ଢିଙ୍କିଆ ଚାରିଦେଶରେ ପାନ, ଜିଲ୍ଲାନାସୀରେ ପରିବା ଚାଷ ଧ୍ବଂସ

କୁଜଙ୍ଗ : ସାମୁଦ୍ରିକ ଝଡ଼ ଫନି ଧ୍ବଂସର ତାଣ୍ଡବ ରଚିଥିବା ବେଳେ କୁଜଙ୍ଗ ବ୍ଳକର ଜିଲ୍ଲାନାସୀରେ ପରିବା ଏବଂ ଏରସମା ବ୍ଳକ ଢିଙ୍କିଆ ଚାରିଦେଶରେ ପାନ ଚାଷ ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଫଳରେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହା କେବଳ ସେଠାକାର ଚାଷୀଙ୍କ ପାଇଁ ନୁହେଁ, ଗ୍ରାହକମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି।

ପ୍ରକାଶ ଯେ, କୁଜଙ୍ଗ ବ୍ଳକ ଅନ୍ତର୍ଗତ ଜିଲ୍ଲାନାସୀ ପଞ୍ଚାୟତ ଜୟଶଙ୍ଖପୁର, ଜିଲ୍ଲାନାସୀ, ତେନ୍ତୁଲିଆ ଖମାର, ସାହାରାଡ଼ିଆ, ବରିହାଡ଼ିଆ ଆଦି ଗ୍ରାମର ଲୋକମାନେ କୃଷି ଉପରେ ନିର୍ଭର କରିଥାଆନ୍ତି। ଧାନ ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ପରିବା ଚାଷ କରିଥାଆନ୍ତି। କୁଜଙ୍ଗ ବଜାରର ଆବଶ୍ୟକୀୟ ପରିବା ଚାହିଦାର ଶତକଡା ୫୦ ଭାଗ ଜିଲ୍ଲାନାସୀ ପଞ୍ଚାୟତର ଚାଷୀମାନଙ୍କ ଦ୍ୱାରା ପୂରଣ କରାଯାଇଥାଏ। ମାତ୍ର, ପଞ୍ଚାୟତରେ କରାଯାଇଥିବା ଭେଣ୍ଡି, କଲରା, ଝୁଡ଼ଙ୍ଗ, ବାଇଗଣ ଆଦି ଫସଲ ଅମଳ ସମୟରେ ଫନି ବାତ୍ୟା ଆସି ତାହାକୁ ଉଜାଡ଼ି ଦେଇଛି। ଫଳରେ ଚାଷୀ ତଥା ଖାଉଟୀଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ଏବେ ବଜାରରେ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦିତ ପରିବା ଉପଲବ୍‌ଧ ହେଉନଥିବାରୁ ବାହାରୁ ଆସୁଥିବା ପରିବା ଦର ଆକାଶ ଛୁଆଁ ହୋଇଛି। କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ସ୍ବାଇଁ ଦାବି କରିଛନ୍ତି। ସେହିପରି ଭାବେ ଏରସମା ବ୍ଳକ ଅନ୍ତର୍ଗତ ଢିଙ୍କିଆ, ଗଡ଼ କୁଜଙ୍ଗ, ନୂଆଗାଁରେ ହଜାର ହଜାର ସଂଖ୍ୟାରେ ଚାଷୀ ପାନ ଚାଷ କରିଥାଆନ୍ତି। ସେମାନେ ବର୍ଷସାରା ଉତ୍ପାଦିତ ପାନକୁ ସ୍ଥାନୀୟ ବଜାରରେ ବିକ୍ରୟ କରିବା ସହିତ ରାଜ୍ୟ ବାହାର ଅଞ୍ଚଳ ବମ୍ବେ, ବନାରସ, ଦିଲ୍ଲୀ, ଗୁଜୁରାଟ ଆଦି ସ୍ଥାନକୁ ରପ୍ତାନୀ କରିଥାଆନ୍ତି। ତେବେ ସାମୁଦ୍ରୀକ ଝଡ଼ ‘ଫନି’ର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ପାନ ବରଜ ଭାଙ୍ଗି ଯାଇଛି। ଢିଙ୍କିଆ ଗ୍ରାମରେ ୧୪୦, ଗୋବିନ୍ଦପୁରରେ ୫୦, ନୂଆଗାଁରେ ୫୦, ଗଡ଼କୁଜଙ୍ଗରେ ୩୦, ନୋଳିଆସାହିରେ ୩୦ରୁ ଅଧିକ ପାନବରଜ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଫଳରେ ଏବେ କ୍ଷତିଗ୍ରସ୍ତ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହା ପ୍ରଭାବରେ ଆସନ୍ତା ଦିନରେ ସ୍ଥାନୀୟ ବଜାରରେ ପାନ ଦର ଆକାଶଛୁଆଁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର