ବ୍ରହ୍ମଗିରି : ପ୍ରାକୃତିକ ସନ୍ତୁଳନ ବିଗିଡିବାରେ ଲାଗିଛି। ଦିନକୁ ଦିନ ଉପକୂଳ ଖାଉଛି। ସମୂଦ୍ର ଉପକୂଳରୁ ବାଲି ଖାଇ ଢାଲୁ ହେଉଛି। ଏହାର ପ୍ରଭାବ ପଡ଼ିଛି ବ୍ରହ୍ମଗିରି ଅଞ୍ଚଳରେ ବେଳାଭୂମିକୁ ଅଣ୍ଡାଦାନ ପାଇଁ ଆସୁଥିବା ବିରଳ ଅଲିଭ୍‌ ରିଡ୍‌ଲେ କଇଁଚ୍ଛଙ୍କ ଉପରେ। ହଜାର ହଜାର ମାଇଲ ଅତିକ୍ରମ କରି ଅଣ୍ତା ଦେବାକୁ ଆସୁଥିବା ଅଲିଭ୍‌ ରିଡଲେ କଇଁଚ୍ଛ ବେଳାଭୂମି କ୍ଷୟ ହେବା ଯୋଗୁଁ ଆଉ ସମତଳ ଭୂମି ପାଉନାହାନ୍ତି। ଫଳରେ ଅଣ୍ଡା ଦେଇ ନପାରି ଫେରୁଛନ୍ତି। ଦୀର୍ଘ ୫ ବର୍ଷ ହେଲା ବ୍ରହ୍ମଗିରି ରେଞ୍ଜରେ ଏଭଳି ସ୍ଥିତି ଲାଗି ରହିଥିବା ବନ୍ୟପ୍ରାଣୀ ଅନୁଧ୍ୟାନକାରୀମାନେ ପ୍ରକାଶ କରିଛନ୍ତି।

Advertisment

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପୁରୀ ବନ୍ୟ ପ୍ରାଣୀ ଡିଭିଜନର ବ୍ରହ୍ମଗିରି ରେଞ୍ଜରେ ପ୍ରଥମେ ୨୦୦୫ ମସିହାରେ ବାଲିହରଚଣ୍ଡୀ ବିଟ୍ ଇଲାକାରେ ବିରଳ ପ୍ରଶାନ୍ତ ମହାସାଗରିୟ ଅଲିଭ୍‌ ରିଡ୍ଲେ କଇଁଚ୍ଛଙ୍କ ଉପସ୍ଥିତି ସ୍ଥାନୀୟ ମତ୍ସ୍ୟଜୀବୀ ଜାଣିବାକୁ ପାଇଥିଲେ। ଏହା ପରେ ବନ ବିଭାଗ ତତ୍ପର ହୋଇଥିଲା। କିନ୍ତୁ ୨୦୦୫ ମସିହାରୁ ଏହି ବିଟ୍ ଇଲାକାରେ କୈାଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିଲା। କେବଳ କଇଁଚ୍ଛଙ୍କ ଶବ ଉଦ୍ଧାର କରି ବାଲିରେ ପୋତି ଦେଇଥିଲା। ଏହି ପ୍ରକ୍ରିୟା ୨୦୦୯ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟ୍ୟାନ କରିଥିଲେ। ବାଲିହରଚଣ୍ଡୀ ବିଟ୍ ଠାରେ କଇଁଚ୍ଛ କ୍ୟାମ୍ପ ହୋଇଥିଲା। ବନ ବିଭାଗର କର୍ମଚାରୀ ଏଠାରେ ୨୪ ଘଣ୍ଟିଆ ପ୍ରହରା ଦେଇଥିଲେ। ଏହା ପରଠାରୁ ବନ ବିଭାଗ ଅଣ୍ତା ସଂଗ୍ରହ କରି ହାଚେରିକୁ ଆଣିଥିଲା। ୨୦୧୦ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିଲା। କିନ୍ତୁ ୨୦୧୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏହି ବିଟ୍ ଇଲାକାରୁ ବନ ବିଭାଗ ଗୋଟିଏ ହେଲେ ଅଣ୍ତା ସଂଗ୍ରହ କରି ପାରି ନାହିଁ। କେବଳ କଇଁଚ୍ଛଙ୍କ ଶବ ଗୋଟାଇବାରେ ଲାଗିଛି।

କଇଁଚ୍ଛ ନ ଆସିବା ନେଇ ପରିବେଶବିତ କୁହନ୍ତି ଏବେ ଉପକୂଳ ଖାଇବାରେ ଲାଗିଛି। ଏହି ବିରଳ କଇଁଚ୍ଛ ସମତଳ ବାଲି ଉପରେ ଉପରକୁ ଉଠି ଅଣ୍ତା ଦେଇଥାନ୍ତି। ଏବେ ସମୂଦ୍ର ଉପକୂଳ ଢାଲୁ ହୋଇ ଯାଇଥିବାରୁ କଇଁଚ୍ଛ ଉପରକୁ ଉଠି ଅଣ୍ତା ଦେବାକୁ ଆସୁ ନଥିବା ଅନୁମାନ କରାଯାଉଛି।