ବରମୁଣ୍ଡା ଫ୍ଲାଏଓଭର୍‌: ମାସ ମାସ ହେଲା ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌, ତ୍ରୁଟି ଧରିବାକୁ ଚାଲିଛି ନକ୍ସା ଖୋଜା

ଭୁବନେଶ୍ୱର : ବରମୁଣ୍ଡା ଫ୍ଲାଏଓଭର୍‌ ଏବେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ନକ୍ସାରେ ବ୍ଲାକସ୍ପଟ୍ ବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେବାକୁ ଯାଉଛି। ଏହି ୧୬ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଗଡ଼ୁଛି। ପ୍ରାୟ ଦୁର୍ଘଟଣା କ୍ଷେତ୍ରରେ ସମାନତା ହେଉଛି, ପଥଚାରୀ ରାସ୍ତା ଏ ପାଖରୁ ସେ ପାଖ ଅତିକ୍ରମ କରିବା ସମୟରେ ବସ୍ କିମ୍ବା ଟ୍ରକ୍ ଚକା ତଳେ ଜୀବନ ହାରୁଛନ୍ତି। ବରମୁଣ୍ଡା ଫ୍ଲାଏଓଭର୍‌ରେ ପୂର୍ବରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁ ନଥିବା ବେଳେ ହଠାତ୍‌ ଏଭଳି ଲଗାତାର ଦୁର୍ଘଟଣା ପଛରେ ଏନ୍‌ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ କାମ ଓ ବେପରୁଆ ମନୋଭାବକୁ ଲୋକ ଦାୟୀ କରିଛନ୍ତି। ମାସ ମାସ ଧରି ଏହି ଫ୍ଲାଏଓଭର୍‌ରେ ଅନ୍ଧାର ରାଜୁତି କରୁଛି। ଦୀର୍ଘ ଦିନ ହେଲା ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନାହିଁ। ଜାତୀୟ ରାଜପଥର ଏହି ପ୍ରମୁଖ ଛକ ଅନ୍ଧାର ରହୁଥିବାରୁ ବେଶି ଦୁର୍ଘଟଣା ଘଟୁଛି। ଗତ ରବିବାର ବିଳମ୍ବିତ ରାତିରେ ଏଇଥିପାଇଁ ଫ୍ଲାଏଓଭର୍‌ରେ ଜଣେ ପଥଚାରୀଙ୍କର ଟ୍ରକ୍ ଧକ୍କାରେ ଜୀବନ ଯାଇଛି।

ସୂଚନାନୁଯାୟୀ, କିଛି ମାସ ତଳେ ଏଠାରେ ଜାତୀୟ ରାଜପଥରେ ମରାମତି କାମ ହୋଇଥିଲା। ଟେଣ୍ଡର୍ ନେଇଥିବା ସଂସ୍ଥା ଖଣ୍ଡଗିରି ରମାମଣି ପେଟ୍ରୋଲ୍ ପମ୍ପ୍ ପୂର୍ବରୁ କାମ ଆରମ୍ଭ କରି ଫାୟାର ଷ୍ଟେସନ୍‌ରୁ ଜାତୀୟ ରାଜପଥକୁ ସଂଯୋଗ କରିଥିବା ରାସ୍ତା ପର୍ଯ୍ୟନ୍ତ କାମ କରିଥିଲା। ଫ୍ଲାଏଓଭର ମଝିରେ ମେଡିଆନ୍ କଟ୍ ନଥିବାରୁ ଓ ସର୍ଭିସ ରୋଡ୍ ଦେଇ ମେସିନ୍ ନେବା ବ୍ୟୟ ବହୁଳ ତଥା ସମ୍ଭବ ହେଉନଥିବାରୁ ରମାମଣି ପେଟ୍ରୋଲ ପମ୍ପ୍ ଏବଂ ବରମୁଣ୍ଡା ସର୍ଭିସ ରୋଡ୍ ସମ୍ମୁଖ ରାଜପଥର ଡିଭାଇଡର୍ ଓ ବ୍ୟାରିକେଡ୍‌କୁ ଭାଙ୍ଗି ଦିଆଯାଇଥିଲା। ମାତ୍ର ରାସ୍ତା କାମ ସରିବାକୁ ଇତି ମଧ୍ୟରେ ପ୍ରାୟ ମାସାଧିକ କାଳ ବିତିଥିଲେ ସୁଦ୍ଧା ରାସ୍ତା ମଝିରେ ପୂର୍ବବତ୍ ଡିଭାଇଡର୍ ଓ ବ୍ୟାରିକେଡ୍ ଲଗାଯାଇନାହିଁ। ଯାହା ବରମୁଣ୍ଡା ଫ୍ଲାଏଓଭରକୁ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ନୂଆ ପରିଚୟ ଦେଇଛି। ଗୋଟେ ପଟେ ରମାମଣି ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଖଣ୍ଡଗିରିର ସର୍ଭିସ ରୋଡ୍ ସଂଯୋଗ ହୋଇଥିବାରୁ ଘରୋଇ ବସ୍‌ ଖଣ୍ଡଗିରି ଫ୍ଲାଏଓଭର ଆରମ୍ଭରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ସେଥିପାଇଁ ଯାତ୍ରୀମାନେ ସର୍ଭିସ ରୋଡ୍‌ ରେ ଯାଇ ରାସ୍ତା ବୁଲି ଅପରପଟକୁ ଯିବା ପରିବର୍ତ୍ତେ ସର୍ଟକଟ୍ ତଥା ବିପଜ୍ଜନକ ଭାବେ ଏହି ଅସଜଡ଼ା ଡିଭାଇଡର୍ ଡେଇଁ ରାସ୍ତା ପାର୍‌ ହେଉଛନ୍ତି। ଯେଉଁଥିପାଇଁ ଅସାବଧନତା ହୋଇ ଟ୍ରକ୍‌ ଓ ବସ୍‌ ଧକ୍କାରେ ଜୀବନ ଯାଉଛି। ସେହିଭଳି ଫାୟାର ଷ୍ଟେସନ୍‌ରୁ ରାଜପଥକୁ ସଂଯୋଗ କରିଥିବା ସର୍ଭିସ ରୋଡ୍‌ରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଭୁବନେଶ୍ବର ଯିବା ବାଟରେ ବସ୍‌ଗୁଡ଼ିକ ଫ୍ଲାଏଓଭର୍ ଆରମ୍ଭରୁ ଗାଡ଼ି ରଖି ଯାତ୍ରୀ ଉଠାଉଥିବା ବେଳେ ବାରମ୍ବାର ଏହିଭଳି ଅଘଟଣ ଘଟୁଛି। ଏହା ସହିତ ରାଜପଥ ଉପରେ ବେଆଇନ୍ ଭାବେ ଅନେକ ଅଟୋ ଷ୍ଟାଣ୍ଡ୍‌ ଥିବାରୁ ଏହା ମଧ୍ୟ ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଛି। ତେବେ ଏନେଇ ଏନ୍‌ଏଚ୍‌ଏଆଇର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ମେଡିଆନ୍‌ ଭାଙ୍ଗି ମରାମତି କାମ କରାଯାଏ। କିନ୍ତୁ ମରାମତି ସରିବା ମାତ୍ରେ ମେଡିଆନ୍‌ ବା ଡିଭାଇଡର୍‌କୁ ପୁଣି ବନ୍ଦ କରିବା ଉଚିତ। କାରଣ ସେମିତି ଖୋଲା ଛାଡ଼ିଦେଲେ, ଲୋକେ ସେହି ବାଟରେ ଚାଲିଯିବେ ଓ ମରଣମୁହଁରେ ପଡ଼ିବେ।

