ବ୍ରହ୍ମପୁର: ହାର୍ଣ୍ଣିଆ ଅପରେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍‌ସ୍‌ ହାତରେ ଧରା ପଡ଼ିଲେ ଡାକ୍ତର

ଭଞ୍ଜନଗର: ରବିବାର ପୂର୍ବାହ୍ନରେ ହାର୍ଣ୍ଣିଆ ଅପରେସନ୍‌ ନିମନ୍ତେ ଲାଞ୍ଚ ନେଇ ବୁଗୁଡ଼ା ସରକାରୀ ଡାକ୍ତରଖାନାର ଅଧିକାରୀ ଡାକ୍ତର ବି. ଗୋପାଳ ଚନ୍ଦ୍ର ରାଓ ଭିଜିଲାନ୍‌ସ୍‌ ହାବୁଡ଼ରେ ପଡ଼ିଛନ୍ତି।

ଘୋଡ଼ପଡ଼ା ଗ୍ରାମର ୪୫ ବର୍ଷିୟ ନିରଞ୍ଜନ ଗୌଡ଼ଙ୍କର ହାର୍ଣ୍ଣିଆ ଅସ୍ତ୍ରୋପଚାର କରିବା ନିମନ୍ତେ ଡାକ୍ତର ରାଓ ୧୫୦୦ ଟଙ୍କା ଲାଞ୍ଚ ନେବେ ବୋଲି ସ୍ଥିର ହୋଇଥିଲା। ଛଅ ମାସ ତଳେ ଡାକ୍ତର ରାଓ ଶ୍ରୀ ଗୌଡ଼ଙ୍କର ହାର୍ଣ୍ଣିଆ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ପୂନର୍ବାର ଅସ୍ତ୍ରୋପଚାର ପାଇଁ ଗୌଡ଼ କହିବାରୁ ଡାକ୍ତର ରାଓ ତାଙ୍କୁ ଲାଞ୍ଚ ମାଗିଥିଲେ। ଗୌଡ଼ କହିଥିଲେ କି, ପ୍ରଥମ ଥର ଅସ୍ତ୍ରୋପଚାର ପାଇଁ ସେ ଟଙ୍କା ଦେଇଥିବାରୁ ଏଥର ଆଉ ଟଙ୍କା ଦେବେ ନାହିଁ। କିନ୍ତୁ, ଟଙ୍କା ନ ଦେଲେ ଅସ୍ତ୍ରୋପଚାର କରିବେ ନାହିଁ ବୋଲି ଡାକ୍ତର ରାଓ କହିବାରୁ କଟାଛଣ୍ଟା ହୋଇ ଲାଞ୍ଚ ବାବଦ ଅର୍ଥ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ଏ କଥା ଶ୍ରୀ ଗୌଡ଼ ବ୍ରହ୍ମପୁର ଭିଜିଲାନ୍‌ସ୍‌କୁ ଅବଗତ କରାଇବାରୁ ସେମାନେ ତାଙ୍କୁ ରାସାୟନିକ ପଦାର୍ଥ ବୋଳା ୧୫୦୦ ଟଙ୍କା ଦେଇଥିଲେ।
ଆଜି ଅସ୍ତ୍ରୋପଚାର କରାଇବା ନିମନ୍ତେ ଉକ୍ତ ଟଙ୍କାକୁ ଶ୍ରୀ ଗୌଡ଼ ଡାକ୍ତର ରାଓଙ୍କୁ ଦେବାବେଳେ ଭିଜିଲାନ୍‌ସ୍‌ ଟିମ୍‌ ଚଢ଼ଉ କରି ସେ ଟଙ୍କା ଜବତ୍‌ କରିଥିଲେ। ତା’ ପରେ ଭିଜିଲାନ୍‌ସ୍‌ ଟିମ୍‌ ଡାକ୍ତର ରାଓଙ୍କର ସରକାରୀ କ୍ୱାର୍ଟର୍‌ସ୍‌ ଚଢ଼ଉ କରି ସେଠାରୁ ୭୪ ହଜାର ନଗଦ ଟଙ୍କା ଜବତ କରିଛନ୍ତି।

ସମ୍ବନ୍ଧିତ ଖବର