ରଶ୍ମି ସାହୁଙ୍କୁ ‘ଶ୍ରେଷ୍ଠ ଓଡ଼ିଆଣୀ’ ସମ୍ମାନ

‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା-୨୦୨୧’ର ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ଆଜି ବିଶ୍ବ ମାତୃଭାଷା ଦିବସ ଅବସରରେ ସଂଭାବନାର ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା-୨୦୨୧’ର ସମ୍ବର୍ଦ୍ଧନା ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ୧୧ଟି ପର୍ଯ୍ୟାୟରେ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ରଶ୍ମି ସାହୁ ‘୨୦୨୧ ମସିହା ପାଇଁ ଶ୍ରେଷ୍ଠ ଓଡ଼ିଆଣୀ’ ସ୍ଥାନ ଅଳଙ୍କୃତ କରିଛନ୍ତି। ଏଥିସହ ‘ସହ-ଶ୍ରେଷ୍ଠ ଓଡ଼ିଆଣୀ’ ଭାବେ ବିଦୁଲତା ସ୍ବାଇଁଙ୍କ ନାମ ଘୋଷଣା କରାଯାଇଛି।

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉତ୍ସବ ଓ ବିଶ୍ୱ ମାତୃଭାଷା ଦିବସ ସମାରୋହରେ ଉଦ୍‌ଘାଟକ ଭାବେ କଣ୍ଠଶିଳ୍ପୀ ତୃପ୍ତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, କିଂବଦନ୍ତି ଗାୟକ ପ୍ରଣବ କିଶୋର ପଟ୍ଟନାୟକ ଓ ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ, କସ୍ତୁରିକା ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ସଂଭାବନାର ପରିଚାଳନା ଟ୍ରଷ୍ଟି ତଥା ସଂପାଦକ ଦେବ ପ୍ରସାଦ ପରିଜା।

ଟ୍ରଷ୍ଟି ସ୍ମୃତି ମହାନ୍ତି ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ୧୦ଟି ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଯଥା, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ବେବିରାଣୀ ଦାସ, ମିତାଞ୍ଜଳି ସାହୁ, ଜ୍ୟୋତି ଗିରି, ବିଦ୍ୟୁତପ୍ରଭା ନନ୍ଦ, ସୌଦାମିନୀ ମହାନ୍ତି, ରୀନା ମିଶ୍ର, ରେଣୁବାଳା ସାହୁ, ପ୍ରଣତି ପାଇକରାୟ, ମଧୁସ୍ମିତା ପଟ୍ଟନାୟକଙ୍କ ନାମ ଘୋଷଣା କରିଥିଲେ। ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଂଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ରୋଷେଇ ଜ୍ଞାନ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ ଓ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ ସ୍ଥାନରେ ଥିବା ୨୧ଜଣ କୃତୀ ଓଡ଼ିଆଣୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ରଶ୍ମି ସାହୁଙ୍କୁ ରୁପା ତାରକସିର ବୋଇତ, ପୁଷ୍ପଗୁଚ୍ଛ ଓ ସମ୍ବଲପୁରୀ ଶାଢ଼ି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ବିଦୁଲତା ସ୍ବାଇଁଙ୍କୁ ରୁପା ତାରକସିର କୋଣାର୍କ ଚକ୍ର ଓ ସମ୍ବଲପୁରୀ ଶାଢ଼ି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ୨୦୧୯ର ସହ-ଶ୍ରେଷ୍ଠ ଓଡ଼ିଆଣୀ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି।

ଏହି ଅବସରରେ ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ବିପୁଲ ଓ ଛନ୍ଦା ମିଶ୍ର ପ୍ରମୁଖ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ। ବିଶେଷତଃ ଲତାଜୀଙ୍କୁ ସମ୍ମାନ ଜଣାଇ ତାଙ୍କର ଦୁଇଟି ଓଡ଼ିଆ ସଂଗୀତ ‘ଆଜି ମୁଁ ଶ୍ରାବଣୀ… ଓ ‘ସେଇ ଚୁନା ଚୁନା ତାରା ଫୁଲେ… ଛନ୍ଦା ମିଶ୍ର ଗାନ କରିଥିଲେ। ପ୍ରତୀକ୍ଷା ସାହୁ ଓ ସାଥୀ କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସଂଭାବନାର ସଦସ୍ୟ ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର ଓ ପ୍ରଫୁଲ୍ଲ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର