ଆବର୍ଜନା ଗଦାରେ ବ୍ରହ୍ମଗିରି ତହସିଲ : ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଭିତରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି, ଆବର୍ଜନା ସଫା ହେଉନଥିବାରୁ ବିଭିନ୍ନ ମହଲରେ ବଢୁଛି ଅସନ୍ତୋଷ

ବ୍ରହ୍ମଗିରି : ସବୁଠି ‘ସ୍ୱଚ୍ଛ ଭାରତ’ର ନାରା ଦିଆଯାଉଛି। ସ୍ୱଚ୍ଛତା ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ତୀ ପୀଠରେ ଲୋକଙ୍କ ସହ ମିଶି ସଫେଇ କରୁଛି। ସ୍ୱଚ୍ଛତା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ମାତ୍ର ଶ୍ରୀଅଲାରନାଥଙ୍କ ମନ୍ଦିର ଆଗରେ ଥିବା ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଭିତରେ ଆବର୍ଜନା ଗଦା ହୋଇ ରହିଛି। ତହସିଲଦାରଙ୍କ କାର୍ଯ୍ୟାଳୟକୁ ଲାଗି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ଖଲିପତ୍ର, ପ୍ଲାଷ୍ଟିକ୍‌ ବୋତଲ ଓ ଗ୍ଲାସ୍‌କୁ ସଫା କରାଯାଉ ନାହିଁ। ଖାଲି ସେତିକି ନୁହେଁ ବ୍ରହ୍ମଗିରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ତହସିଲ କାର୍ଯ୍ୟାଳୟ ଭିତରେ ରହିଛି। ଏଠାରେ ମଧ୍ୟ ଆବର୍ଜନାର ପାହଡ଼ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ତହସିଲ ପରିସରରେ ଥିବା ପାଇପ୍‌ରୁ ଅନବରତ ପାଣି ବାହାରି ନଷ୍ଟ ହେଉଛି। ବଣ୍ତଲ ବଣ୍ତଲ କାଗଜାତ ସବୁ କେଉଁ ଦିନରୁ ପଡ଼ି ପଡ଼ି ଖତ ଖାଉଛି। ଏହା ଉପରେ ଅନାବନା ଗଛ ଉଠି ଗଲାଣି। ଫଳରେ ଏଠାରେ ସାପ ଓ ବେଙ୍ଗ ବସା କଲେଣି। କମ୍ପ୍ୟୁଟର୍‌ ସେକ୍‌ସନ୍‌ ପଛ ପଟେ ଆବର୍ଜନା ଗଦା ହୋଇ ରହିଛି। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାକୁ ସଫା କରି ତହସିଲ ପରିସରକୁ ସ୍ୱଚ୍ଛ ରଖିବାକୁ ସାଧାରଣରେ ଦାବି ହୋଇଛି।

 

ସମ୍ବନ୍ଧିତ ଖବର