ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ : ଜାଣନ୍ତୁ ଶୀର୍ଷ ୧୦ରେ ରହିଛନ୍ତି କେଉଁ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ବା ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ତେବେ ୧୩୭ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି।

ଜୁପିଟର୍‌ ସାଇନ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ସୁଦୀପ ସୁଦର୍ଶନ ରଣା ସର୍ବାଧିକ ୫୭୪ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ସାର୍ଥକ ରଞ୍ଜନ ରାଉତ , ତୃତୀୟ ସ୍ଥାନରେ ରହିଛନ୍ତି ଟାଙ୍ଗୀର ଟେଟ୍ରାହେ‌େଡେନ୍  ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ଶୁଭଜିତ୍‌ ସାହୁ, ଚତୁର୍ଥ ସ୍ଥାନରେ ଅଛନ୍ତି ଭୁବନେଶ୍ବର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ନିମାଇଁ ବିଶ୍ବରଞ୍ଜନ ବେହେରା, ପଞ୍ଚମ ସ୍ଥାନରେ ରହିଛନ୍ତି ସରସ୍ବତୀ ବିଦ୍ୟା ମନ୍ଦିରର ଇପ୍ସିତା ମହାପାତ୍ର, ଷଷ୍ଠ ସ୍ଥାନରେ ଅଛନ୍ତି ରେମୁଣା ଝାଡେଶ୍ବର ସାଇନ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ଅଭିରୁପା ମାଇତି, ସପ୍ତମ ସ୍ଥାନରେ ରହିଛନ୍ତି  ମଲିକାଶପୁର ସୁଲଗ୍ନା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ବିଜୟ କୁମାର ପାଣିଗ୍ରାହୀ, ଅଷ୍ଟମ ସ୍ଥାନରେ ରହିଛନ୍ତି ଆଦ୍ୟନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ସୁବ୍ରତ ଚନ୍ଦ୍ର ନାହା, ନବମ ସ୍ଥାନରେ ଅଛନ୍ତି ସମ୍ବଲପୁର ବିକାଶ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ଛବିରାଣୀ ରାଣା ଓ ଦଶମ ସ୍ଥାନରେ ଅଛନ୍ତି ସୁଦୋପଡ଼ାର ଯୁବୋଦୟ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ଜ୍ୟୋତିରାଜ୍‌ ପ୍ରଧ‌ାନ।

ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ବା ୨୫,୩୩୯ ଜଣ ପିଲା ପାସ କରିଛନ୍ତି । ୨୦୧୯ରେ ୨୦୮୦୬ ଜଣ ପିଲା ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ୧୩୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାସ କରିଛନ୍ତି ଯାହାକି ଗତ ବର୍ଷ ୨୩୯୦୪ ଥିଲା । ୩ୟ ଶ୍ରେଣୀରେ ୧୮,୨୬୮ ଜଣ ବା ୧୯ ପ୍ରତିଶତ ପିଲା ପାସ କରିଛନ୍ତି । ରାଜ୍ୟର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପିଲା ପାସ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପିଲା ପାସ କରିଛନ୍ତି ।

ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାସ କରିପାରିନାହାନ୍ତି । ଏସବୁ ସ୍କୁଲ ବା ଜୁନିୟର କଲେଜ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାସହାର କମିଥିବା ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର