ତୃତୀୟ ଲହରରେ ସତର୍କ ରୁହନ୍ତୁ ପିଲା, ଅଭିଭାବକ

କରୋନା ମୃତ୍ୟୁ ୭ହଜାର ଟପିଲା, ୯୬ ପିଲା ଆକ୍ରାନ୍ତ

ଭୁବନେଶ୍ବର: ପିଲାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ସେହି ଦୃଷ୍ଟିରୁ କରୋନା ଭୂତାଣୁ ସେମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା କମ। ଏହା ସତ୍ତ୍ବେ ତୃତୀୟ ଲହର ପିଲାଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରାଯାଉଛି। କୋଭିଡ୍‌ ଇଣ୍ଡୋନେସିଆର ଅନେକ ପିଲାଙ୍କ ଜୀବନ ନେଇଛି, ବେଙ୍ଗାଲୁରୁରେ ପିଲା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଅନେକ ସଂଖ୍ୟାରେ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବାରୁ କୋଭିଡ୍‌ ପ୍ରତି ଆହୁରି ସତର୍କ ରହିବାକୁ ପଡ଼ିବ। ଏହାକୁ ନେଇ ଲଣ୍ଡନରେ ଅବସ୍ଥାପିତ ଡାକ୍ତର ଭାଗ୍ୟଶ୍ରୀ ସିଂ କହିଛନ୍ତି, ଅଗଷ୍ଟ ମାସରେ ପ୍ରକାଶିତ ଲାନ୍‌ସେଟ୍‌ ମେଡିକାଲ ଜର୍ଣ୍ଣାଲ ଅନୁସାରେ, କୋଭିଡ୍‌ ଭୂତାଣୁ ଯେତେବେଳେ ଶରୀର ଭିତରକୁ ପ୍ରବେଶ କରେ ଏସିଇ ନାମକ ରିସେପ୍ଟରରେ ଆସିଥାଏ। ଏହି ଏସିଇ ରିସେପ୍ଟର ପିଲାଙ୍କ ମଧ୍ୟରେ କମ ଥାଏ। ସେଥିପାଇଁ କରୋନା ସଂକ୍ରମଣ ଶିଶୁଙ୍କୁ ପ୍ରବେଶ କରିବାର ଆଶଙ୍କା କମ ଥାଏ। କୌଣସି ପ୍ରକାର ଭୂତାଣୁ ପିଲାଙ୍କ ମଧ୍ୟରେ ପ୍ରବେଶ କଲେବି ପିଲାଙ୍କୁ କ୍ଷତିଗ୍ରସ୍ତ କରିନଥାଏ।

ଏଥିପାଇଁ କୋଭିଡ୍‌ ଆକ୍ରାନ୍ତ ହେଲେବି ପିଲାଙ୍କ ଅବସ୍ଥା ଗୁରୁତର ହୋଇନଥାଏ। ଡାକ୍ତରଖାନାରେ ଚିକିତ୍ସାଧୀନ ଶିଶୁ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ଆସିନାହିଁ। ଏହା ସତ୍ତ୍ବେ ବର୍ତ୍ତମାନ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଭାରତ ସବୁଠି ଶିଶୁ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାର କାରଣ ହେଲା, ବର୍ତ୍ତମାନ ବୟସ୍କମାନେ ଟିକା ନେଲେଣି କିନ୍ତୁ ପିଲାଙ୍କ ମଧ୍ୟରେ ଟିକା ଆରମ୍ଭ ବି ହୋଇ ନାହିଁ। ଏଭଳି ସ୍ଥିତିରେ ଯେଉଁ ଶରୀରରେ କମ ଆଣ୍ଟିବଡି ଥାଏ ଭୂତାଣୁ ସେଠିକୁ ପ୍ରବେଶ କରେ।

