତା ଲେଖି ଚାଲିଛି। ମୋର ଭାଷା କୋଶଳୀ, ହଳନ୍ତିଆ ଭାଷା। ଆପଣମାନଙ୍କୁ ଅଡ଼ୁଆ ଲାଗୁଥିବ। ହେଲେ, ଯେମିତି ଜାତି ଭିନ୍ନଭିନ୍ନ ମଣିଷ ଗୋଟେ, ସେମିତି ଭାଷା ଭିନ୍ନଭିନ୍ନ କିନ୍ତୁ ସାହିତ୍ୟ ଗୋଟେ ।’
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ନିଜ ଅଭିଭାଷଣରେ ଶ୍ରୀ ରଥ ଏହି ସମ୍ମାନ ପାଇ ସେ ଯେତିକି ଆନନ୍ଦିତ, ସେତିକି ସନ୍ଦିଗ୍ଧ ବୋଲି ପ୍ରକାଶ କରିବା ସହ କବିସମ୍ରାଟଙ୍କ ପାରଙ୍ଗମତାର ଆକଳନ ତାଙ୍କ ପାଇଁ ଅପହଞ୍ଚ ଦୂରତାରେ ବୋଲି କହିଥିଲେ। ଭଞ୍ଜ ସାହିତ୍ୟ ଉପରେ ଆଲୋକପାତ କରି ସେ କହିଥିଲେ, ମାନବୀୟ ପ୍ରୀତିର ଊର୍ଦ୍ଧ୍ବରେ ମହାଭାବର ସନ୍ଧାନ ଭଞ୍ଜ ସାହିତ୍ୟର ବୈଶିଷ୍ଟ୍ୟ। କବିସମ୍ରାଟଙ୍କ ଦୃଷ୍ଟିରେ ଦୁଇଟି ଉପାଦାନ ଜୀବନକୁ ପରିପୂର୍ଣ୍ଣ କରେ। ଗୋଟିଏ ସାଂସାରିକ (ନାରୀ ଓ ପୁରୁଷଙ୍କ ପରସ୍ପର ପ୍ରୀତି), ଅନ୍ୟଟି ଏହା ଠାରୁ ଊର୍ଦ୍ଧ୍ବରେ ଥିବା ମହାଭାବ ଈଶ୍ବରଙ୍କ ଉପଲବ୍ଧି। କିଭଳି ସେ ମାନବୀୟ ପ୍ରୀତିର ଊର୍ଦ୍ଧ୍ବରେ ମହାଭାବର ସନ୍ଧାନ ପାଇଛନ୍ତି ତାହା ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ।
ଏହି ଅବସରରେ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଯୋଡ଼ିଶଙ୍ଖ ନୃତ୍ୟଗୁରୁ ରାଜେନ୍ଦ୍ର ମହାପାତ୍ର ଏବଂ ଆଦିବାସୀ କୋୟା ନୃତ୍ୟ ଶିଳ୍ପୀ ଶାନ୍ତି କବାସୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି, ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ ମନ୍ମଥ କୁମାର ଶତପଥୀଙ୍କୁ ଅଙ୍ଗବସ୍ତ୍ର ସମ୍ମାନ ଏବଂ ବିଶିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନ, ପ୍ରତିଷ୍ଠିତ ପୁରାତନ ବିଦ୍ୟାର୍ଥୀ ମୃତ୍ୟୁଞ୍ଜୟ ମହାପାତ୍ର ଓ ଡା. ସଂଘମିତ୍ରା ପତିଙ୍କୁ ଆଲୁମିନି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଥିବା ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ପାଇଁ ଲୋଗୋ ପ୍ରସ୍ତୁତ କରିଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର ପ୍ରମୋତେଶ ସାହୁଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଚାରି ଜଣ ପ୍ରାଧ୍ୟାପକ ପ୍ରାଧ୍ୟାପିକାଙ୍କ ସହ ୧୨ଜଣ ଅଣଶିକ୍ଷକ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।
କୁଳସଚିବ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସହ-କୁଳସଚିବ ଡ. ସରୋଜ କୁମାର ଦାସ, ଉପ-କୁଳସଚିବ ଡ. ବାବୁଜୀ ସାମଲ, ଡ. ଶଙ୍କର ମାଝି, ଡ. ମିହିର କୁମାର ତ୍ରିପାଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।