Telegraph India

ବଡ଼ ସମସ୍ୟା ହେଉଛି, ବରମୁଣ୍ଡା ଫ୍ଲାଏଓଭର୍‌ ଦୀର୍ଘ ୬ମାସରୁ ଅଧିକ ସମୟ ହେବ ଅନ୍ଧାରରେ ରହିଛି। ଷ୍ଟ୍ରିଟ୍‌ ଲା‌ଇଟ୍‌ କେବୁଲ କଟିଛି କି ଅନ୍ୟ କୌଣସି ସମସ୍ୟା ପାଇଁ ଲାଇଟ୍ ଜଳୁନାହିଁ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଏପରିକି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ଲାଇଟ୍ ସଜାଡ଼ିବା ପାଇଁ ବରମୁଣ୍ଡା ଫ୍ଲାଏଓଭର୍‌ର ପ୍ଲାନ୍ ଖୋଜିବାରେ ଲାଗିପଡ଼ିଛନ୍ତି। ଏହା ବଡ଼ ବିଚିତ୍ର ସ୍ଥିତି ବୋଲି କୁହାଯାଉଛି। ଫ୍ଲାଏଓଭର୍ କାମ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଅନୁମୋଦିତ ପ୍ଲାନ ଅନୁସାରେ ହୋଇଥିବା ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ କେବୁଲ୍‌ କେଉଁଠି ରହିଛି, ତାହାକୁ ବିଭାଗୀୟ ଯନ୍ତ୍ରୀମାନେ ପାଉନାହାନ୍ତି। ଏନେଇ ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ମୁଖ୍ୟ ରାମପ୍ରସାଦ ପଣ୍ଡା କହିଛନ୍ତି, ଦୀର୍ଘ ବର୍ଷ ତଳୁ ବରମୁଣ୍ଡା ଫ୍ଲାଏଓଭର୍ ନିର୍ମାଣ କରାଯାଇଥିଲା। ତେଣୁ ସେତେବେଳେ ଫ୍ଲାଏଓଭର ତିଆରି ପାଇଁ ଅନୁମୋଦିତ ନକ୍ସା ବା ପ୍ଲାନ୍‌ରେ ଲାଇଟ୍‌ର କେବୁଲ କେମିତି ସଂଯୋଗ ହୋଇଥିଲା, ତା’ ଜଣାପଡ଼ୁନାହିଁ। ନକ୍ସା ଖୋଜା ଚାଲିଛି ଓ ଖୁବ୍‌ ଶୀଘ୍ର ଲାଇନ୍‌ର କେବୁଲ୍ ଖୋଜି ତା’କୁ ସଜଡ଼ାଯିବ। ସେହିଭଳି ଯେଉଁଠି ଡିଭାଇଡର୍ ଓ ବ୍ୟାରିକେଡ୍ ଭଙ୍ଗାଯାଇଛି, ତାକୁ ଆସନ୍ତା ରବିବାର ସୁଦ୍ଧା ସଜାଡ଼ି ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର