ଭୁବନେଶ୍ୱର: କମିସନରେଟ୍ ପୁଲିସରେ ଥିବା ମଡେଲ ଥାନା ତମାଣ୍ଡୋ ଭଳି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଆଦର୍ଶ (ମଡେଲ) ଥାନା ପ୍ରତିଷ୍ଠା କରାଯିବ। ସେହିପରି ପ୍ରତ୍ୟେକ ପୁଲିସ ମୁଖ୍ୟାଳୟ ସମେତ ରେଞ୍ଜ ଡିଆଇଜି, ଆଇଜି ଓ ଏସ୍ପିଙ୍କ କାର୍ଯ୍ୟାଳୟରେ ଇ-ଅଫିସ ଖୋଲିବ। ଏହା ଦ୍ୱାରା ପୁଲିସ ବିଭାଗରେ ସ୍ୱଚ୍ଛତା ରହିବା ସହିତ ବିଭାଗଗୁଡିକୁ ଇଣ୍ଟରନେଟ୍ ମାଧ୍ୟମରେ ଯୋଡ଼ା ଯାଇ ପାରିବ ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଆଜି ପୁଲିସ ଭବନଠାରେ ଆୟୋଜିତ ୬୦ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀକୁ ଉଦ୍ଘାଟନ କରି ଡିଜି ଶ୍ରୀ ଶର୍ମା କହିଛନ୍ତି ଯେ ଦିନକୁ ସାରା ରାଜ୍ୟରେ ସାଇବର ଅପରାଧ, ଭାଇରାଲ ଭିଡିଓ, ସଂଗଠିତ ଅପରାଧ ବଢ଼ୁଥିବାବେଳେ ବିିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଅପରାଧ କ୍ଷେତ୍ରରେ ଏଭଳି ଦ୍ରୁତଗତିରେ ବଦଳୁଥିବା ଧାରା ସହିତ ତାଳ ଦେଇ ଏହାର ମୁକାବିଲା ପାଇଁ ପୁଲିସକୁ ମଧ୍ୟ ଆଧୁନିକ ହେବାକୁ ପଡ଼ିବ। ସାଇବର ଅପରାଧର କିଭଳି ତଦନ୍ତ କରିବ ସେ ନେଇ ତାଲିମ ନେବାକୁ ପଡ଼ିବ ଏବଂ ଆଧୁନିକ ବୈଷୟିକ ଜ୍ଞାନ ସହଯୋଗରେ ଅତ୍ୟାଧୁନିକ ଯନ୍ତ୍ରପାତି ଚଳାଇବାରେ ଦକ୍ଷତା ହାସଲ କରିବାକୁ ପଡ଼ିବ। ସେ ଆହୁରି କହିଲେ ଯେ ପୁଲିସକୁ ଜନତାଙ୍କ ଶ୍ରଦ୍ଧାଭାଜନ ଓ ଆସ୍ଥାଭାଜନ ହେବାକୁ ପଡ଼ିବ। ପୁଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ସହ ସୋସିଆଲ ମିଡିଆର ବ୍ୟବହାର ବହୁଳ କରିବା ଆବଶ୍ୟକ। ବିନା ଦ୍ୱନ୍ଦ୍ୱରେ ମାମଲା ରୁଜୁ କରିବା ସହିତ ଦୋଷୀ କିଭଳି କୋର୍ଟରେ ଦଣ୍ଡିତ ହେବ ସେ ନେଇ ମଧ୍ୟ ପୁଲିସ ଅଧିକାରୀମାନେ ତତ୍ପର ହେବା ଜରୁରୀ। ଠିକ୍ ସମୟରେ ମାମଲାର ଚାର୍ଜସିଟ୍ ଦାଖଲ କରିବା ସହିତ ସମ୍ବେଦନଶୀଳ ମାମଲାର ତଦାରଖ ଏସ୍ପି, ଡିଆଇଜି ଓ ଆଇଜିମାନେ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ବିଭାଗର ବରିଷ୍ଠ ଅଧିକାରୀମାନେ ବିଭାଗର ନେତୃତ୍ୱ ନେବା ଉଚିତ ବୋଲି ମତ ଦେଇ ଶ୍ରୀ ଶର୍ମା କହିଲେ ଯେ ପୁଲିସ ଅଧିକାରୀମାନେ ବିଭିନ୍ନ ସମୟରେ ଆଲୋଚନାଚକ୍ର, ସାକ୍ଷାତକାର, ସମ୍ମିଳନୀରେ ଭାଗ ନେବା ଆବଶ୍ୟକ। ଏହା ଦ୍ୱାରା ପୁଲିସ ଉଭରେ ସାଧାରଣ ଲୋକଙ୍କ ଭରସା ବଢ଼ିବ। ଏହି ଅବସରରେ ଡିଜି ଶ୍ରୀ ଶର୍ମା ଯୁବ ଅଫିସରମାନଙ୍କୁ ଉତ୍ସାହିତ କରିବା ସହିତ ବିଜେପୁର ନିର୍ବାଚନରେ ବିଭିନ୍ନ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ରାଜ୍ୟର ଆଇନଶୃଙ୍ଖଳା, ଅପରାଧ ଦମନରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି ସତ୍ୟଜିତ ମହାନ୍ତି, ଗୁଇନ୍ଦା ବିଭାଗର ନିର୍ଦେଶକ ସୁନିଲ ରଏ, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଆଇଜି ଅମିତାଭ ଠାକୁରଙ୍କ ସମେତ ସମସ୍ତ ଜିଲ୍ଲା ଏସ୍ପିମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ।
ପ୍ରତି ଜିଲ୍ଲାରେ ଆଦର୍ଶ ଥାନା: ଡିଜି
ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/03/m3-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)