ସଂଗରୋଧରେ ବ୍ରହ୍ମଗିରି ଥାନାଧିକାରୀଙ୍କ ସମେତ ୧୩ ପୁଲିସ

ପୁରୀ/ବ୍ରହ୍ମଗିରି : କୁମ୍ଭାରପଡ଼ା ଥାନା ପୁଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍‌ ବାହାରିବାର କିଛି ଦିନ ପରେ ପୁଣି ଥରେ ଚୋରି ମାମଲାରେ ଗିରଫ ଆଉ ଜଣେ ଅଭିଯୁକ୍ତଙ୍କ ଠାରେ କରୋନା ପଜିଟିଭ୍‌ ବାହାରିଛି। ବ୍ରହ୍ମଗିରି ଥାନାରେ ଏ ଭଳି ଘଟଣା ପରେ ଥାନା ଓ ଏହା ଅଧୀନରେ ଥିବା ସାତପଡ଼ା ଫାଣ୍ଡିର ୧୩ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ସଂଗରୋଧରେ ରଖାଯାଇଛି। ଆସନ୍ତା ସୋମବାର ଦିନ ସମସ୍ତଙ୍କର ସ୍ବାବ୍‌ ଟେଷ୍ଟ କରାଯିବ। ସେ ପଟେ ଅଭିଯୁକ୍ତ ଅନ୍ୟ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ତାର ତାଲିକା ପ୍ରସ୍ତୁତି ଚାଲିଛି। ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣ ବି ଚୋରି ଘଟଣାରେ ସଂପୃକ୍ତ ଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ବି ଖୋଜା ଚାଲିଛି। ଅଭିଯୁକ୍ତର ମିଳାମିଶା ତାଲିକାର ପୂରା ଘଟଣାବଳୀ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି କରିଛି।

ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡି କୃଷ୍ଣପ୍ରସାଦ ବ୍ଲକ ପିରିଜିପୁର ପଞ୍ଚାୟତର ଜିଆର୍‌ଏସ୍‌ ଅନୁସୂୟା ଦଳାଇଙ୍କ ଘରୁ ଗତ ୬ ତାରିଖରେ ଏକ ଚୋରି ହୋଇଥିଲା। ଚୋରମାନେ ଅନୁସୂୟାଙ୍କ ଘରୁ ୩୦ ହଜାର ଟଙ୍କା, ମୋବାଇଲ୍‌, ଟ୍ରଙ୍କ ଆଦି ଲୁଟି ନେଇଥିଲେ। ଏ ସଂପର୍କରେ ଅନୁସୂୟା ସାତପଡ଼ା ଫାଣ୍ଡିରେ ୬ ତାରିଖରେ ଏତଲା ଦେବ‌‌ା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଗତ ୮ ତାରିଖରେ ମିର୍ଜାପୁରର ଏହି ଅଭିଯୁକ୍ତକୁ ମୋବାଇଲ୍‌ ଟ୍ରାକିଂ କରି ଧରିଥିଲା। ଦୁଇଦିନ ଧରି ସାତପଡ଼ା ଫାଣ୍ଡିରେ ଅଭିଯୁକ୍ତକୁ ପଚରାଉଚରା ପରେ ଚୋରି ମୋବାଇଲ୍‌ ଜବତ ହୋଇଥିଲା। ଅନ୍ୟ ପଟେ ଆଉ ଦୁଇଜଣ ବି ‌ଏହି ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଜଣକ ସ୍ବୀକାର କରିଥିଲା। ଗତ ୧୧ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା ଚାଲିଥିବାବେଳେ ଆଜି ଏହି ଅଭିଯୁକ୍ତ କରୋନା ପଜିଟିଭ୍‌ ଥିବା ଜଣାପଡ଼ିବାରୁ ଆତଙ୍କର ବାତାବରଣ ଦେଖାଦେଇଛି। କୋର୍ଟଚାଲାଣ ସହ ସଂପୃକ୍ତ ଅଭିଯୁକ୍ତକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଡାକ୍ତରଖାନାରେ ସ୍ବାବ୍‌ ସଂଗ୍ରହ ରିପୋର୍ଟ ଆଜି ପଜିଟିଭ୍‌ ଆସିବା ପରେ ତତ୍‌କ୍ଷଣାତ୍‌ ବ୍ରହ୍ମଗିରି ଥାନା ଅଧିକାରୀଙ୍କ ସମେତ ବ୍ରହ୍ମଗିରି ଥାନା ଓ ସାତପଡ଼ା ଫାଣ୍ଡିର ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ସଂଗରୋଧରେ ରଖାଯାଇଛି।

ସମ୍ବନ୍ଧିତ ଖବର