ସମ୍ବଲପୁର: ଯଦି ଆପଣ ବାଇକ୍ରେ ଯାତାୟାତ ବେଳେ ହେଲ୍ମେଟ୍ ପିନ୍ଧୁ ନାହାନ୍ତି, ଗାଡ଼ି ଚଲାଇଭା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି, ସିଟ୍ ବେଲ୍ଟ ବ୍ୟବହାର କରୁନାହାନ୍ତି ବା ବାଇକରେ ୩ ଜଣିଆ ଯାଉଛନ୍ତି, ସେବେ ସାବଧାନ ହୋଇ ଯାଆନ୍ତୁ। ନଚେତ୍ ଆପଣଙ୍କ ପକେଟ୍ ଖାଲି କରିବା ପାଇଁ ସମ୍ବଲପୁରର ସବୁ ଛକରେ ଏବେ କ୍ୟାମେରା ଜଗି ରହିଛି। ଗତ ୮ ଦିନ ମଧ୍ୟରେ ପାଖାପାଖି ହଜାରେ ଇ-ଚାଲାଣ କଟି ସାରିଲାଣି। ସବୁ ଛକର କ୍ୟାମେରା ଚାଲୁ ହୋଇଗଲେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଭାଗ ପକ୍ଷରୁ କହାଯାଇଛି।
ଏଣିକି କୌଣସି ପ୍ରକାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ। ଦ୍ରୁତଗତିରେ ଗାଡ଼ି ଚଲାଇବା ଠାରୁ ଆରମ୍ଭ କରି ଓଭର୍ ଲୋଡିଂ ପର୍ଯ୍ୟନ୍ତ ସବୁ କିଛି ଯାଞ୍ଚ କରିବା ପାଇଁ ପରିବହନ ଓ ଟ୍ରାଫିକ୍ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ସମ୍ବଲପୁର ଆର୍ଟିଓ ରାମଦାସ ଟୁଡୁଙ୍କ ସୂଚନା ଅନୁଯାୟୀ, ଗତ ୧୧ ତାରିଖରୁ ୧୭ ତାରିଖ ମଧ୍ୟରେ ମୋଟ ଉପରେ ୯୭୯ଟି ଇ-ଚାଲାଣ କଟାଯାଇଛି। ମୋଟ ଉପରେ ୮୭,୧୨୫ ଟଙ୍କା ଆଦାୟ ହୋଇଛି। ହେଲ୍ମେଟ୍ ପିନ୍ଧି ନଥିବା କାରଣରୁ ସର୍ବାଧିକ ୪୭୩ ଜଣଙ୍କର ଚାଲାଣ କଟିଥିବା ବେଳେ ୮ ଦିନ ମଧ୍ୟରେ ୨୯ଟି ଗାଡ଼ି ଜବତ କରାଯାଇଛି। ସେଭଳି ସ୍କୁଲ୍ ବସ୍ ନିୟମ ଉଲ୍ଲଙ୍ଘନ କରିଥିବା ୨୭ଟି ବସ୍କୁ ଜରିମାନା କରାଯାଇଥିବା ବେଳେ ଓଭର୍ ଲୋଡିଂ ପାଇଁ ୩ଟି ଗାଡ଼ିର ଚାଲାଣ କଟାଯାଇଛି। ୧୫ଟି ଗାଡ଼ିର ଫିଟ୍ନେସ୍ କ୍ୟାନ୍ସେଲେସନ୍ କରାଯାଇଛି। କ୍ୟାମେରା ସହ ବିଭିନ୍ନ ଛକରେ ଟ୍ରାଫିକ୍ ପୁଲିସ ଓ ପରିବହନ ବିଭାଗର କର୍ମଚାରୀ ମଧ୍ୟ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଆଗକୁ ଏହି ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିବ ବୋଲି ରାମଦାସ ଟୁଡୁ କହିଛନ୍ତି।
ଗତ ୮ ଦିନରେ କଟିଥିବା ଚାଲାଣ
ନିୟମ ଉଲ୍ଲଙ୍ଘନ ଚାଲାଣ ସଂଖ୍ୟା
ଦ୍ରୁତ ଗତି ୧୧୨
ବିନ ହେଲ୍ମେଟ୍ ୪୭୩
ବିନା ସିଟ୍ ବେଲ୍ଟ ୨୪
ମୋବାଇଲ୍ ବ୍ୟବହାର ୧୪
ମଦ୍ୟପାନ ୬୪
ତିନି ଜଣିଆ(ବାଇକ୍) ୩୨
ଓଭର୍ ଲୋଡିଂ ୩
ସ୍କୁଲ୍ ବସ୍ ୨୭