ସମ୍ବାଦ-ଆମ ଓଡ଼ିଶା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ

ସମ୍ବଲପୁର: ‘ସମ୍ବାଦ-ଆମ ଓଡ଼ିଶା’ ଆନୁକୂଲ୍ୟରେ ଗତ ୧୧ ତାରିଖ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ଷିକ ପ୍ରତିଯୋଗିତା ତଥା ରାଜ୍ୟପାଳଙ୍କ ଆଗ୍ରହ କ୍ରମେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆୟୋଜିତ ‘ମୋ ସ୍ବପ୍ନର ଓଡ଼ିଶା’ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ରବିବାର ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ସହରର ୩ଟି କେନ୍ଦ୍ରରେ ଆୟୋଜିତ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ଦିଆ ଯାଇଥିଲା। ସେହିପରି ୯ଟି କେନ୍ଦ୍ରରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ସ୍ବତନ୍ତ୍ର ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟପାଳଙ୍କ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର. ସଂଯୁକ୍ତା ଦାସ, ଶିକ୍ଷାବିତ୍ ପ୍ର. କାମଦେବ ସାହୁ, ସଂଗୀତଜ୍ଞ ରମେଶ ମହାନନ୍ଦ, କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ମୁଖ୍ୟ ପ୍ରତି‌ନିଧି ଜ୍ଞାନରଂଜନ ମିଶ୍ର ସଂଯୋଜନା କରିଥିଲେ। ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ, ବିଜ୍ଞାପନ ବିଭାଗ ମୁଖ୍ୟ ପ୍ରବନ୍ଧକ ରାକେଶ ମିଶ୍ର, ଅଧିକାରୀ ଚିନ୍ମୟ ଦାଶ, ବିତ୍ତ ବିଭାଗ ଅଧିକାରୀ ପ୍ରତାପ ମିଶ୍ରଙ୍କ ସମେତ ‘ସମ୍ବାଦ’ର କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଏଜିଏମ୍ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ବିତର୍କ ଜିତିଲେ ପୀୟୁଷ, ଆର୍ଯ୍ୟନ୍ ଓ ସୃଷ୍ଟି

ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଉପରେ ମନ ଖୋଲି କହିଥିଲେ ଛାତ୍ରଛାତ୍ରୀ। ଏପରିକି କିଛି ବିଦ୍ୟାର୍ଥୀ ତ ନିଜର ବ୍ୟକ୍ତିଗତ ଅନୁଭବ ଓ ମନର ବେଦନାକୁ ସମସ୍ତଙ୍କ ଆଗରେ ବ୍ୟକ୍ତ କରି ପକାଇଥିଲେ। ଏଭଳି ସୁଯୋଗ ସୃଷ୍ଟି କରିଥିଲା ‘ସମ୍ବାଦ’ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତା। ସମ୍ବଲପୁର ସମ୍ବାଦ ଭବନରେ ଆୟୋଜିତ ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’ ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୩ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଏହାର ସପକ୍ଷ ଓ ବିପକ୍ଷରେ ମତ ରଖିଥିଲେ। ଅନେକ ଏହି ବିଷୟ ବିପକ୍ଷରେ କହି ପରିବାର ନୁହେଁ ଅନ୍ୟାନ୍ୟ ପରିସ୍ଥିତି ଓ ସମାଜ ଆତ୍ମହତ୍ୟାର କାରଣ ବୋଲି ଯୁକ୍ତି ଦର୍ଶାଇ ଥିଲାବେଳେ ଅଧିକାଂଶ ଯୁବବର୍ଗର ଆତ୍ମହତ୍ୟା ପାଇଁ ପରିବାରକୁ ଦାୟୀ କରିଥିଲେ।

ଛାତ୍ରଛାତ୍ରୀମାନେ ମୁଖ୍ୟତଃ ପାଠପଢ଼ା ଓ କ୍ୟାରିୟର ଚୟନ ନେଇ ପିଲାଙ୍କ ଉପରେ ଅଭିଭାବକଙ୍କ ଚାପକୁ ନାପସନ୍ଦ କରିଥିଲେ। ଜୋରଦାର ବିତର୍କ ଓ ପରସ୍ପରର ଯୁକ୍ତି ଖଣ୍ଡନ ମଧ୍ୟରେ ଏହି ବିତର୍କ ପ୍ରତିଯୋଗିତା ୪ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା। ଏଥିରେ ଭିମସାର୍‌ର ଛାତ୍ର ପୀୟୂଷ ପ୍ରତୀକ ପ୍ରଥମ, ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଲାଙ୍ଗୀରର ଛାତ୍ର ଆର୍ଯ୍ୟନ୍ ରାଉତ ଦ୍ବିତୀୟ ଏବଂ ଓୟୁଏଟି ଚିପିଲିମାର ଛାତ୍ର ସୃଷ୍ଟି ସୌରଭ ମିଶ୍ର ତୃତୀୟ ସ୍ଥାନ ଲାଭ କରିଥିଲେ। ପ୍ରତିଯୋଗିତାରେ ବରଗଡ଼ର ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଯୁକ୍ତା ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କାମଦେବ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ବିଜ୍ଞ ବିଚାରକ ମଣ୍ଡଳୀ ପ୍ରତିଯୋଗୀ ମାନଙ୍କ ତର୍କର ବିଚାର କରିବା ସହ ସେମାନଙ୍କୁ ଏ ସଂପର୍କରେ ଉପାଦେୟ ପରାମର୍ଶ ‌ମଧ୍ୟ ଦେଇଥିଲେ। ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ୨୮ଟି ଭିନ୍ନଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

 ସାରେଗାମାରେ ଆସ୍ଥା, ଗାୟତ୍ରୀ, ପୂଜା ବିଜୟୀ

କିଏ ମା’ ସମଲେଇଙ୍କ ବନ୍ଦନା ତ କିଏ ଜଗନ୍ନାଥ ଜଣାଣ, କିଏ ଝୁମାଝୁମା ଗୋଲାପୀ ବେଳାରେ ମୟୂରୀକୁ ପ୍ରେମ ନିବେଦନ ତ କାହା କଣ୍ଠରୁ ପୁଣି ମେରେ ନୈନା ସାୱନ୍ ଭାଦୋ ଭଳି ବେଦନାର ତାନ। ଭଳିକି ଭଳି ମନଛୁଆଁ ଗୀତରେ ସଂଗୀତମୟ ହୋଇ ଉଠିଥିଲା ସମ୍ବଲପୁରର ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟ। ପଶ୍ଚିମ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନଙ୍କରୁ ଆସିଥିବା ଯୁବ କଣ୍ଠଶିଳ୍ପୀଙ୍କ ସ୍ବରର ଯାଦୁରେ ମନ୍ତ୍ରମୁଗ୍‌ଧ ହୋଇଥିଲେ ଶ୍ରୋତା। ଅବସର ଥିଲା ‘ସମ୍ବାଦ’ ଆନୁକୂଲ୍ୟରେ ଅନୁଷ୍ଠିତ ସମ୍ବଲପୁର ଜୋନ୍‌ସ୍ତରୀୟ ସା-ରେ-ଗା-ମା ପ୍ରତିଯୋଗିତା। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଅନ୍ତର୍ଗତ ୯ଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୬୮ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ନିଜ ମନ ପସନ୍ଦର ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ।

ଏଥିରେ ବିକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନୋଲଜି ବରଗଡ଼ର ଛାତ୍ରୀ ଆସ୍ଥା ମହାପାତ୍ର ପ୍ରଥମ, ଡିଏଭି ପବ୍ଲିକ୍ ସ୍କୁଲ୍ ବୁର୍ଲାର ଛାତ୍ରୀ ଗାୟତ୍ରୀ ତ୍ରିପାଠୀ ଦ୍ବିତୀୟ ଏବଂ ଭିଏସ୍‌ଏସ୍‌ୟୁଟି ବୁର୍ଲାର ଛାତ୍ରୀ ପୂଜା ପ୍ରତ୍ୟାଶା କୁଅଁର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ବିଶିଷ୍ଟ କଣ୍ଠଶିଳ୍ପୀ ବିୂଭତି ପଟ୍ଟନାୟକ ଓ ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦ ବିଚାରକ ଭାବେ ଯୋଗ ଦେଇଥିଲେ। ତ୍ରିଲୋଚନ ତ୍ରିପାଠୀଙ୍କ ସଂଯୋଜନାରେ ଦେବାଶିଷ ପାଢ଼ୀ, ସୁବାସ ଭୋଇ, ଭାଗୀରଥି ସିଂହଦେଓ, ସୁରେନ୍ଦ୍ର ବାଗ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। କମଳ ଷଡ଼ଙ୍ଗୀ ଶବ୍ଦ ସଂଯୋଜନା କରିଥିଲେ। ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ତିନି ବିଚାରକଙ୍କ ସଂଗୀତର ଯାଦୁ ସମସ୍ତଙ୍କୁ ବିଭୋର କରିଦେଇଥିଲା।

ସମ୍ବନ୍ଧିତ ଖବର