ବ୍ରହ୍ମପୁର ସାଇବର୍‌ ଥାନାରେ ୩ ବର୍ଷରେ ୪୫ ମାମଲା

ଗଞ୍ଜାମରୁ ୩୩ ମାମଲା, ୩ ଜିଲ୍ଲାରୁ ଶୂନ

ବ୍ରହ୍ମପୁର : ବଦଳିଛି ସମୟ, ବଦଳିଛି ଜୀବନଶୈଳୀ। ପ୍ରଯୁକ୍ତି ବିଦ୍ୟାର ବିକାଶ ସାଙ୍ଗକୁ ଡିଜିଟାଲ୍‌ ଦୁନିଆରେ ଆଗେଇ ଚାଲିଛି ମଣିଷ। କରୋନା ମହାମାରୀ ତାଡ଼ନା ଯୋଗୁଁ ମଣିଷ ଡିଜିଟାଲ୍‌ ସହ ଅଧିକ ଯୋଡ଼ି ହୋଇଛି। ଏଥି ସହ ସାଇବର୍‌ ଅପରାଧୀ ସକ୍ରିୟ ହୋଇ ଉଠିଛନ୍ତି। ସାଇବର ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କୁ ସଚେତନ କରିବାକୁ ବ୍ରହ୍ମପୁରରେ ପ୍ରତିଷ୍ଠା ହୋଇଛି ସାଇବର ଥାନା। ୧୦ଜିଲ୍ଲାକୁ ନେଇ ପ୍ରତିଷ୍ଠିତ ଏହି ଥାନାକୁ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ ଆଜି ଯାଏ ମାତ୍ର ୪୫ ମାମଲା ରୁଜୁ ହୋଇଛି। ଏଥିରୁ ୮୦ ପ୍ରତିଶତ ମାମଲା ଗଞ୍ଜାମ ଜିଲ୍ଲାରୁ ରୁଜୁ ହୋଇଥିବା ବେଳେ ୩ଟି ଜିଲ୍ଲାରୁ ଗୋଟିଏ ବି ଅଭିଯୋଗ ଆସିନି।

ରାଜ୍ୟରେ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରଠାରେ ପ୍ରତିଷ୍ଠା ହୋଇଛି ସାଇବର ଥାନା। ବ୍ରହ୍ମପୁର ଆସିକା ରୋଡ଼ ସ୍ଥିତ ବଡ଼ବଜାର ଥାନା ନିକଟରେ ୨୦୧୮ ଫେବୃଆରି ୨ତାରିଖରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ସାଇବର ପୁଲିସ ଷ୍ଟେସନ। କ୍ରାଇମବ୍ରାଞ୍ଚ ଦ୍ବାରା ପରିଚାଳିତ ଏହି ଥାନାକୁ ତତ୍‌କାଳୀନ ପୁଲିସ ମହା ନି‌ର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ଘାଟନ କରିଥିଲେ। ୯ଟି ରାଜସ୍ବ ଜିଲ୍ଲା ତଥା ୧୦ଟି ପୁଲିସ ଜିଲ୍ଲା ଯଥା ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲା ପାଇଁ ଏହି ସାଇବର ଥାନା କାମ କରୁଛି। ୫ଲକ୍ଷ ଟଙ୍କାରୁ ଅଧିକ ସାଇବର ଠକେଇ କ୍ଷେତ୍ରରେ ହିଁ ଥାନାରେ ମାମଲା ରୁଜୁ ହୋଇପାରିବ। ଏଥିସହ ନକଲି ଆକାଉଣ୍ଟ ଖୋଲି ଅର୍ଥ ହଡ଼ପ, ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ବିଭିନ୍ନ ଅପରାଧ ଏହି ଥାନାରେ ରୁଜୁ ହୋଇପାରିବ।

Photo by : toiimg.com

ପ୍ରତିଷ୍ଠା ପର ଠାରୁ ଏଠାରେ ସମୁଦାୟ ୪୫ଟି ମାମଲା ରୁଜୁ ହୋଇଥିବ‌ା ବେଳେ ସେଥିରୁ ୩୩ଟି କେବଳ ଗଞ୍ଜାମ ଜିଲ୍ଲାରୁ। ୩ ଜିଲ୍ଲା ଯଥା ନୂଆପଡ଼ା, ରାୟଗଡ଼ା ଓ ମାଲକାନଗିରିରୁ ଗୋଟିଏ ବି ମାମଲା ଆସିନାହିଁ। ଗଞ୍ଜାମ ଓ ଗଜପତିକୁ ବାଦ୍‌ ଦେଲେ କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ଏବଂ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ୨ଟି ଲେଖାଏଁ ସାଇବର ମାମଲା ରୁଜୁ ହୋଇଛି। ୨୦୧୮ରେ ରୁଜୁ ୧୪ଟି ମାମଲା ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୧ଟି, ଗଜପତି ଜିଲ୍ଲାର ୨ଟି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ମାମଲା ରହିଛି। ସେହିପରି ୨୦୧୯ରେ ରୁଜୁ ୧୨ଟି ମାମଲା ମଧ୍ୟରୁ ଗଞ୍ଜାମର ୯ଟି, ଗଜପତି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ‌ଗୋଟିଏ ଲେଖାଏଁ ରହିଛି। ୨୦୨୦ରେ ରୁଜୁ ୧୮ଟି ମାମଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୩ଟି, ଗଜପତି ଜିଲ୍ଲାର ୨ଟି ଏବଂ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଲେଖାଏଁ ମାମଲା ରହିଛି। ୨୦୨୧ରେ ଆଜି ସୁଦ୍ଧା ଗୋଟିଏ ମାମଲା ରୁଜୁ ହୋଇଛି।

ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ସାଇବର ଥାନା ସଂକ୍ରାନ୍ତରେ ଲୋକେ ବିଶେଷ ସଚେତନ ନୁହନ୍ତି। ଏହି ଥାନାରେ ୨ ଇନ୍ସପେକ୍ଟର, ୨ ସବ୍‌ ଇନ୍ସପେକ୍ଟର ଓ ୨ କନଷ୍ଟେବଳ କାର୍ଯ୍ୟ କରୁଛନ୍ତି। ଇନ୍ସପେକ୍ଟର ପାହ୍ୟା ତଥା ତଦୁର୍ଦ୍ଧ୍ବ ପାହ୍ୟାର ଅଧିକାରୀ ହିଁ ଆଇଟି ଆକ୍ଟ ବଳରେ ରୁଜୁ ମାମାଲାର ତଦନ୍ତ କରିପାରିବେ। ଏହି ଥାନାରେ ୨ ଏଏସ୍‌ଆଇ, ୨ ସବ୍‌ଇନ୍ସପେକ୍ଟର ଓ ଗୋଟିଏ କନଷ୍ଟେବଳ ପଦ ଖାଲି ଅଛି। ମାନବସମ୍ବଳ ଅଭାବ ଯୋଗୁଁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନ ଥିବା ଜଣାପଡ଼ିଛି। ସାଇବର ଅପରାଧ କ୍ଷେତ୍ରରେ ମୋବାଇଲ ନେଟ୍‌ୱର୍କ ପ୍ରୋଭାଇଡ଼ର ଏବଂ ବିଭିନ୍ନ ବ୍ୟାଙ୍କ୍‌ରୁ ତଥ୍ୟ ମିଳିବାରେ ବିଳମ୍ବ ଯୋଗୁଁ ତଦନ୍ତରେ ବି ବିଳମ୍ବ ଘଟୁଛି। ମାମାଲା ରୁଜୁ ନ ହେଲେ କେତେକ ବ୍ୟାଙ୍କ ମଧ୍ୟ ତଥ୍ୟ ଦେଉ ନ ଥିବାରୁ ସାଇବର ପୁଲିସ ସମସ୍ୟାରେ ପଡ଼ୁଛି।

ଚଳିତ ବର୍ଷ ପ୍ରଥମ ମାମଲା, କେବିସି ଲଟେରି ନାଁରେ ଠକି ନେଲେ ୫ଲକ୍ଷ ୩୭ ହଜାର ଟଙ୍କା। ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳର ଗୋବିନ୍ଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଏକ ହ୍ବାଟସ୍‌ ଆପ୍‌ ମେସେଜ ଆସିଥିଲା। କୌନ୍‌ ବନେଗା କରୋଡ଼ପତିରେ ୨୫ଲକ୍ଷ ଟଙ୍କାର ଲଟେରୀ ଉଠିଥିବା ଦର୍ଶା ଯାଇଥିଲା। ପ୍ରୋସେସିଂ ଫି ବାବଦକୁ ଅର୍ଥ ଜମା କରିବାକୁ କହି ୫ଲକ୍ଷ ୩୭ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବ୍ରହ୍ମପୁର ସାଇବର ଥାନାରେ ଚଳିତ ବର୍ଷର ପ୍ରଥମ ମାମାଲା ରୁଜୁ ହୋଇଛି।

ଡାକ୍ତରାଣୀ ଫେରିପାଇଲେ ଦେଢ ଲକ୍ଷ
ବ୍ରହ୍ମପୁର ଏମ୍‌କେସିଜିର ବଡ଼ ମେଡିକାଲର ଡାକ୍ତର ବର୍ଷାରାଣୀ ବେହେରାଙ୍କ ମୋବାଇଲକୁ କେୱାଇସି ଅପଡେଟ୍‌ ପାଇଁ ଏକ ମେସେଜ ଆସିଥିଲା। ଏଥିସହ ଏକ ଲିଙ୍କ୍‌ ଆସିଥିଲା। ଡାକ୍ତର ବର୍ଷାଙ୍କ ମେଡ଼ିକାଲ ଏସ୍‌ବିଆଇ ଶାଖାରେ ଆକାଉଣ୍ଟ ଥିଲା। ସେ ମେଡ଼ିକାଲରେ ରୋଗୀ ଚିକିତ୍ସାରେ ବ୍ୟସ୍ତ ଥିବାରୁ ବ୍ୟାଙ୍କକୁ ଯାଇପାରି ନ ଥିଲେ। ଆସିଥିବା ଲିଙ୍କ୍‌କୁ ସେୟାର କରିବା ସହ ୟୁପିଆଇ ଆଡ଼ି ଓ ପାସ୍‌ୱାର୍ଡ଼ ସେୟାର କରି ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୯୦ହଜାର ଟଙ୍କା କଟି ଯାଇଥିଲା। ଉକ୍ତ ଅର୍ଥରେ ଫ୍ୟୁଚର ବଜାରରୁ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ଗିଫ୍ଟ କୁପନ କିଣା ଯାଇଥିଲା। ଫ୍ଲିପ୍‌କାର୍ଟରୁ ୪୦ହଜାର ଟଙ୍କାର ଗିଫ୍ଟ କୁପନ୍‌ କିଣା ଯାଇଥିଲା। ଆକାଉଣ୍ଟରୁ ଅର୍ଥ କଟିବା କ୍ଷଣି ଅର୍ଥାତ ୩୬ ମିନିଟ ମଧ୍ୟରେ ସମ୍ପୃକ୍ତ ଡାକ୍ତରାଣୀ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ସଙ୍ଗେ ସଙ୍ଗେ ଆକାଉଣ୍ଟ୍‌ ବ୍ଲକ୍‌ କରିଥିଲା। ମାସେ ମଧ୍ୟରେ ଡାକ୍ତରାଣୀ ହଡ଼ପ ଅର୍ଥରୁ ଦେଢ଼ ଲକ୍ଷ ଟଙ୍କା ଫେରି ପାଇଥିଲେ। କିନ୍ତୁ ବାକି ୪୦ହାଜର ଟଙ୍କା ଦୁର୍ବୃତ୍ତ ସଙ୍ଗେ ସଙ୍ଗେ ଜିନିଷ କ୍ରୟ କରିଥିବାରୁ ଫେରସ୍ତ ହୋଇପାରି ନ ଥିଲା। ଆକାଉଣ୍ଟରୁ ଅର୍ଥ ହଡ଼ପ ହେବା କ୍ଷଣି( ଅର୍ଥାତ ଘଣ୍ଟାଏ ରୁ ଦୁଇଘଣ୍ଟା ମଧ୍ୟରେ) ସାଇବର ପୁଲିସକୁ ଜଣାଇଲେ ଅର୍ଥ ମିଳିଯିବାର ସମ୍ଭାବନା ଅଧିକ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

୯ମାସରେ ଉଦ୍ଧାର ହେଲା ୪୫ ମୋବାଇଲ
ଚୋରି ଓ ହଜି ଯାଇଥିବା ମୋବାଇଲ୍‌ ଉଦ୍ଧାର କ୍ଷେତ୍ର ବେଶ୍‌ ସଫଳତା ପାଇଛି ବ୍ରହ୍ମପୁର ସାଇବର ଥାନା ପୁଲିସ। ମୋବାଇଲ ଚୋରି ଯିବା କିମ୍ବା ହଜିବା କ୍ଷଣି ମୋବାଇଲ୍‌ ନମ୍ବର ଓ ଇଏମ୍‌ଆଇଇ ନମ୍ବର ଦେଲେ ତ୍ବରିତ ଉଦ୍ଧାର ହୋଇପାରିବ ବୋଲି ସାଇବର ଥାନାର ଜଣେ ଅଧିକାରୀ କହିଛନ୍ତି। ଲକ୍‌ଡାଉନ ଠାରୁ ଆଜି ସୁଦ୍ଧା ଅର୍ଥାତ ଗତ ୯ମାସ ମଧ୍ୟରେ ବ୍ରହ୍ମପୁର ସାଇବର ଥାନା ୪୫ଟି ମୋବାଇଲ ଉଦ୍ଧାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର