ଜାପାନ ଜାହାଜରେ କରୋନା ସଂକ୍ରମଣ ଘଟଣା : ଦେଶକୁ ଫେରିଲେ ବ୍ରହ୍ମପୁର ଯୁବ ଇଞ୍ଜିନିୟର

ତିନି ସପ୍ତାହ ଧରି ଜାହାଜରେ ଜଳବନ୍ଦୀ ଥିଲେ
ସହଯୋଗ କଲା ଭାରତୀୟ ଦୂତାବାସ
ପୁଅ ବାଟକୁ ଚାହିଁ ବସିଛନ୍ତି ବାପାମା’, ଆତ୍ମୀୟ

ବ୍ରହ୍ମପୁର : କରୋନା ସଂକ୍ରମଣ ଭୟ ଯୋଗୁଁ ଜାପାନ୍‌ରେ ପ୍ରାୟ ୩ସପ୍ତାହ ଧରି ଜାହାଜରେ ଜଳବନ୍ଦୀ ଥିବା ବ୍ରହ୍ମପୁରର ଯୁବ ଇଂଜିନିୟର ଶିବାଶିଷ ନାୟକ ଶେଷରେ ଆଜି ଭାରତ ଫେରିଛନ୍ତି। ଭାରତୀୟ ଦୂତାବାସ ସହଯୋଗରେ ଶିବାଶିଷଙ୍କ ସମେତ ଅନ୍ୟ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଏହି ଖବର ପାଇ ବ୍ରହ୍ମପୁରରେ ଶିବାଶିଷଙ୍କ ମାତା, ପିତା, ସାହିବାସିନ୍ଦା ଖୁସିରେ ବିଭୋର ହୋଇ ପଡ଼ିଛନ୍ତି। ପୁଅର ଶୁଭ ମନାସି ମା’ ଝୁନୁ ନାୟକ ପୂଜାପାଠ କରିଛନ୍ତି। ପୁଅ ବ୍ରହ୍ମପୁର କେବେ ଫେରିବ ସେହି ବାଟକୁ ଚାହିଁ ରହିଛନ୍ତି ପରିବାରବର୍ଗ। ପୁଅ ଭାରତ ଫେରିବା ପରେ ବାପା ଲିଙ୍ଗରାଜ ନାୟକ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି। ଗଣମାଧ୍ୟମର ଉଦ୍ୟମ ଯୋଗୁଁ ପୁଅ ଦେଶକୁ ଫେରିଲା ବୋଲି ସେ କହିଛନ୍ତି।

ବ୍ରହ୍ମପୁର ବଡ଼ବଜାର ଥାନା ପନ୍ଦରାସାହି ନିବାସୀ ଲିଙ୍ଗରାଜଙ୍କ ପୁଅ ଶିବାଶିଷ ଦିଲ୍ଲୀ ଗୁଡ଼ଗାଓଁ ସ୍ଥିତ ଏକ କମ୍ପାନିରେ ଇଂଜିନିୟର ଭାବେ କାମ କରୁଛନ୍ତି। ଗତ ଜାନୁଆରି ୧୦ ତାରିଖରେ କମ୍ପାନି କାମରେ ଶିବାଶିଷ ଓ ଅନ୍ୟ ୫ଜଣ ସହକର୍ମୀ ଜାପାନ ଯାତ୍ରା କରିଥିଲେ। ସେଠାରେ ଅଫିସ କାମ ସାରି ସେମାନେ ଭିଏତନାମ୍‌ ଯାଇଥିଲେ ଏବଂ ଜାନୁଆରି ୨୫ତାରିଖରେ ସେଠାରୁ ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌ ନାମକ ଏକ ଜାହାଜରେ ଭାରତ ଅଭିମୁଖେ ବାହାରିଥିଲେ। ହଠାତ୍‌ ଜାହାଜରେ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟରୁ କରୋନା ଭାଇରସ୍‌ ପଜିଟିଭ୍‌ ଆସିଥିଲା। ଫଳରେ ସେଠାକାର ସରକାର ଜାହାଜକୁ ସମୁଦ୍ର ମଧ୍ୟରେ ଅଟକାଇ ଦେଇଥିଲେ।

ଭାରତୀୟ ଦୂତାବାସ ତରଫରୁ ଜାପାନ ଦୂତାବାସ ସହିତ ଆଲୋଚନା କରାଯାଇଥିଲା। ଜାପାନ ସରକାରଙ୍କ ସମ୍ମତି ପରେ ଗତକାଲି ଶିବାଶିଷ ଓ ଅନ୍ୟ ଭାରତୀୟ ଯାତ୍ରୀମାନଙ୍କୁ ୟୁକୋହାମାରୁ ଏକ ବସ୍‌ ଯୋଗେ ହାନିଡ଼ା ବିମାନବନ୍ଦରକୁ ନିଆ ଯାଇଥିଲା। ସେଠାରେ ଭାରତ ସରକାରଙ୍କ ଏକ ସ୍ବତନ୍ତ୍ର ବିମାନରେ ସମସ୍ତ ଯାତ୍ରୀ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବିମାନରେ ଶିବାଶିଷ, ତାଙ୍କର ୫ଜଣ ସହକର୍ମୀଙ୍କ ସମେତ ମୋଟ ୧୧୯ଜଣ ଭାରତୀୟ ଏବଂ ୫ଜଣ ବିଦେଶୀ ନାଗରିକ ଭାରତ ଆସିଥିବା ଜଣାପଡ଼ିଛି। ବାପା ଲିଙ୍ଗରାଜ ଫୋନ୍‌ରେ ପୁଅ ସହିତ କଥା ହୋଇ ଆଶ୍ବସ୍ତ ହୋଇଛନ୍ତି।

ଆଜି ସକାଳେ ଦିଲ୍ଲୀରେ ଏହି ସ୍ବତନ୍ତ୍ର ବିମାନ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ସାମରିକ ବାହିନୀର ଏକ ବେସ୍‌ କ୍ୟାମ୍ପ୍‌କୁ ନିଆ ଯାଇଥିଲା। ସମସ୍ତ ଯାତ୍ରୀ ମାସ୍କ ପିନ୍ଧି ରହିବାବେଳେ ସେଠାରେ ସେମାନଙ୍କୁ କିଛିଦିନ ନିରୀକ୍ଷଣରେ ରଖାଯିବ। ସ୍ବାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ମିଳିଲେ ସମସ୍ତଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର