ରାୟଗଡ଼ା: ରାୟଗଡ଼ାରେ ବାଟବଣା ହେବାରେ ଲାଗିଛି ବାଳିକା ଶିକ୍ଷା କାର୍ଯ୍ୟକ୍ରମ। ଦାରିଦ୍ର୍ୟ, ବାଲ୍ୟ ବିବାହ ପ୍ରଥା, ଭାଷାଗତ ସମସ୍ୟା ସ୍କୁଲ୍ ପ୍ରତି ବାଳିକାଙ୍କୁ ଆକୃଷ୍ଟ କରିପାରୁନି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରୁ ହିଁ ଛାତ୍ରୀମାନେ ପାଠ ପ୍ରତି ମୁହଁ ମୋଡ଼ି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ବଢ଼ି ଚାଲିଛି ଡ୍ରପ୍ ଆଉଟ୍ ହାର୍। ପ୍ରାଥମିକ, ଉଚ୍ଚ ପ୍ରାଥମିକ ବର୍ଗ ଡ୍ରପ ଆଉଟ୍ ହାରରେ ରାୟଗଡ଼ା ଓଡ଼ିଶାରେ ସର୍ବାଗ୍ରେ ରହିଛି। ଯାହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଳିକା ଶିକ୍ଷାକୁ ଗୁରୁତ୍ବ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ହାତକୁ ନେଇଛନ୍ତି। ମାଗଣାରେ ସ୍କୁଲ୍ ଆଡମିଶନଠୁ ଆରମ୍ଭ କରି ସ୍ବତନ୍ତ୍ର ହଷ୍ଟେଲ୍, ଷ୍ଟାଇପେଣ୍ଡ, ପୋଷାକ, ଜୋତା ଓ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ବେଟି ବଚାଅ, ବେଟି ପଢ଼ାଅ ଯୋଜନାରେ ବାଳିକାଙ୍କୁ ଉଚ୍ଚ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ସିଟ୍ ମଧ୍ୟ ସଂରକ୍ଷିତ କରିଛନ୍ତି। ହେଲେ ସଚେତନତାର ଅଭାବରୁ ରାୟଗଡ଼ା ଜିଲ୍ଲାରେ ବାଳିକା ଶିକ୍ଷାହାର ପ୍ରତିଶତ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆକଳନ ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୧୧.୬୭ ପ୍ରତିଶତ ଓ ଷଷ୍ଠରୁ ଅଷ୍ଟମ ମଧ୍ୟରେ ପାଠ ଛାଡ଼ୁଛନ୍ତି ୧୭.୧୦ ଛାତ୍ରଛାତ୍ରୀ। ଯାହା ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସବା ଆଗରେ। ୬ରୁ ୧୪ ବର୍ଷ ମଧ୍ୟରେ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜିଲ୍ଲାରେ ୨୪୭୧ ଥିବା ବେଳେ ସେଥି ମଧ୍ୟରୁ କେବଳ ଛାତ୍ରୀଙ୍କ ସଂଖ୍ୟା ହେଉଛି ୧୨୦୨। ସେହିପରି ୧୧-୧୪ ବର୍ଷ ମଧ୍ୟରେ ୨୨୫୬ ଛାତ୍ରୀ ଏବଂ ୧୫-୧୯ ବର୍ଷ ମଧ୍ୟରେ ୭୯୭୧ ଛାତ୍ରୀ ପାଠ ଛାଡ଼ି ସ୍କୁଲ୍ ବାହାରେ ଥିବା ସରକାରୀ ସର୍ଭେରୁ ସ୍ପଷ୍ଟ ହୋଇଛି।
/sambad/media/post_attachments/wp-content/uploads/2021/09/RGD_Drop-Out-261x300.jpg)
ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ଜିଲ୍ଲା ସଦର ମହକୁମାରୁ ବାଳିକା ଶିକ୍ଷାର ବିକାଶ ପାଇଁ ଯୋଜନା ହେଉଛି ସେହି ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମା ବ୍ଲକରୁ ହିଁ ଅଧିକାଂଶ ଡ୍ରପ ଆଉଟ୍ ଛାତ୍ରୀ ରହିଛନ୍ତି। ରାୟଗଡ଼ା ସଦର ବ୍ଲକରୁ ୬ରୁ ୧୧ ବର୍ଷ ବର୍ଗରେ ୭୨୪, ୧୧-୧୪ ବର୍ଷ ବର୍ଗରେ ୨୪୯, ୧୫ରୁ ୧୯ ବର୍ଷ ବର୍ଗରେ ୧୧୪୦ ଛାତ୍ରୀ ସ୍କୁଲ୍ ବାହାରେ ରହିଛନ୍ତି। ସେହିପରି ଗୁଣପୁର ଉପଖଣ୍ଡ ସଦର ବ୍ଲକରୁ ୧୧ରୁ ୧୪ ବର୍ଷ ବର୍ଗରେ ୯୯, ୧୫ରୁ ୧୯ ବର୍ଷ ବର୍ଗରେ ୧୧୫୭, କଲ୍ୟାଣସିଂହପୁର ବ୍ଲକରେ ୧୧ରୁ ୧୪ ବର୍ଷ ବର୍ଗରେ ୨୮୪, ୧୫ରୁ ୧୯ ବର୍ଷ ବର୍ଗରେ ୧୫୨୮ ଛାତ୍ରୀ ଅଧାରୁ ପାଠ ଛାଡ଼ି ଅନ୍ୟ କାମରେ ନିୟୋଜିତ ହୋଇଛନ୍ତି। ଏହି ୩ ବ୍ଲକ୍ ହିଁ ଡ୍ରପ୍ ଆଉଟ୍ କ୍ଷେତ୍ରରେ ଜିଲ୍ଲାକୁ ଚିନ୍ତାରେ ପକାଇଛି। ପାଠ ଛାଡ଼ିଥିବା ଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି, କେରଳ, ତାମିଲନାଡ଼ୁର ବିଭିନ୍ନ କାରଖାନା ଓ ନିର୍ମାଣଧୀନ ସଂସ୍ଥାରେ ଚୁକ୍ତି ଭିତ୍ତିରେ ଏହି ବାଳିକାମାନେ କାମ କରୁଛନ୍ତି। ଶିଶୁ ଶ୍ରମିକ ଚାଲାଣ ଓ ଦାଦନ ରୋକିବାକୁ ରାଜ୍ୟ ସରକାର ୩ ବର୍ଷ ତଳେ ସ୍ବତନ୍ତ୍ର ଟାସ୍କ ଫୋର୍ସ କମିଟି ଗଠନ କରିଥିଲେ। ଶିଶୁ ଶ୍ରମିକଙ୍କୁ ଖୋଜି ବାହାର କରି ପୁଣି ସ୍କୁଲ୍ ମୁହାଁ କରିବାକୁ ଶ୍ରମ ବିଭାଗକୁ ନିର୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ଶ୍ରମ ବିଭାଗର ଖାମଖିଆଲ ନୀତି ଯୋଗୁ ସର୍ଭେ କାର୍ଯ୍ୟ ଆଜି ସୁଦ୍ଧା ହୋଇପାରିନି। ଅନ୍ୟପକ୍ଷରେ ବାଲ୍ୟ ବିବାହ ପ୍ରଥା ଡ୍ରପ୍ ଆଉଟ୍ ବଢ଼ିବାର ମୁଖ୍ୟ କାରଣ ସାଜିଛି। ବହୁ ବାଳିକା କମ୍ ବୟସରୁ ବିବାହ କରୁଥିବାରୁ ବିବାହ ପରେ ଆଉ ସ୍କୁଲ୍ ପିଣ୍ଡା ମାଡ଼ୁ ନାହାନ୍ତି। ରାଜ୍ୟସ୍ତରରେ ରାୟଗଡ଼ା ବାଲ୍ୟ ବିବାହରେ ପଞ୍ଚମ ସ୍ଥାନରେ ରହିଛି। ଏହି କୁପ୍ରଥାକୁ ରୋକିବାକୁ ସରକାର ପଦକ୍ଷେପ ନେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Beti-Bachao-Beti-Padhao-Yojana.png)