କରୋନାରେ ବଦଳିଛି ବେଉସା

ରାଉରକେଲା : ମହାମାରୀ କରୋନା ବିଗାଡି ଦେଇଛି ଦେଶର ଆର୍ଥିକ ମେରୁଦଣ୍ଡ। କରୋନା କଟକଣା, ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଛଡାଇ ନେଇଛି ଅନେକଙ୍କ ରୋଜଗାର। କରୋନା ଚକ୍ରବ୍ୟୁହରେ ଏବେ ଘାଣ୍ଟିଚକଟି ହେଉଛି ମଣିଷ। ଦିନକୁ ଯେଉଁମାନେ ହଜାର ହଜାର ଟଙ୍କା ରୋଜଗାର କରୁଥିଲେ। ପରିବାର ହସ ଖୁସିରେ ଚଲାଉଥିଲେ, ସେମାନେ ଏବେ ଦାଣ୍ଡର ଏକ ପ୍ରକାର ଭିକାରୀ। ଦିନକୁ ଦୁଇ ଓଳି ପରିବାର ପେଟକୁ ଦାନା ଯୋଗାଡ ସେମାନଙ୍କ ପକ୍ଷେ ହୋଇଯାଇଛି କଷ୍ଟକର। ଏଭଳି ଜଟିଳ ସମୟରେ କିଏ ସରକାରଙ୍କ ସହୟତାକୁ ଚାତକ ପରି ଚାହିଁ ରହିଛନ୍ତି ତ ଆଉ କିଏ ରାସ୍ତାକଡରେ ଛୋଟମୋଟ ବେପାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଫଳରେ ବଦଳି ଯାଇଛି ହଜାର ହଜାର ଲୋକଙ୍କ ବେଉସା। ପେଟର ଭୋକର ଜ୍ୱାଳାରେ ମାନ, ସମ୍ମାନକୁ ସବୁକୁ ପଛରେ ପକାଇ ଚାଲି ଆସିଛନ୍ତି ରାସ୍ତା କଡକୁ। କିଏ ରାସ୍ତା କଡରେ ମାସ୍କ, ସାନିଟାଇଜର, ‌ହ୍ୟାଣ୍ଡ ଗ୍ଲୋବ୍‌ସ ବିକୁଛି ତ ଆଉ କିଏ ଆଳୁ ଓ ପିଆଜ। ପୁଣି କିଏ ଦହିବରା, ପନି ପରିବା ଓ ଫଳ ବିକୁଛି। ଯାହା କିଛି ରୋଜଗାର ହେଉଛି, ସେଥିରେ ପରିବାର ଦୁଃଖେକଷ୍ଟେ ଚଳୁଛି। ବେପାର ହେଲେ ଦିନକୁ ଦୁଇ ଓଳା ଠିକ୍‌ ଭାବେ ଖାଉଛନ୍ତି। ନହେଲେ ଓଳିଏ ଖାଇ, ଆର ଓଳି ଉପାସରେ ଦିନକୁ କାଟୁଛନ୍ତି। ସ୍ମାର୍ଟ ସିଟି ରାଉରକେଲାରେ ଏମିତି ଦୟନୀୟ ଜୀବନ ଜୀଉଁଛନ୍ତି ଶହ ଶହ ଲୋକ।

ଫଟୋ ବନ୍ଧେଇ ଦୋକାନୀ ଏବେ ଆଳୁ, ପିଆଜ ବେପାରୀ
ଛେଣ୍ଡ କଲୋନୀ ଭିଏସ୍‌ଏସ୍‌ ମାର୍କେଟ। ଏଠି ରହିଛି ପ୍ରଶାନ୍ତ କୁମାର ସେଠୀଙ୍କ ଫଟୋ ବନ୍ଧେଇ ଓ ଫଟୋ ବିକ୍ରି ଦୋକାନ। ୧୭ ବର୍ଷ ଧରି ଫଟୋ ବନ୍ଧେଇ ଓ ବିକ୍ରି କରି ମାସକୁ ଭଲ ଦି’ ପଇସା ରୋଜଗାର କରୁଥିଲେ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଦୋକାନରେ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାମାଜିକ, ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲୋକଙ୍କ ଭିଡ୍‌ ଜମୁଥିଲା। ସବୁ କିଛି ଓଲଟପାଲଟ କରି ଦେଲା କରୋନା ଦ୍ବିତୀୟ ଲହର l ତାଙ୍କ ବେପାରରେ ପୂର୍ଣ୍ଣଚ୍ଛେଦ ପଡିଗଲା । ଦିନକୁ ଯେଉଁଠି ୭ଶହରୁ ହଜାର ଟଙ୍କା ରୋଜଗାର କରୁଥିଲେ। ସେଠି ଦିନକୁ ୧୦୦ ଟଙ୍କା ‌ରୋଜଗାର କରିବା କଷ୍ଟକର ହୋଇ ପଡିଲା। ଯାହା କିଛି ସାଇତି ରଖିଥିଲେ ପରିବାର ପ୍ରତିପୋଷଣରେ ସେତକ ବି ସରିଗଲା। କେମିତି ପରିବାର ପେଟକୁ ଦାନା ଯୋଗାଡ କରିବେ, ଚିନ୍ତାରେ ପଡିଗଲେ। ପତ୍ନୀ, ପିଲା ଛୁଆଙ୍କ ମୁହଁର ଦୁଃଖ ଦେଖି ତାଙ୍କ ଆଖିରୁ ଲୁହ ଗଡି ଆସିଲା ।‌ ତଥାପି ଧୈର୍ଯ୍ୟ ହରା ନ ହୋଇ ସାଙ୍ଗ ସାଥୀଙ୍କ ଠାରୁ ୩ ହଜାର ଟଙ୍କା ଉଧା ରି ଆଣିଲେ। ସେହି ଟଙ୍କାରେ ଆଳୁ, ପିଆଜ, ଅଦା ଓ ରଶୁଣ କିଣି ସେହି ଦୋକାନରେ ବେପାର ଆରମ୍ଭ କଲେ। ଏବେ ଦିନକୁ ୫୦୦ରୁ ୧୦୦୦ ଟଙ୍କା ବିକ୍ରି କରୁଛନ୍ତି । ୨ଶହରୁ ୩ ଶହ ଲାଭ ବାହାରୁଛି। ସେତିକିରେ ଯେତତେନ ପ୍ରକାରେ ପରିବାର ଚଳୁଛି ବୋଲି କହିଛନ୍ତି ପ୍ରଶାନ୍ତ।

ମାସ୍କ, ସାନିଟାଇଜର ବିକିଲେ ଜଳୁଛି ଚୁଲି
ସାରନଗରୀ ଉତ୍କଳ ନଗରର ତପନ କୁମାର ଦାସ। ଟେଣ୍ଟ ହାଉସ୍‌ରେ ସୁପରଭାଇଜିଂ କାମ କରୁଥିଲେ। ଭଲ କାମ କରୁଥିବାରୁ ଟେଣ୍ଟ ହାଉସ୍‌ ମାଲିକ ମାସିକୁ ଭଲ ଦି’ ପଇସା ଦେଉଥିଲେ। କରୋନା ପ୍ରଥମ ଓ ଦ୍ବିତୀୟ ଲହର ତାଙ୍କ ଉପରେ ଯେମିତି କଳା ପାହାଡ ପରି ମାଡି ଆସିଥିଲା। ଟେଣ୍ଟ ହାଉସ୍‌ର ବେପାର ବୁଡି ଯିବାରୁ ମାଲିକ କାମରୁ ବାହାର କରିଦେଲେ। ପରିବାର ପ୍ରତିପୋଷଣ ପାଇଁ ଇଲେକ୍ଟ୍ରି ମରାମତି କାମ କଲେ। କରୋନା ସଂକ୍ରମଣ ଭୟ ଥିବାରୁ କେହି ଘରକୁ ଡାକିଲେ ନାହିଁ। ବାଧ୍ୟ ହୋଇ ବିଦ୍ୟୁତ୍‌ ମରାମତି କାମ ଛାଡିଦେଲେ। ପାଖରେ ଅର୍ଥ ନଥିବାରୁ ହଜାର ଓ ଦୁଇ ହଜାର ଟଙ୍କା ପୁଞ୍ଜି ଲଗାଇ ମାସ୍କ ଓ ସାନିଟାଇଜର ବିକିଲେ। ଏବେ ଦୈନିକ ୧୦୦ରୁ ୨୦୦ ଟଙ୍କା ରୋଜଗାର କରୁଛନ୍ତି। ସେଥିରେ ସେ, ତାଙ୍କ ପତ୍ନୀ ଓ ପିଲାଛୁଆ ଏମିତି ମୋଟ ୫ ଜଣ ଚଳୁଛନ୍ତି ବୋଲି କହିଛନ୍ତି ତପନ। ସେ କହିଛନ୍ତି, ଯେଉଁ ଦିନ ରୋଜଗାର ହେଉଛି, ସେହି ଦିନ ଘରେ ଚୁଲି ଜଳୁଛି। ନ ହେଲେ ବିସ୍କୁଟ, ପାଉଁରୁଟି ଖାଇ ଭୋକ ମେଣ୍ଟାଉଛୁ। ଏଭଳି ଜଟିଳ ସମୟରେ ସରକାର ଆମ ଦୁଃଖ ଶୁଣିବା ଦରକାର।

