କଟକ: ଯାନବାହନ ଚାଳକଙ୍କ ପାଇଁ ଅଧିକ ବିପଦସଙ୍କୁଳ ହୋଇପଡ଼ିଛି ୧୬ ନମ୍ବର ଜାତୀୟ ରାଜପଥ। ରାଜ୍ୟ ଭିତରେ ବିଭିନ୍ନ ରାଜପଥରେ ମୋଟ ୧୪୨ଟି ବ୍ଲାକସ୍ପଟ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୬୯ଟି ବ୍ଲାକସ୍ପଟ୍ ଚିହ୍ନଟ ହୋଇଛି ୧୬ ନମ୍ବର ଜାତୀୟ ରାଜପଥରେ। ଏଥିପାଇଁ ବର୍ଷକୁ ହାରାହାରି ୧୧ ହଜାର ଦୁର୍ଘଟଣା ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ହାରାହାରି ୫ ହଜାର ରହୁଛି। ଏହି ରାଜପଥ ଏକପ୍ରକାର ମରଣଜନ୍ତା ପାଲଟି ଯାଇଛି।
ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ, ୨୦୨୨ରେ ୧୧ ହଜାର ୬୬୩ ଦୁର୍ଘଟଣା ଘଟିଥିଲା ବେଳେ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ୧୦ ହଜାର ୯୮୩ ଦୁର୍ଘଟଣା ଓ ୫ ହଜାର ୮୧ ମୃତ୍ୟୁ ହୋଇଥିବା ବେଳେ ୨୦୨୦ ରେ ୯ ହଜାର ୮୧୭ଟି ଦୁର୍ଘଟଣା ଏବଂ ୪ ହଜାର ୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ରେ ୧୧ ହଜାର ୬୪ଟି ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ୧୧ ହଜାର ୨୬୨ ଦୁର୍ଘଟଣା ଓ ୫ ହଜାର ୩୧୫ ମୃତ୍ୟୁ, ୨୦୧୭ରେ ୧୦ ହଜାର ୮୫୫ ଦୁର୍ଘଟଣା ଓ ୪ ହଜାର ୭୯୦ ମୃତ୍ୟୁ, ୨୦୧୬ରେ ୧୦ ହଜାର ୫୩୨ ଦୁର୍ଘଟଣା ଓ ୪ ହଜାର ୪୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ତଥ୍ୟକୁ ଯଦି ଲକ୍ଷ୍ୟ କରାଯାଏ, ତେବେ କ୍ରମାଗତ ଭାବେ ପ୍ରତ୍ୟେକ ବର୍ଷ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଓଡ଼ିଶାରେ ଦୁର୍ଘଟଣା ପ୍ରବଣ ଅଞ୍ଚଳଗୁଡ଼ିକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। କଟକ କମିସନରେଟ୍ ପୁଲିସରେ ୧୧ଟି, କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସରେ ୯ଟି, ଭୁବନେଶ୍ବର କମିସନରେଟ୍ ପୁଲିସରେ ୧୫, ଖୋର୍ଧାରେ ୫ଟି, ଢେଙ୍କାନାଳରେ ୨ଟି, ଅନୁଗୁଳରେ ୯ଟି, ଯାଜପୁରରେ ୧୩, ମୟୁରଭଞ୍ଜରେ ୧୨ଟି, ଭଦ୍ରକରେ ୫ଟି, ବାଲେଶ୍ବରରେ ୧୦ଟି, ଗଞ୍ଜାମରେ ୫ଟି, ବ୍ରହ୍ମପୁରରେ ୪ଟି, ପୁରୀରେ ୧୨ଟି, କେନ୍ଦ୍ରାପଡ଼ାରେ ୫ଟି, ଜଗତସିଂହପୁରରେ ୨ଟି, କେନ୍ଦୁଝରରେ ୫ଟି, ରାଉରକେଲାରେ ୮ଟି, ବରଗଡ଼ରେ ଗୋଟିଏ, ଝାରସୁଗୁଡ଼ାରେ ୩ଟି, ସମ୍ବଲପୁରରରେ ୬ଟି ବ୍ଲାକସ୍ପଟ୍ ଚିହ୍ନଟ ହୋଇଛି।
୧୬ ନମ୍ବର ଜାତୀୟ ରାଜପଥରେ ସର୍ବାଧିକ ୬୯ଟି ବ୍ଲାକସ୍ପଷ୍ଟ ଚିହ୍ନଟ ହୋଇଥିବା ବେଳେ ଏହା ପରକୁ ୫୫ ନମ୍ବର ଜାତୀୟ ରାଜପଥରେ ୧୫ଟି, ୩୧୬ ଜାତୀୟ ରାଜପଥରେ ୧୨ଟି ଓ ୫୩ ନମ୍ବର ଜାତୀୟ ରାଜପଥରେ ୧୧ଟି ବ୍ଲାକସ୍ପଟ୍ ଚିହ୍ନଟ ହୋଇଛି। ସଡ଼କ ସୁରକ୍ଷା ବିଶେଷଜ୍ଞ ଡକ୍ଟର ବିକାଶ ମହାପାତ୍ର କହିଛନ୍ତି ଯେ ବ୍ଲାକସ୍ପଟକୁ ହ୍ବାଇଟ୍ ସ୍ପଟରେ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଆଯିବା ଉଚିତ। ବ୍ଲାକସ୍ପଟ ଚିହ୍ନଟ କରାଯାଉଥିଲେ ବି ଚିହ୍ନଟ ଅଞ୍ଚଳରେ ଥିବା ଯାନ୍ତ୍ରିକ ତ୍ରୁଟି ସୁଧାର ଦିଗରେ ସେଭଳି ପଦକ୍ଷେପ ଗ୍ରହଣ ହେଉନାହିଁ। ରୋଡ ଡିଜାଇନ ସମୟରେ ତ୍ରୁଟି ରହୁଥିବାରୁ ଏଭଳି ଦୁର୍ଘଟଣା ପ୍ରବଣ ଅଞ୍ଚଳଗୁଡ଼ିକ ସୃଷ୍ଟି ହେଉଛି। ରାସ୍ତାର ମାଲିକ ହେଉଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ ସମେତ ରାଜ୍ୟରେ ପିଡବ୍ଲୁଡି, ମ୍ୟୁନିସିପାଲିଟି ଇତ୍ୟାଦି। ଏମାନେ ରାସ୍ତା ନିର୍ମାଣ କରିଥାନ୍ତି। ରାସ୍ତାର ତ୍ରୁଟି ପାଇଁ ବି ସେମାନେ ଦାୟୀ। ଦୁର୍ଘଟଣା ପଛର ଅନ୍ୟତମ କାରଣ ହେଉଛି ଦ୍ରୁତି ଗତି ସହିତ ହେଲମେଟ୍ ବ୍ୟବହାର ନକରିବା। କଟକ ଓ ଭୁବନେଶ୍ବରକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ହେଲମେଟ୍ ପିନ୍ଧିବା ନେଇ ସେ ପ୍ରକାର ସଚେତନତା ସୃଷ୍ଟି ହୋଇପାରି ନଥିବା ଡକ୍ଟର ମହାପାତ୍ର କହିଛନ୍ତି।