ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ବିବାଦ ପିଛା ଛାଡ଼ୁନି, ପ୍ରଫେସରଙ୍କ ଆପତ୍ତିଜନକ ବାର୍ତ୍ତାଳାପକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର/ଗୋପାଳପୁର, : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୁଣି ଜଣେ ପ୍ରଫେସରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି। ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜଣେ ଛାତ୍ରୀଙ୍କ ସହ ‘ହ୍ବାଇ୍‌ ସୁଡ଼୍‌ ୟୁ ଲାଇକ୍‌ ମି? ବିକଜ୍ ଅଫ୍‌ ଇଣ୍ଟେରେଷ୍ଟ୍‌…। ରିଲେସନ୍‌ ମେଣ୍ଟନ୍‌ କର, ରେଜଲ୍ଟ ମେଣ୍ଟେନ୍‌ ହେବ… ମୋତେ କେମିତି ସନ୍ତୁଷ୍ଟ କରିବ?…’ ଇତ୍ୟାଦି ଇତ୍ୟାଦି ବାର୍ତ୍ତାଳାପ କରିଛନ୍ତି। ଗୋଟିଏ ମିନିଟ୍‌ କିମ୍ବା ଦୁଇ ମିନିଟର ନୁହଁ ପ୍ରାୟ ୧୫ ମିନିଟ୍‌ରୁ ଅଧିକ ସମୟ ଏହି ବାର୍ତ୍ତାଳାପର ଅଡ଼ିଓ ଭାଇରାଲ୍‌ ହୋଇଛି।

ମିଳିଥିବା ସୂଚନା ଅନୁସା‌ରେ, ଆସିଷ୍ଟାଣ୍ଟ ପ୍ରଫେସର୍‌ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଆହୁରି ମଧ୍ୟ ତାଙ୍କ ଅଧୀନରେ ପିଏଚ୍‌ଡି କରିବା ପାଇଁ ଏବଂ ତାଙ୍କ ପାଖରେ ଦୁଇଟି ପେପର୍‌ ଥିବାରୁ ମିଶିବା ପାଇଁ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଏଥିସହିତ, ଅନ୍ୟମାନେ ବି ତାଙ୍କ ସହିତ ମିଶୁଥିବା ବି କହିଛନ୍ତି। ପିଏଚ୍‌ଡି ମୋ ଅଧୀନରେ କର, ମୋ ପାଖରେ ଦୁଇଟା ପେପର୍‌ ଅଛି, ଆଗରୁ ‘ମିଶିବାର ଅଛି’, ଅନ୍ୟମାନେ ମିଶୁଛନ୍ତି ବୋଲି କହିବା ସହ ପ୍ରଥମେ ପିଜି ଶେଷ କର ବୋଲି ବି ପରାମର୍ଶ ଦେଇଛନ୍ତି। ଏହି ଅଡ଼ିଓ ବାର୍ତ୍ତାଳାପ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରୁ ବୁଲୁଥିବା‌େବ‌ଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି। ଆମ ପ୍ରତିନିଧି ଆଜି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତିଙ୍କ ସହ ଘଟଣା ସମ୍ପର୍କରେ ଯୋଗାଯୋଗ କରିବାରୁ ସେଭଳି ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ଆସିନଥିବା ସେ କହିଛନ୍ତି। ତେବେ କହିଛନ୍ତି ଯେ, ‘ ଆମ ନିକଟରେ ପହଞ୍ଚିନାହିଁ। ଆମେ ବି ଏଭଳି ଅଡ଼ିଓ ଭାଇରାଲ୍‌ ହୋଇଥିବା ଶୁଣିବାକୁ ପାଉଛୁ।’ ଯଦି ଅଭିଯୋଗ ଆସେ, ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି। ସେହିଭଳି ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଛାତ୍ରୀମାନେ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଇବ୍ରେରିରେ ନରହିଲେ ମାର୍କ କମାଇ ପେପର୍‌ ବ୍ୟାକ୍‌ ରଖି ଦିଆଯିବ ବୋଲି ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗପତ୍ରରେ କୌଣସି ଛାତ୍ରଛାତ୍ରୀଙ୍କ ନାମ ଉଲ୍ଲେଖ ନଥିଲା। ଅଭିଯୋଗର ତଦନ୍ତ କରାଯାଇଥିଲା ଏବଂ ଏହା ମିଥ୍ୟା ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ମହାନ୍ତି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିବା ପରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାଇକଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର