ମୋତେ ଡାଇରେକ୍ଟ୍ ଫୋନ୍ କରିବେ, ମ୍ୟାଡାମଙ୍କ କଥା ମୁଁ ବୁଝିବି
ରଫାଦଫା ଉଦ୍ୟମକୁ ନେଇ ଆସିଲା ସାଂଘାତିକ ଅଭିଯୋଗ
ଅଭିଜିତ ସହିତ ସମ୍ପର୍କ ଥିଲା, ମାତ୍ର ଆଉ ରହିବନି: ତହସିଲଦାର
ବାରିପଦା : ‘‘ମ୍ୟାଡାମଙ୍କ କଥା ମୁଁ ବୁଝିବି। ଆପଣ ସିଧାସଳଖ ମୋ ସହିତ ଯୋଗାଯୋଗ କରିବେ। ମୋରମ ଗାଡ଼ି ହେଉ କି ବାଲି ଗାଡ଼ି ଜବତ, ସବୁକଥା ମୋ ସହିତ ଆଲୋଚନା କରିବ।’’ ଏହା କୌଣସି ଅଧିକାରୀଙ୍କ କଥା ନୁହେଁ। ବେତନଟୀ ତହସିଲରେ ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ ଯୁବକଙ୍କ ଫୋନ୍ ଜରିଆରେ ବାର୍ତ୍ତାଳପ। ନିଜକୁ ବେତନଟୀ ତହସିଲଦାର ଅନିସା ଦାସ’ଙ୍କ ଅତ୍ୟନ୍ତ ଘନିଷ୍ଠ ଦର୍ଶାଇ ଅଭିଜିତ ନାମକ ଜଣେ ଯୁବକ ଜବତ ହୋଇଥିବା ଏକ ମୋରମ ଗାଡ଼ିର ମାଲିକଙ୍କ ପୁଅ ସହିତ ଏହି ଆଲୋଚନା। ଏହି ଅଭିଜିତ ନାମକ ଜଣେ ଯୁବକ ବେତନଟୀ ତହସିଲର କୌଣସି କର୍ମଚାରୀ କିମ୍ବା ଅଧିକାରୀ ନହୋଇ ମଧ୍ୟ ଯେପରି ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରେ ତାହା କଳ୍ପନାତୀତ। ବେତନଟୀ ତହସିଲ ଅଞ୍ଚଳରେ ଚାଲିଥିବା ସମସ୍ତ ସରକାରୀ ପ୍ରକ୍ରିୟାରେ ଯେ ଦଲାଲଙ୍କର ଆଶାତୀତ ସଂପୃକ୍ତି ରହିଛି ତାହା ଖୋଦ୍ ତହସିଲଦାରଙ୍କ ଉପସ୍ଥିତିରେ ଏହି ଯୁବକଙ୍କର ଉକ୍ତ ଗାଡ଼ି ମାଲିକ ସହିତ ଆଲୋଚନା ପ୍ରମାଣ କରୁଛି।
ଅଭିଜିତ ନାମକ ଏହି ଯୁବକଙ୍କ ସହିତ ସମ୍ପର୍କକୁ ଖୋଦ୍ ତହସିଲଦାର ସ୍ୱିକାର କରିଛନ୍ତି। ଏଠାକୁ ଆସିବା ପୂର୍ବରୁ ସେ ତାଙ୍କୁ ଜାଣିଥିବା ତହସିଲଦାର କହିଛନ୍ତି। ମାତ୍ର ତାଙ୍କ ନାମକୁ ନେଇ ଏପରି ଅପବ୍ୟବହାର କରିଥିବାରୁ ସେ କିଛି କରିପାରିବେ ନାହିଁ। ତେବେ ଆଜିଠୁ ଉକ୍ତ ଯୁବକ ସହିତ ଆଉ କୌଣସି ସମ୍ପର୍କ ରହିବ ନାହିଁ ବୋଲି ତହସିଲଦାର ଅନିଶା ଦାସ ପ୍ରକାଶ କରିଛନ୍ତି। ସୋମବାର ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଛକ ନିକଟରେ ମୋରମ ବୋଝେଇ ଦୁଇଟି ଟ୍ରକ୍ ଜବତକୁ ନେଇ ଉଠିଛି ଏପରି ବିବାଦ। ଟ୍ରକ୍ ଜବତ ଏବଂ ପରବର୍ତ୍ତୀ ସମୟରେ ଏହାର ରଫାଦଫା ଉଦ୍ୟମ ଖୋଲିଛି ବେତନଟୀ ତହସିଲ ଅଞ୍ଚଳର ଅନେକ ଗୁମର। ପୁରା କାଗଜପତ୍ର ଥାଇ ଆଇନଗତ ଭାବେ ଓଡି-୦୧-ଏଫ୍-୯୨୪୮ ନମ୍ବର ବିଶିଷ୍ଟ ଟ୍ରକ୍ରେ ମୋରମ ବୋଝେଇ ହୋଇ ଯାଉଥିବାବେଳେ ବେତନଟୀ ତହସିଲ କାର୍ଯ୍ୟାଳୟର ଏସ୍ଟିଏଫ୍ କର୍ମଚାରୀ ଭାବେ ପରିଚୟ ଦେଇ କିଛି ଯୁବକ ଗାଡ଼ି ଅଟକାଇଥିଲେ। ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ। ଟଙ୍କା ମାଗିବା ସହିତ ଚାନ୍ଦା ମାଗିଥିଲେ। ମାତ୍ର ଡ୍ରାଇଭରଙ୍କ ସନ୍ଦେହ ହେବାରୁ ସେ କାଗଜପତ୍ର ଦେଖାଇନଥିଲେ। ତେବେ ଡ୍ରାଇଭର୍ ଟ୍ରକ୍କୁ ବୈଶିଙ୍ଗା ଥାନାକୁ ନେଇଥିଲେ। ସେଠାରେ ଗାଡି ପାର୍କିଂ କରୁଥିବାବେଳେ ତହସିଲଦାର ଅନିସା ଦାସ ଆସିଥିବା ଉକ୍ତ ଟ୍ରକ୍ର ମାଲିକଙ୍କ ପୁଅ ଶ୍ରୀକାନ୍ତ ଦାସ କହିଛନ୍ତି। ମାତ୍ର ଏହି ଘଟଣାକୁ ନେଇ ବେତନଟୀ ତହସିଲଦାରଙ୍କ ସହିତ ଅଭିଜିତ ନାମକ ଜଣେ ଯୁବକ କଥାବାର୍ତ୍ତା କରାଇ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଥିରେ ରାଜି ନହେବାରୁ ଏହି କଥାକୁ ନେଇ ବିବାଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।
ତେବେ ଏହି ମାମଲାରେ କିନ୍ତୁ ତହସିଲଦାର ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଦୁଇଟି ଟ୍ରକ୍କୁ ଜବତ କରିଥିବା ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି। ବେତନଟୀ ତହସିଲ ଅଞ୍ଚଳରେ ବେଆଇନ ଭାବେ ଏପରି ଲଘୁ ଖଣିଜ ଚୋରାଚାଲଣ ହେଉଥିବା ଅଭିଯୋଗରେ ଦର୍ଶାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ଅଭିଯୋଗରେ ଦର୍ଶାଇଛନ୍ତି। ମାତ୍ର ଗାଡି ଜବତ ଏବଂ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ରଫାଦଫା କରିବାକୁ ନେଇ ବିବାଦ ଉପୁଜୁଛି। ବାହାରକୁ ଆସିଥିବା ଏକାଧିକ ଅଡିଓ ଟେପ୍ରେ ତହସିଲଦାର କେତେବେଳେ ନିଜେ ଟ୍ରକ୍ ଜବତ କରିଥିବା କହୁଛନ୍ତି ତ’ ଆଉ କେତେବେଳେ ସେ ଥାନାରେ ପହଞ୍ଚିବାବେଳକୁ ଟ୍ରକ୍ ସେଠାରେ ଥିବା କହୁଛନ୍ତି। ଏହିସବୁ ଅଡିଓ ଟେପ୍ରେ କିନ୍ତୁ ବେତନଟୀ ତହସିଲ କାର୍ଯ୍ୟାଳୟ ସହିତ ଆଦୌ ସଂପୃକ୍ତ ନଥିବା ଏକାଧିକ ଦଲାଲଙ୍କ ନାମ ସାମ୍ନାକୁ ଆସୁଛି। ଯାହାକି ବେଆଇନ ଲଘୁ ଖଣିଜ ଲୁଟ୍ ରୋକିବାକୁ ନେଇ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ସୃଷ୍ଟି କରୁଛି। ବେତନଟୀ ତହସିଲ ଅଞ୍ଚଳରେ ବେଧଡକ ଲଘୁ ଖଣିଜ ଲୁଟ୍ ଚାଲିଛି। ମାତ୍ର ଏହାକୁ ରୋକିବାକୁ ନିଆଯାଉଥିବା ସରକାରୀ କାର୍ଯ୍ୟାନୁଷ୍ଠାନ ଉପରେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସରକାରୀ ପ୍ରକ୍ରିୟାରେ ଏହି ବ୍ୟବସାୟରେ ଲିପ୍ତ କିଛି ବ୍ୟକ୍ତି ତହସିଲ କାର୍ଯ୍ୟାଳୟରେ ନିଜର ପତିଆରା ଜମାଇ ବିଭିନ୍ନ ବାଟରେ ଅନ୍ୟ ବ୍ୟବସାୟୀଙ୍କୁ ଶୋଷଣ କରୁଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।