ଗୋପାଳପୁର : ୧୯୬୭ ମସିହା ଜାନୁଆରି ୨ତାରିଖରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଗୁରୁବାର ୫୪ ବର୍ଷରେ ପାଦ ଥାପିବ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ। ବିଶ୍ବବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ୫୪ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ପ୍ରତିଭା ରାୟ ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟ ଆଲୁମ୍ନି ସଦସ୍ୟ ତଥା ମିଳିତ ଜାତିସଂଘର ଆସିଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରି ସତ୍ୟସୁନ୍ଦର ତ୍ରିପାଠୀ ଯୋଗ ଦେବେ। ଏହି ଅବସରରେ ସାହିତ୍ୟ ସାଧନା ଲାଗି ପ୍ରଖ୍ୟାତ ସାହିତ୍ୟିକା ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ୧ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ପୌରୋହିତ୍ୟରେ ହେବାକୁ ଥିବା ସମାରୋହରେ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ। ସେହିପରି ଦେଶିଆ ନାଟକ ଗୁରୁ ନରସିଂହ ତ୍ରିପାଠୀ ଏବଂ ଆଦିବାସୀ ଚିତ୍ରକଳା ଲାଗି ଲକ୍ଷ୍ମଣ ଶବରଙ୍କୁ ଦକ୍ଷିଣା ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟ ଆଲୁମ୍ନି ସଦସ୍ୟ ଶ୍ରୀ ତ୍ରିପାଠୀ ଏବଂ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବିଶ୍ବବିଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି। ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ରଞ୍ଜନ କୁମାର ବିଶ୍ବାଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହ ଶେଷରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp