ସମ୍ବଲପୁର : ଲୋକଙ୍କ ହାତରେ ଇଣ୍ଟରନେଟ୍ ଥିବା ସ୍ମାର୍ଟଫୋନ୍ ପହଞ୍ଚିବା ପରେ ସାଇବର ଅପରାଧ ବହୁତ ବଢ଼ିଯାଇଛି। ଡିଜିଟାଲ୍ ଦୁନିଆରେ ସକ୍ରିୟ ରହିବା ବେଳେ ଯେଉଁ ସବୁ ସାବଧାନତା ଅବଲମ୍ବନ କରିବାକୁ ହୁଏ ତାହା ଅଧିକାଂଶ ଲୋକଙ୍କୁ ଜଣାନାହିଁ। ଲୋକଙ୍କ ଭିତରେ ସଚେତନତାର ଯେଉଁ ଅଭାବ ରହିଛି ତାହା ସାଇବର ଅପରାଧୀମାନଙ୍କୁ ସୁହାଉଛି। ସେମାନେ ନୂଆ ନୂଆ ଉପାୟରେ ଠକେଇ ଉଦ୍ୟମ କରୁଛନ୍ତି। ଓଡ଼ିଶାରେ ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ତାହା ହେଉଛି ପିଙ୍କ୍ ହ୍ବାଟସ୍ଆପ୍ ଲିଙ୍କ୍।
ପିଙ୍କ୍ ହ୍ବାଟସ୍ଆପ୍ ହେଉଛି ଏକ ଫିସିଙ୍ଗ୍ ଆକ୍ରମଣ। ଏଥିରେ ଲୋକମାନଙ୍କ ପାଖକୁ ଏକ ଲିଙ୍କ୍ ଆସୁଛି ଯେଉଁଥିରେ ହ୍ବାଟସ୍ଆପ୍କୁ ଗୋଲାପୀ କରିବାର ସୁବିଧା ରହିଛି। ଯେଉଁମାନେ ସେହି ଲିଙ୍କ୍କୁ ଖୋଲୁଛନ୍ତି ସେମାନଙ୍କ ଫୋନ୍ର ନିୟନ୍ତ୍ରଣ ହ୍ୟାକରମାନଙ୍କ ହାତକୁ ଚାଲିଯାଉଛି। ସେମାନେ ଫୋନ୍ରେ ଥିବା କଣ୍ଟାକ୍ଟ ନମ୍ବର, ଫଟୋ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଚୋରାଇ ନେଉଛନ୍ତି। ଏଭଳିକି ଗୁରୁତ୍ବପୂର୍ଣ୍ଣ ଆର୍ଥିକ କାରବାର କରିବା ବେଳେ ଯେଉଁ ୱାନ୍ ଟାଇମ୍ ପାସ୍ୱାର୍ଡ (ଓଟିପି) ଆସୁଛି ତାହାକୁ ମଧ୍ୟ ସେମାନେ ପଢ଼ିପାରୁଛନ୍ତି। ପରବର୍ତ୍ତୀ ସମୟରେ ସେହି ତଥ୍ୟଗୁଡ଼ିକୁ ନେଇ ହ୍ୟାକରମାନେ ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବାନୁଯାୟୀ, କିଛି ଦିନ ତଳେ ବୈପାରୀଗୁଡ଼ାରେ ପିଙ୍କ୍ ହ୍ବାଟସ୍ଆପ୍ ଘଟଣା ଘଟିଥିଲା। ଏହା ଦ୍ବାରା କୌଣସି ବ୍ୟକ୍ତି ଆର୍ଥିକ କ୍ଷତିର ଶିକାର ହୋଇଥିବା ମାମଲା ଘଟିନାହିଁ। କାରଣ ପିଙ୍କ୍ ହ୍ବାଟସ୍ଆପ୍ କେବଳ ତଥ୍ୟ ଚୋରି କରିପାରିବ। ଏହା କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଓ ପାସ୍ୱାର୍ଡ ଜାଣିପାରିବନି। ତେଣୁ ସେଥିରେ ଆର୍ଥିକ ଠକେଇ ହେବା ଏତେଟା ସହଜ ନୁହେଁ। ଶ୍ରୀ ସାହୁ କହିଛନ୍ତି ଯେ ପିଙ୍କ୍ ହ୍ବାଟସ୍ଆପ୍ର ଚେର ଚୀନ୍ରେ ରହିଛି। ଭାରତର କୌଣସି ସ୍ଥାନରୁ ସେହି ଆକ୍ରମଣ ହେଉଥିଲେ ସହଜରେ ଧରାପଡ଼ିଯାଆନ୍ତା। ଯେହେତୁ ଚୀନ୍ରୁ ଲିଙ୍କ୍ ଆସୁଛି ତାହାକୁ ଧରିବା ସହଜ ହେଉନାହିଁ।
ଉଦାହରଣ ଦେଇ ଶ୍ରୀ ସାହୁ କହିଛନ୍ତି ଯେ ପିଙ୍କ୍ ହ୍ବାଟସ୍ଆପ୍ ଲିଙ୍କ୍ର ଏକ ସ୍ବତନ୍ତ୍ର ଧାରା ରହିଛି। ଏହି ଲିଙ୍କ୍ ଲୋକଙ୍କ ପାଖକୁ ସେମାନଙ୍କ କଣ୍ଟାକ୍ଟରେ ସେଭ୍ ଥିବା କୌଣସି ନମ୍ବରରୁ ଆସିଥାଏ। ଫଳରେ ଲିଙ୍କ୍ ଉପରେ ଅବିଶ୍ବାସ କରିବାର ସୁଯୋଗ ସୃଷ୍ଟି ହୁଏନି। ପୂର୍ବରୁ ହ୍ୟାକ୍ ହୋଇଥିବା ଫୋନ୍ରୁ ସେହି ଲିଙ୍କ୍ ପଠାଯାଏ। ସେଥିରେ କୁହାଯାଇଥାଏ ଯେ ଏହି ଲିଙ୍କ୍ ଜରିଆରେ ଅପ୍ଡେଟ୍ କଲେ ହ୍ବାଟସ୍ଆପ୍ରେ ବହୁ ନୂଆ ନୂଆ ସୁବିଧା ମିଳିବ। ଯେହେତୁ ଜଣେ ପରିଚିତ ଲୋକଙ୍କ ନମ୍ବରରୁ ଲିଙ୍କ୍ଟି ଆସିଥାଏ ଲୋକମାନେ ତାହାକୁ ଖୋଲି ଆଗକୁ ବଢ଼ୁଛନ୍ତି। ଯେଉଁମାନେ ସେଭଳି କାମ କରୁଛନ୍ତି ସେମାନଙ୍କ ପ୍ରତି ବିପଦ ରହିଛି। ଜଣାଶୁଣା କିମ୍ବା ଅଜଣା ବ୍ୟକ୍ତିଙ୍କଠାରୁ ଯେଉଁ ଲିଙ୍କ୍ ଆସୁଛି ସେବିଷୟରେ ଭଲ ଭାବେ ନଜାଣି ତାହାକୁ ଖୋଲିବାର ଅର୍ଥ ହେଉଛି ବିପଦକୁ ଡାକିବା।
ହ୍ବାଟସ୍ଆପ୍କୁ ଯଦି ଅପ୍ଡେଟ୍ କରିବାକୁ ଚାହୁଛନ୍ତି ତେବେ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ତାହାକୁ ପ୍ଲେ ଷ୍ଟୋର୍ରେ ଅପ୍ଡେଟ୍ କରିପାରିବେ। କୌଣସି ଲିଙ୍କ ଜରିଆରେ ହ୍ବାଟସ୍ଆପ୍ ଅପ୍ଡେଟ୍ କରାଯାଏ ନାହିଁ। ଲୋକମାନେ ତାହା ବୁଝିବା ଦରକାର। କୌଣସି ବିଷୟ ପ୍ରତି ଆକର୍ଷିତ ହେବା ପୂର୍ବରୁ ନିଜକୁ ପ୍ରଶ୍ନ କରିବା ଦରକାର। ଲୋକମାନେ ସଚେତନ ହେଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି।
୨୦୨୧ରୁ କୋଭିଡ୍ ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ସ୍କାମ୍ ଆରମ୍ଭ ହୋଇଛି। ପ୍ରଥମେ ଆମେରିକାରେ ୱାଲ୍ ଷ୍ଟ୍ରି ଜର୍ଣ୍ଣାଲ୍ ଏ ସମ୍ପର୍କିତ ଖବର ପ୍ରକାଶ କରିଥିଲା। ଏହାପରେ ବିଶ୍ବର ବିଭିନ୍ନ ସ୍ଥାନରେ ଏହି ସ୍କାମ୍ ଘଟିଥିଲା। ଏବେ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଛି। ଅତୀତରେ ମାଧ୍ୟମରେ ଠକମାନେ ଅନେକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିଲେ। ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏହି ପିଙ୍କ୍ ହ୍ବାଟ୍ସଆପ୍ ଦ୍ବାରା ଠକେଇର ଶିକାର ମଧ୍ୟ ହୋଇଥିଲେ। ମୁମ୍ବାଇ ପୁଲିସ, ସିଆଇଡି, କ୍ରାଇମବ୍ରାଞ୍ଚ ପକ୍ଷରୁ ପିଙ୍କ୍ ହ୍ବାଟ୍ସଆପ୍ ସ୍କାମ୍କୁ ନେଇ ଲୋକମାନଙ୍କୁ ସଚେତନ କରାଯାଇଛି। କର୍ଣ୍ଣାଟକ, ତେଲେଙ୍ଗାନା, ଗୋଆ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ରାଜ୍ୟ ପିଙ୍କ୍ ହ୍ବାଟ୍ସଆପ୍ ଡାଉନ୍ଲୋଡ୍ ନ କରିବା ପାଇଁ ପରାମର୍ଶ ଜାରି କରି ସାରିଲେଣି। ଓଡ଼ିଶା ପୁଲିସ କିନ୍ତୁ ଏପର୍ଯ୍ୟନ୍ତ ପରାମର୍ଶ ଦେଇନାହିଁ। ଓଡ଼ିଶା ପୁଲିସ ଖୁବ୍ଶୀଘ୍ର ଏନେଇ ପରାମର୍ଶବଳୀ ଜାରି କରିବ ବୋଲି କୁହାଯାଉଛି।
କେମିତି ହୁଏ ଠକେଇ?
ପ୍ରଥମେ ଆପଣଙ୍କ ହ୍ବାଟ୍ସଆପ୍ରେ ଏକ ଅଜଣା ନମ୍ବରରୁ ମେସେଜ ଆସିବ। ‘ଅଫିସିଆଲ୍ ହ୍ବାଟ୍ସଆପ୍ ଲଞ୍ଚ୍ଡ ପିଙ୍କ୍ ହ୍ବାଟ୍ସଆପ୍ ଵିଥ୍ ଏକ୍ସଟ୍ରା ନ୍ୟୁ ଫିଚର୍ସ। ଏହାକୁ ନିଶ୍ଚିତ ଟ୍ରାଏ କରନ୍ତୁ ବୋଲି ଲେଖାଯିବା ସହିତ ଏକ ଲିଙ୍କ୍ ଦିଆଯାଇଥିବା। ଉକ୍ତ ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଠକ ପାଖକୁ ଆପଣଙ୍କ ମୋବାଇଲ୍ର ସବୁକିଛି ଚାଲିଯାଇ ପାରେ। ଆପଣଙ୍କ ମୋବାଇଲ୍ରେ ଥିବା ଫଟୋ, ଭିଡିଓ, ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ଆଦି ଠକ ଜାଣି ପାରିବ। ସେସବୁ ଜାଣିବା ପରେ ଖୁବ୍ ସହଜରେ ଠକ ଆକାଉଣ୍ଟ ଖାଲି କରି ପାରିବ। ତା ସହିତ ମୋବାଇଲ୍ରେ ଯଦି କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଠକ ହାତରେ ଲାଗେ, ସେ ବ୍ଲାକମେଲିଂ କରି ମଧ୍ୟ ଟଙ୍କା ମାଗିବ।
କେମିତି ବଞ୍ଚିବେ
ସାଇବର୍ ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା ଅନୁଯାୟୀ, ହ୍ବାଟ୍ସଆପ୍ରେ ଷ୍ଟାଟସ୍, ଅନ୍ଲାଇନ୍ ସୋକୁ ଲୁଚାଇବା ଭଳି କିଛି ଫିଚର ଲୋଭରେ ଅନେକ ଲୋକ ଏଭଳି ପିଙ୍କ୍ ହ୍ବାଟ୍ସଅପ୍, ଜିବି ହ୍ବାଟ୍ସଆପ୍, ଏଫ୍ଏମ୍ ହ୍ବାଟ୍ସଆପ୍ ଭଳି ଭାଇରସ୍ ଥିବା ଏପିକେ ଫାଇଲ୍ ଡାଉନ୍ଲୋଡ୍ କରୁଛନ୍ତି। ବାହାରୁ ଆପ୍ ଡାଉନ୍ ନ କରିବାକୁ ସେ କହିଛନ୍ତି। କୌଣସି ଆପ୍ ପ୍ଲେ ଷ୍ଟୋର୍ କିମ୍ବା ଆଇଓଏସ୍ର ଅଫିସିଆଲ୍ ଷ୍ଟୋର୍ରୁ ଡାଉନ୍ଲୋଡ କରନ୍ତୁ। ଅଜଣା ନମ୍ବରରୁ ଆସୁଥିବା ଲିଙ୍କ୍ କ୍ଲିକ୍ ନକିରି, ନମ୍ବରକୁ ବ୍ଲକ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି।