ବ୍ରହ୍ମପୁର : ପୌର ନିର୍ବାଚନ ନାମାଙ୍କନ ଦାଖଲକୁ ହାତରେ ଆଉ ମାତ୍ର ଦୁଇ ଦିନ। ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କର୍ପୋରେଟର୍‌ ପ୍ରାର୍ଥୀଙ୍କ ନାମ ତାଲିକା ବନ୍ଦ ଲଫାଫାରେ ରାତିରେ ଆସିଲା। କେଉଁ ୱାର୍ଡ଼ରୁ କିଏ ପ୍ରାର୍ଥୀ ହେବେ ତାହାକୁ ଗୋଟିଏ ଗୋଟିଏ ୱାର୍ଡ଼ରୁ ଏକାଧିକ ଆଶାୟୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ରାଜ୍ୟ କାର୍ଯ୍ୟାଳୟରୁ ବନ୍ଦ ଲଫାଫାରେ ତାଲିକା ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ହସ୍ତଗତ ହେଲା।

Advertisment

ସୂଚନା ଅନୁସାରେ, ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ରାଜ୍ୟ କାର୍ଯ୍ୟାଳୟରୁ ଏକ ବନ୍ଦ ଲଫାପାରେ ଦଳୀୟ ତାଲିକା ଧରି ଆସି ଜିଲ୍ଲା ସଭାପତି ଡା.ଚ୍ୟାଉପଟ୍ଟନାୟକଙ୍କୁ ହସ୍ତାନ୍ତର କଲେ। ସେଠାରେ ଉପସ୍ଥିତ ବିଧାୟକ ଓ ବରିଷ୍ଠ ନେତାମାନେ ମେୟର ପ୍ରାର୍ଥିନୀଙ୍କୁ ସ୍ବାଗତ କରିଥିଲେ। ବନ୍ଦ ଲଫାପାରେ ଥିବା ଦଳୀୟ କର୍ପୋରେଟର୍‌ ପ୍ରାର୍ଥୀ ତାଲିକାକୁ ଜିଲ୍ଲା ସଭାପତି ଡା.ପଟ୍ଟନାୟକ ଖୋଲିବା ସମୟରେ ବିଧାୟକ ବିକ୍ରମ କୁମାର ପଣ୍ତା ଏହା ତାଙ୍କ ହାତରୁ ଛଡ଼ାଇ ନେଇ ପରେ ପ୍ରକାଶ କରିବା ବୋଲି କହିଥିଲେ। ଡା.ଚ୍ୟାଉ ପଟ୍ଟନାୟକ ତଟସ୍ଥ ହୋଇକେବଳ ଚାହିଁ ରହିଥିଲେ। ଏ ଦୃଶ୍ୟ ଉପସ୍ଥିତ ନେତା ଓ କର୍ମୀ ମହଲରେ ଆଲୋଡ଼ନ ଖେଳାଇ ଦେଇଥିଲା। ଦଳୀୟ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିବାକୁ ଏତେ ଭୟ କାହିଁକି ବୋଲି ଆଶାୟୀ, ସେମାନଙ୍କ ସମର୍ଥକ ଓ ଏଭଳିକି ଦଳୀୟ କର୍ମୀ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଗଲା। ହେଲେ, ବୁଝୁ ବୁଝୁ ଜଣାଗଲା, ଏହି ତାଲିକାକୁ ଆଜି ରାତିରେ ସାର୍ବଜନୀନ କରିବାକୁ ଦଳୀୟ ନେତାଙ୍କୁ ଭୟ ଘାରିଛି। ପ୍ରାର୍ଥୀ ତାଲିକା ସାର୍ବଜନୀନ ହେବା ମାତ୍ରକେ ଟିକେଟ୍‌ରୁ ବଞ୍ଚିତ ଆଶାୟୀ ଓ ସେମାନଙ୍କ ସମର୍ଥକ ଦଳରେ ବିଦ୍ରୋହ ସୃଷ୍ଟି କରିବା ଆଶଙ୍କା ଥିବାରୁ ଦଳୀୟ କର୍ମକର୍ତ୍ତା ଏହାକୁ ଗୋପନ ରଖିବାକୁ ଉଚିତ୍‌ ମନେ କରୁଛନ୍ତି ବୋଲି ସୁରାକ୍‌ ମିଳିଲା।

ମିଳିଥିବା ସୂଚନାନୁଯାୟୀ, ବ୍ରହ୍ମପୁର ସହରର ୪୨ଟି ୱାର୍ଡ଼ ପାଇଁ ବିଜେଡିରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଆଶାୟୀ ରହିଛନ୍ତି। ଦଳ କାହାକୁ ପ୍ରାର୍ଥୀ କରୁଛି, କେହି ଜାଣିନାହାନ୍ତି। ଏହା ପ୍ରଘଟ ହେଲେ କାଳେ ଦଳରେ ବିଭ୍ରାଟ ସୃଷ୍ଟି ହେବ ଅବା ଟିକେଟ୍‌ ପାଇ ନଥିବା ଆଶାୟୀ ବିରୋଧୀ ଶିବିରକୁ ଚାଲିଯିବେ, ଏ ଭୟ ଏବେ ନେତାଙ୍କୁ ଘାରିଛି। ଯେଉଁମାନଙ୍କ ନାମ ତାଲିକାରେ ରହିଛି ସେମାନଙ୍କୁ ମୌଖିକ ଭାବେ ନାମାଙ୍କନ ଦାଖଲ କରିବାକୁ ଓ ଗୋପନ ରଖିବାକୁ ପରାମର୍ଶ ଦିଆଯାଉଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଦଳ ପକ୍ଷରୁ ପ୍ରସ୍ତୁତ ତାଲିକାକୁ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଡା.ଚ୍ୟାଉପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରାର୍ଥୀ ତାଲିକାକୁ ଗୋପନ ରଖାଯାଇ ଆଶାୟୀ ଯେଉଁମାନେ ଅଛନ୍ତି ନାମାଙ୍କନ ଦାଖଲ କରିବାକୁ କୁହାଯାଉଛି। କର୍ପୋରେଟର୍‌ ପଦ ପାଇଁ ଦଳରେ ଚାଲିଥିବା ଛକାପଞ୍ଝା ଫଳରେ ତାଲିକା ଗୋପନ ରଖିଲେ ପରେ ତାହା ବୁମେରାଂ ହେବ ନାହିଁ ତ(?) ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।