ଦର୍ଜି ଦୋକାନୀ ବିକୁଛନ୍ତି ଦହିବରା
ସାରନଗରୀରେ ଅନ୍ୟ ଜଣେ ବ୍ୟବସାୟୀ ହେଲେ କୁଶ ସେଠୀ। ଗଞ୍ଜୁ ମାର୍କେଟରେ ତାଙ୍କର ରହିଛି ଦର୍ଜି (ଟେଲର ଦୋକାନ)। ଦୋକାନରେ କାମ କରୁଥିଲେ ସେ ଓ ଅନ୍ୟ ୩/୪ ଜଣ କର୍ମଚାରୀ। ଦିନକୁ ବେଶ୍‌ ଭଲ ଦି’ ପଇସା ରୋଜଗାର କରୁଥିଲେ। ଦିବ୍ୟାଙ୍ଗ ହେଲେ ମଧ୍ୟ ୩/୪ ଜଣଙ୍କୁ ରୋଜଗାର ଦେଇଥିଲେ। ବେଉସା ଉପରେ ହେଲା କରୋନା ମାଡ। ‌ରୋଜଗାର ସମ୍ପୂଣ୍ଣ ଠପ୍‌ ହୋଇଗଲା। କାମ କରୁଥିବା ମିସ୍ତ୍ରୀଙ୍କୁ ଦରମା ଦେଇ ପାରିଲେ ନାହିଁ। ସେମାନେ ବାଧ୍ୟ ହୋଇ କାମ ଛାଡିଦେଲେ। ଶେଷର ନିଜେ ମଧ୍ୟ ଦୋକାନ ବନ୍ଦ କରିଦେଲେ। ଏବେ ଆଇଡିଏଲ୍‌ ନିକଟ ପୁଷ୍ପ ପାର୍କରେ ନିକଟ ରାସ୍ତା କଡରେ ପାଲଟି ଯାଇଛନ୍ତି ପ୍ରସିଦ୍ଧ ଆଳୁ ଦମ୍‌ ଓ ଦହିବରା ବିକାଳୀ । ଦୈନିକ ଯାହା କିଛି ରୋଜଗାର କରୁଛନ୍ତି, ସେଥିରେ ପରିବାର କଷ୍ଟେମଷ୍ଟେ ଚଳୁଛି ବୋଲି କୁହନ୍ତି କୁଶ। ସେ, ତାଙ୍କ ପତ୍ନୀ ଓ ତିନି ପିଲାଙ୍କୁ ନେଇ ତାଙ୍କ ପରିବାର। ଯେତେ ଦିନ ପର୍ଯ୍ୟନ୍ତ କଟକଣା ନ ହଟିଛି, ସେ ପର୍ଯ୍ୟନ୍ତ ଏହି ବେପାର କରୁଥିବି ବୋଲି କହି ଛନ୍ତି ସେ l

ସମ୍ବନ୍ଧିତ ଖବର