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବିଶେଷଜ୍ଞ କହିଛନ୍ତି, କୌଣସି ଦେଶ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେଠାରେ ସମୁଦାୟ ଜନସଂଖ୍ୟାର ୭୦ରୁ ୮୦ ପ୍ରତିଶତ ଟିକା ନେଇଥିବା ଉଚିତ। ଭାରତରେ ଜନସଂଖ୍ୟା ଦୃଷ୍ଟିରୁ ସେହି ସ୍ତରକୁ ପହଞ୍ଚିବାକୁ ଆହ୍ବାନପୂର୍ଣ୍ଣ ହେବ। ଦେଶରେ ବର୍ତ୍ତମାନ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଡୋଜ୍‌ ଟିକା ନେଇ ନାହାନ୍ତି। ଭୂତାଣୁ ଶରୀର ଭିତରକୁ ପ୍ରବେଶ କରିବାକୁ ସହଜ ହେଉଛି। ସଂକ୍ରମିତ ବ୍ୟକ୍ତିଙ୍କ ଘରେ ଶିଶୁ ରହୁଥିଲେ, ଶିଶୁ ମଧ୍ୟ ଏହାର ଶିକାର ହ‌େବେ। ତେଣୁ ଏଭଳି ସ୍ଥିତିରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଉଚିତ। ପିଲାଙ୍କୁ ଭିଡ଼କୁ ନ ଛାଡ଼ିବାକୁ ଡା. ଭାଗ୍ୟଶ୍ରୀ ପରାମର୍ଶ ଦେଇଛନ୍ତି। ଡେଲ୍ଟା ଭାରିଏଣ୍ଟ ଏଭଳି ଯେ ଜଣେ ବ୍ୟକ୍ତି ନିଜେ ଭୂତାଣୁ ସଂକ୍ରମିତ ହୋଇନପାରେ ମାତ୍ର ସେ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବାରେ ମାଧ୍ୟମ ହୋଇପାରେ। ଓଡ଼ିଶାରେ ଅପପୁଷ୍ଟି ଶିକାର ଶିଶୁଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ତାଙ୍କ ପ୍ରତି ବିପଦ ରହିଛି। ଭାରତରେ ୩୦ କୋଟି ଶିଶୁଙ୍କ ମଧ୍ୟରୁ ୧୮ କୋଟି ମଧ୍ୟରେ ଭୂତାଣୁ ପ୍ରବେଶ କରିବାର ଆଶଙ୍କା ରହିଛି। ବର୍ତ୍ତମାନ ଏହି ଶିଶୁଙ୍କ ଅବସ୍ଥା ଗୁରୁତର ହୋଇନାହିଁ। ଭାରତର ଡାକ୍ତରଖାନାରେ ଶଯ୍ୟା, ଆଇସିୟୁ ଅବସ୍ଥା ଯାହା ୧ ପ୍ରତିଶତ ଶିଶୁଙ୍କ ଅବସ୍ଥା ଗୁରୁତର ହେଲେବି ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇ ପଡ଼ିବ। ତେଣୁ ସମସ୍ତେ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

କରୋନା ମୃତ୍ୟୁ ୭ହଜାର ଟପିଲା, ୯୬ ପିଲା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ‌େରାନା ମୃତ୍ୟୁ ସଂଖ୍ୟା ୭ହଜାର ଟପିଛି। ଆଉ ୬୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭୦୨୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ମଧ୍ୟ ହଜାରେ ତଳେ ରହିଛି। ୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୮ବର୍ଷ ମଧ୍ୟରେ ୯୬ଜଣ ଅଛନ୍ତି। ଗତକାଲି ୫୦,୭୨୭ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର୍) ୧.୪୨% ରହିଛି। ହେଲେ ଖୋର୍ଦ୍ଧା ଜିଲ୍ଲାର ଟିପିଆର୍‌ ପୁଣି ବଢ଼ିଯାଇଛି। ଏଠାରେ ୫୭୨୦ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୨୭୯ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଛନ୍ତି। ଖୋର୍ଦ୍ଧାରେ ଟିପିଆର୍ ୪.୮୮% ରହିଛି।

ଜଗତସିଂହପୁରରେ ୩.୭୧%, କଟକରେ ୩.୩%, ଢେଙ୍କାନାଳରେ ୨.୫%, ଦେବଗଡ଼ରେ ୧.୩%, ପୁରୀରେ ୧.୧%, ଯାଜପୁରେ ୧%, ମୟୂରଭଞ୍ଜରେ ୧.୨% ଟିପିଆର୍ ରହିଛି। ବାକି ରାଜ୍ୟରେ ଟିପିଆର୍ ୧% ତଳେ ରହିଛି। ଗଜପତିରେ ୬୪୬ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଆଜି ସୁଦ୍ଧା ରାଜ୍ୟରେ ୯,୯୬,୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯,୭୯୪୦୭ଜଣ ସୁସ୍ଥ ହୋଇଛନ୍ତି। ଏବେବି ୯୬୭୨ଜଣ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର