ବେତନଟୀ ମାମଲାରେ ଫାଶୀ ଦଣ୍ଡାଦେଶ ପ୍ରସଂଗ : ଯୁକ୍ତି ଉପସ୍ଥାପନ ଅଧା, ଜାନୁଆରି ୯ରେ ପରବର୍ତ୍ତୀ ଶୁଣାଣି

କଟକ : ବେତନଟୀ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ପ୍ରସଂଗକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆଜି ଆମିକସ୍ କ୍ୟୁରୀ ଦେବାଶିଷ ପଣ୍ଡାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯୁକ୍ତି ଉପସ୍ଥାପନ ଅଧା ରହିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରି ୯କୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ନିମ୍ନ ଅଦାଲତ ପ୍ରଦାନ କରିଥିବା ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା ସହିତ ଦଣ୍ଡାଦେଶକୁ ଚାଲେଞ୍ଜ କରି ରୁଜୁ ଅପିଲର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି। ମାମଲା ପରିଚାଳନା ପାଇଁ ହାଇକୋର୍ଟ ପକ୍ଷରୁ ଆମିକସ୍ କ୍ୟୁରୀ ଭାବେ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ବାରିପଦା ଚିଲ୍‌ଡ୍ରେନ୍ କୋର୍ଟ ବିଚାରପତି ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ(୨୫)କୁ ଦୋଷୀ ସାବ୍ୟସ୍ତ କରି ୨୦୧୯, ଅଗଷ୍ଟ ୨୮ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ପୀଡ଼ିତାଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର