ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନ
ମିଳିତ ଜାତିସଂଘ ସହକାରୀ ସାଧାରଣ ସଚିବ ସତ୍ୟସୁନ୍ଦର ତ୍ରିପାଠୀ ସମ୍ବର୍ଦ୍ଧିତ
ବ୍ରହ୍ମପୁର/ଗୋପାଳପୁର : ଦୟା, କ୍ଷମା, ପ୍ରେମ, ମମତା, ମାନବିକତା ଆଦି ମୂଲ୍ୟବୋଧ ଧରି ଛାତ୍ରଛାତ୍ରୀମାନେ ଆଗକୁ ବଢ଼ିବା ଦରକାର। ବର୍ତ୍ତମାନ ଛାତ୍ରଛାତ୍ରୀ ଅତ୍ୟାଧୁନିକତାର ବଶବର୍ତ୍ତୀ। କୁସ˚ସ୍କାର ଓ ଅନ୍ଧବିଶ୍ବାସ ଦୂର କରି ମୂଲ୍ୟବୋଧ ବଜାୟ ରଖିବା ହେଉଛି ବାସ୍ତବ ଆଧୁନିକତା। ମୂଲ୍ୟବୋଧକୁ ପାଥେୟ କରି ଛାତ୍ରଛାତ୍ରୀ ଆଗକୁ ବଢ଼ିବା ଆବଶ୍ୟକ ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ କହିଛନ୍ତି।
ଏହି ଅବସରରେ ପ୍ରତିଭା ରାୟଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରା ଯାଇଥିଲା। ୧ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେହିପରି ବର୍ତ୍ତମାନ ମିଳିତ ଜାତିସ˚ଘର ସହକାରୀ ସାଧାରଣ ସଚିବ ତଥା ଜାତିସ˚ଘ ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ଏବ˚ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା। ଦକ୍ଷିଣା ଓଡ଼ିଶାର ଦୁଇଜଣ ଶିଳ୍ପୀ ଲକ୍ଷ୍ମଣ ଶବର ଓ ନରସି˚ହ ତ୍ରିପାଠୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଦକ୍ଷିଣ ଓଡ଼ିଶା ଲୋକ ସ˚ସ୍କୃତି’ ସମ୍ମାନରେ ସମ୍ମାନିତ କରା ଯାଇଥିଲା। ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ହୃଷୀକେଶ ପାଣିଗ୍ରାହୀ ଏବ˚ କବି ପ୍ରଶାନ୍ତ ମହାନ୍ତିଙ୍କୁ ପ୍ରତିଭା ସମ୍ମାନ ସ୍ବରୂପ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ପ୍ରତିଷ୍ଠାତା ସଦସ୍ୟ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।
ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ଶ୍ରୀମତୀ ରାୟ କହିଥିଲେ, ଶିକ୍ଷା ମଣିଷକୁ ଦୃଷ୍ଟିଦାନ କରିଥାଏ। ବାହ୍ୟଚକ୍ଷୁ ଦ୍ବୟ ବନ୍ଦ କରି ଅନ୍ତରକୁ ନିରେଖି ଦେଖିଲେ ଅନ୍ତଃଚକ୍ଷୁ ଦ୍ବାରା ବିଶ୍ବବ୍ରହ୍ମାଣ୍ତର ଦର୍ଶନ ମିଳିଥାଏ। ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ଯଥାର୍ଥ ଗୁରୁ ପାଇଥାନ୍ତି। ବିଶ୍ବକୁ ଦିଗ୍ଦର୍ଶନ ଦେବା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭର ଲକ୍ଷ୍ୟ ହେବା ଉଚିତ। ଛାତ୍ରଛାତ୍ରୀ କେବଳ ବୃତ୍ତି ଲକ୍ଷ୍ୟ ନେଇ ଆଗକୁ ବଢ଼ିଲେ ହତାଶା ଭାବ ସୃଷ୍ଟି ହେବ। ବୃତ୍ତି ସହିତ ପ୍ରବୃତ୍ତିକୁ ନେଇ ଆଜିର ପିଲାମାନେ ସ୍ବପ୍ନ ଦେଖନ୍ତୁ। ମିଳିତ ଜାତିସ˚ଘର ସହକାରୀ ସାଧାରଣ ସଚିବ ତଥା ଜାତିସ˚ଘର ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ସତ୍ୟସୁନ୍ଦର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଶିକ୍ଷାରୁ ସମ୍ମାନ ଆସିଥାଏ। ଗୁରୁଜନଙ୍କୁ ସମ୍ମାନ ଦେବା ଆବଶ୍ୟକ। ସମ୍ମାନ ଦେଲେ ସମ୍ମାନ ମିଳିଥାଏ। ସମ୍ମାନ ନ ଦେଇ ସମ୍ମାନ ଆଶା କରିବା ନିରର୍ଥକ ବୋଲି କହିଥିଲେ।
ଦକ୍ଷିଣା ଓଡ଼ିଶା ସା˚ସ୍କୃତିକ ପରିଷଦର ନିର୍ଦ୍ଦେଶକ ତଥା ପୂର୍ବତନ ପିଜି କାଉନ୍ସିଲ ଅଧ୍ୟକ୍ଷ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସ˚ଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ ରଞ୍ଜନ କୁମାର ବିଶ୍ବାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅରୁନ୍ଧତୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇନ ବିଭାଗ ମୁଖ୍ୟ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।